ବୁର୍ଲା : ବର୍ତ୍ତମାନରେ କରୋନା ସ୍ତିତିର ମୁକାବିଲା କରିବା ପାଇଁ ସରକାରଙ୍କ ତରଫରୁ ଲକ ଡ଼ାଉନ ଘୋଷଣା କରାଯାଇଛି। ଏହି ସ୍ତିତିରେ ଯାନବାହନ, ଯାତ୍ରିବାହି ବସ୍ ଏବଂ ଟ୍ରେନ ଚଳାଚଳ ଉପରେ ବିରାମ ଲାଗି ଯାଇଛି। ଲକ୍ ଡ଼ାଉନ୍ ସ୍ତିତିରେ ଭିମସାରକୁ ଚିକିତ୍ସା ପାଇଁ ଆସୁଥିବା ଗରୀବ ରୋଗୀଙ୍କ ପ୍ରିୟଜନମାନେ ନିଜ ରୋଗୀଙ୍କ ସୁସ୍ଥ ହେବା ପରେ ଘରକୁ ନେବାରେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହି ଗରୀବ ରୋଗୀ ହଜାର ହଜାର ଟଙ୍କା ଖର୍ଚ୍ଚ କରି ଘରୋଇ ଆମ୍ବୁଲାନସ ନେବା ପାଇଁ ଅକ୍ଷମତା ପ୍ରକାଶ କରିଛନ୍ତି। ନା ଜିଲ୍ଲା ପ୍ରଶାସନ ନା ଭିମସାର କର୍ତ୍ତୃପକ୍ଷ ଏହି ଗରୀବ ରୋଗୀଙ୍କ ଘରକୁ ପ୍ରେରିତ କରିବାରେ କୌଣସି ରୁଚି ଦେଖାଉଛନ୍ତି। ଏହିପରି ଭାବରେ ବୁର୍ଲା ଭିମସାରର ମହିଳା ମେଡ଼ିସିନ ବିଭାଗର ୧୭୩ ନମ୍ବର ଶଯ୍ୟାରେ ପକ୍ଷାଘାତ ରୋଗରେ ପିଡ଼ୀତ ହୋଇ ଚିକିତ୍ସିତ ହେଉଥିବା ବରଗଡ଼ ଜିଲ୍ଲା ମହୁଲପାଲି ଗ୍ରାମର ୰ଚୁଡ଼ାମଣୀ ବରିହାଙ୍କ ସ୍ତ୍ରୀ କଳାବତି ବରିହା ଚିକିତ୍ସିତ ହେଉଥିଲେ। ତାଙ୍କୁ ଚିକିତ୍ସାରତ ଡ଼ାକ୍ତର ମେଡ଼ିକାଲରୁ ଡ଼ିସଚାର୍ଜ କରିବା ପରେ କଳାବତିଙ୍କ ଆତ୍ମୀୟ ସ୍ୱଜନ ଉଚ୍ଚମୁଲ୍ୟ ଦେଇ ଘରୋଇ ଆମ୍ବୁଲାନସ ଭଡ଼ାକରି ଘରକୁ ନେବା ପାଇଁ ଅକ୍ଷମତା ପ୍ରକାଶ କରିଥିଲେ। ଏହାପରେ ଏହି ଖବର କୌଣସି ମତେ ଭିମସାରର ସମାଜସେବୀ ବରିଷ୍ଠ ଆବାସିକ ଡ଼ାକ୍ତର ଶଙ୍କର ରାମଚନ୍ଦାନି ଅବଗତ ହେବା ପରେ ନିଜେ ହିଁ ରୋଗୀଙ୍କୁ ନିଜର ଡ଼୍ୟୁଟି ଶେଷ କରିବା ପରେ ଘରେ ଛାଡ଼ିବେ ବୋଲି ମନସ୍ଥ କରିଥିଲେ। ଏହାପରେ ନିଜର ମେଡ଼ିସିନ ବିଭାଗରେ ରାଉଣ୍ଡ ନେବା ପରେ ଉକ୍ତ ମହିଳା ପକ୍ଷାଘାତ ରୋଗୀ କଳାବତିଙ୍କ ତାଙ୍କର ସମ୍ପର୍କିୟଙ୍କ ସହିତ ବରଗଡ଼ ଜିଲ୍ଲା ମହୁଲପାଲିକୁ ନିଜ କାରରେ ନିଜେ ଛାଡ଼ିବାକୁ ନେଇଥିଲେ। ଉକ୍ତ ରୋଗୀଙ୍କ ଘରେ ମହିଳାଙ୍କୁ ରାତିରେ ଛାଡ଼ିଦେଇ ଔଷଧ ସମ୍ବନ୍ଧିୟ ତଥା କିପରି ଭାବରେ ଜୀବନଚର୍ଯ୍ୟା କରିବେ ପରାମର୍ଶ କରି ପୁନଃ ତାଙ୍କର କାର୍ଯ୍ୟସ୍ତଳକୁ ଫେରି ଆସିଛନ୍ତି। ଡ଼ାକ୍ତରଙ୍କ ଏତାଦୃଶ ମହତ କାର୍ଯ୍ୟ ତଥା ବଦାନତାକୁ ନେଇ ସ୍ତାନିୟ ମହଲରେ ପ୍ରଶଂସାର ସୁଅ ଛୁଟୁଛି।
ଭିମସାରର ବରିଷ୍ଠ ଆବାସିକ ଡ଼ାକ୍ତର ଶଙ୍କର ରାମଚନ୍ଦାନି ବିଭିନ୍ନ ସମୟରେ ରୋଗୀ, ସାଧାରଣ ଅସହାୟ ବ୍ୟକ୍ତିଙ୍କୁ ସହାୟତା ପ୍ରଦାନ କରିବା ଆସିବା ସହିତ ନିଜ ଦେଶପାଇଁ ଜୀବନ ଉତ୍ସର୍ଗୀକୃତ କରିଥିବା ଯବାନଙ୍କ ପରିବାରକୁ ନିଜର ଏକ ମାସର ଦରମା ଟଙ୍କା ପ୍ରଦାନ କରି ଚର୍ଚ୍ଚାକୁ ଆସିଥିଲେ। ଏହା ସହିତ ବର୍ତ୍ତମାନର କୋଭିଡ଼ ମକାବିଲା ପାଇଁ ନିଜର ଏକମାସର ଦରମା ମଧ୍ୟ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିକୁ ଦାନ କରିଛନ୍ତି।



