କରୋନା କାଳରେ କେନ୍ଦ୍ରୀୟ ସହାୟତା : ଓଡ଼ିଶାକୁ ୨୬ ହଜାର କୋଟି

ଉପକୃତ ହୋଇଛନ୍ତି ୩ କୋଟି ଲୋକ,ସ୍ବାସ୍ଥ୍ୟ ବ୍ୟବସ୍ଥା ପ୍ରସ୍ତୁତି ପ୍ୟାକେଜ ୪୦୫କୋଟି

ନୂଆଦିଲ୍ଲୀ : କରୋନା ମହାମାରୀ ଯୋଗୁଁ ଲୋକଙ୍କ ଆର୍ଥିକ ମେରୁଦଣ୍ଡ ଦୋହଲି ଯାଇଥିବାବେଳେ ଏଭଳି ସମୟରେ କେନ୍ଦ୍ର ସରକାର ସଙ୍ଗୀୟ ବ୍ୟବସ୍ଥା ଅନୁଯାୟୀ ବିଭିନ୍ନ ପ୍ରଦେଶ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ସହାୟତା ପ୍ରଦାନ କରିଛନ୍ତି। ଏହିକ୍ରମରେ ଓଡ଼ିଶାକୁ ପ୍ରାୟ ୨୬ ହଜାର କୋଟି ଟଙ୍କାର ଆର୍ଥିକ ଅନୁଦାନ ଯୋଗାଇଛନ୍ତି। ଏହାସହିତ କୋଭିଡ୍ ମୁକାବିଲା ପାଇଁ କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନକଲ୍ୟାଣ କାର୍ଯ୍ୟକ୍ରମ ଅନ୍ତର୍ଗତ ରାଜ୍ୟର ୩.୧୦ କୋଟି ଲୋକ ସିଧାସଳଖ ଉପକୃତ ହୋଇଥିବା ଜଣାପଡ଼ିଛି।
ତଥ୍ୟ ଅନୁସାରେ କରୋନା ମହାମାରୀ ଆସିବା ପରେ ୨୦୨୦-୨୧ ଓ ୨୦୨୧-୨୨ ଆର୍ଥିକ ବର୍ଷରେ ଓଡ଼ିଶାକୁ କେନ୍ଦ୍ର ସରକାର ପ୍ରାୟ ୨୬ ହଜାର କୋଟି ଟଙ୍କାର ଅନୁଦାନ ଦେଇଥିବାବେଳେ କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ ଗରିବ ଅନ୍ନ ଯୋଜନାରେ ୩.୧୦ କୋଟି ଲୋକ, ପ୍ରଧାନମନ୍ତ୍ରୀ ଉଜ୍ୱଳା ଯୋଜନାରେ ୮୩.୬୫ ଲକ୍ଷ, ପିଏମ୍‌ କିଷାନରେ ୨୦.୦୩ଲକ୍ଷ, ପ୍ରଧାନମନ୍ତ୍ରୀ ଜନଧନ ଯୋଜନାରେ ୮୧.୨୧ ଲକ୍ଷ ଲୋକ, ଜାତୀୟ ସାମାଜିକ ସୁରକ୍ଷା କାର୍ଯ୍ୟକ୍ରମରେ ୨୦.୨୭ ଲକ୍ଷ ହିତାଧିକାରୀ, କୋଠାବାଡ଼ି ଶ୍ରମିକ କଲ୍ୟାଣ ପାଣ୍ଠିରୁ ୨୦.୮୩ଲକ୍ଷ, କର୍ମଚାରୀ ଭବିଷ୍ୟ ପାଣ୍ଠି ସହାୟତାରେ ୧.୬୨ଲକ୍ଷ ଲୋକ ଉପକୃତ ହୋଇଛନ୍ତି।
କରୋନା ମହାମାରୀ ଆସିବା ପରେ ୨୦୨୦-୨୧ ଆର୍ଥିକ ବର୍ଷରେ କୋଭିଡ-୧୯ର ଜରୁରୀକାଳନ ମୁକାବିଲା ପାଇଁ ୧୪୬.୪୪ କୋଟି ଟଙ୍କା, ଜାତୀୟ ସ୍ୱାସ୍ଥ୍ୟ ମିଶନରେ ୧୬୧୭.୬୩ କୋଟି, ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ପାଣ୍ଠିରେ ୧୬୦୪କୋଟି, ରାଜ୍ୟକୁ ପୁଞ୍ଜି ବ୍ୟୟ ପାଇଁ ସ୍ୱତନ୍ତ୍ର ଅନୁଦାନରେ ୪୭୧.୫୦କୋଟି, ଜିଏସଟି କ୍ଷତିପୂରଣରେ ୩୮୨୨କୋଟି ଓ ଅତିରିକ୍ତ ଋଣ ଭାବେ ରାଜ୍ୟ ଜିଡିପିର ୨ ପ୍ରତିଶତ ଋଣ ବାବଦରେ ୯୭୧୬କୋଟି ଟଙ୍କା ଓଡ଼ିଶା
ଅନୁଦାନ ପାଇଥିବାବେଳେ ୨୦୨୧-୨୨ ଆର୍ଥିକ ବର୍ଷରେ ଜରୁରୀକାଳୀନ ସ୍ୱାସ୍ଥ୍ୟ ମୁକାବିଲା ପାଇଁ ୨୫୮.୫୯କୋଟି ଟଙ୍କା, ଜାତୀୟ ସ୍ୱାସ୍ଥ୍ୟ ମିଶନରେ ୮୮୧.୮୬କୋଟି, ଜାତୀୟ ବିପର୍ଯ୍ୟୟ ପାଣ୍ଠିକୁ ୧୨୮୩.୨୦ କୋଟି, ରାଜ୍ୟକୁ ପୁଞ୍ଜି ବ୍ୟୟ ଅନୁଦାନରେ ୧୪୩.୧୨କୋଟି ଟଙ୍କା, ଜିଏସଟି କ୍ଷତିପୂରଣରେ ୬୪୩୦.୨୦କୋଟି ଟଙ୍କା ମିଳିଛି ।
ସେହିପରି କରୋନା ମହାମାରୀ ମୁକାବିଲା ସମୟରେ ଅନ୍ୟାନ୍ୟ ସହାୟତା ବାବଦରେ ଓଡ଼ିଶାକୁ ପ୍ରଧାନମନ୍ତ୍ରୀ ଗରିବ ଅନ୍ନ ଯୋଜନାରେ ୨କୋଟି ୮୮ଲକ୍ଷ ୩୭ହଜାର ୬୯ଜଣଙ୍କୁ ଖାଦ୍ୟଶସ୍ୟ, ୯୫.୧୯ଲକ୍ଷ ହିତାଧିକାରୀଙ୍କୁ ଡାଲି ଓ ଚଣା, ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟରେ ଯଥାକ୍ରମେ ୩ କୋଟି ୧୦ଲକ୍ଷ ୮୯ହଜାର ୯୬ଜଣ ଓ ୩.୦୮କୋଟି ହିତାଧିକାରୀ ସିଧାସଳଖ ଖାଦ୍ୟାନ୍ନ ପାଇଛନ୍ତି।
ସେହିପରି ପ୍ରଧାନମନ୍ତ୍ରୀ ଉଜ୍ୱଳା ଯୋଜନାରେ ୮୩ଲକ୍ଷ ୬୫ହଜାର ୭୬ଜଣ ହିତାଧିକାରୀଙ୍କୁ ୫୭୧.୭୦ କୋଟି ଟଙ୍କାର ଗ୍ୟାସ୍ ଭର୍ତ୍ତି ସହାୟତା ପ୍ରଦାନ କରାଯାଇଛି। ପ୍ରଧାନମନ୍ତ୍ରୀ କିଷାନ ଯୋଜନାରେ ୨୦.୦୩ଲକ୍ଷ ଚାଷୀଙ୍କୁ ସିଧାସଳଖ ଅର୍ଥ ସହାୟତା ମିଳିଥିବାବେଳେ ପ୍ରଧାନମନ୍ତ୍ରୀ ଜନଧନ ଯୋଜନାରେ ୮୧.୨୧ ଲକ୍ଷ ହିତାଧିକାରୀଙ୍କୁ କରୋନା ସହାୟତା ମିଳିଛି। ସେହିପରି ଜାତୀୟ ସାମାଜିକ ସହାୟତା କାର୍ଯ୍ୟକ୍ରମରେ ୨୦.୨୭ଲକ୍ଷ ହିତାଧିକାରୀଙ୍କୁ ଭତ୍ତା ଯୋଗାଇ ଦିଆଯାଇଥିବାବେଳେ କୋଠାବାଡ଼ି ଶ୍ରମିକ କଲ୍ୟାଣ ପାଣ୍ଠିରୁ ୨୦.୮୩ଲକ୍ଷ ହିତାଧିକାରୀଙ୍କୁ ୩୧୨.୪୯କୋଟି ଟଙ୍କାର ସହାୟତା ଦିଆଯାଇଛି । ସେହିପରି ଜିଲ୍ଲା ଖଣିଜ ପାଣ୍ଠିକୁ ୯୯.୪୯କୋଟି ଟଙ୍କା ସହାୟତା କେନ୍ଦ୍ର ସରକାର ଦେଇଥିବାବେଳେ ରାଜ୍ୟର ଘରୋଇ ସଂସ୍ଥାର କର୍ମଚାରୀଙ୍କ ଭବିଷ୍ୟ ପାଣ୍ଠିକୁ ୨୪ ପ୍ରତିଶତ ସହଯୋଗ ବାବଦରେ ୧.୬୨ଲକ୍ଷ କର୍ମଚାରୀଙ୍କୁ ଭବିଷ୍ୟ ପାଣ୍ଠିକୁ ଅନୁଦାନ କେନ୍ଦ୍ର ସରକାର ବହନ କରିଛନ୍ତି।
ଆଜି ଲୋକସଭାରେ କଳହାଣ୍ଡି ସାଂସଦ ବସନ୍ତ ପଣ୍ଡାଙ୍କ ଏକ ପ୍ରଶ୍ନର ଲିଖିତ ଉତ୍ତର ଦେଇ କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀ ପଙ୍କଜ ଚୌଧୁରୀ ଉପରୋକ୍ତ ସୂଚନା ଦେଇଛନ୍ତି।

Comments are closed.