ବୁର୍ଲା: ସୁନ୍ଦରଗଡ଼ ସିଡ଼ିଏମଓଙ୍କ ନିଲମ୍ବନକୁ ବିରୋଧ କରି ଶୁକ୍ରବାର ବୁର୍ଲା ଭିମସାର ଡାକ୍ତରମାନେ ମିଳିତ ଭାବରେ ଏକ ଶାନ୍ତି ଶୋଭାଯାତ୍ରା କରିଛନ୍ତି। ଏହି ଶୋଭାଯାତ୍ରାରେ ଭିମସାରର କନିଷ୍ଠ ଡାକ୍ତରୀ ସଂଘ, ଓଡିଶା ମେଡିକାଲ ଶିକ୍ଷକ ସଂଘ, ହାଉସ ସର୍ଜନ, ୟୁଜି ଡାକ୍ତରୀ ଛାତ୍ରଛାତ୍ରୀ ସଂଘ ସାମିଲ ହୋଇଥିଲେ। ଶୋଭାଯାତ୍ରାଟି ମେଡିକାଲ କଲେଜ ପରିସରରୁ ବାହାରି ବୁର୍ଲା ନଗର ପରିକ୍ରମା କରିଥିଲେ ।
ମିଳିଥିବା ସୂଚନା ଅନୁଯାୟୀ, ଶୁକ୍ରବାର ୧୧ଟାରେ ଭିମ୍ସାରରେ କନିଷ୍ଠ ଡାକ୍ତର ସଂଘ, ଓଡିଶା ମେଡିକାଲ ଶିକ୍ଷକ ସଂଘ, ୟୁଜି ଛାତ୍ର ସଂଗଠନ ତରଫରୁ ଗୋଟିଏ ବିରାଟ ଶୋଭାଯାତ୍ରାର ଆୟୋଜନ କରାଯାଇଥିଲା। ସୁନ୍ଦରଗଡ ଜିଲ୍ଲା ସ୍ୱାସ୍ଥ୍ୟ ମୁଖ୍ୟ ଚିକିତ୍ସା ଅଧିକାରୀଙ୍କର ତରବରିଆ ନିଲମ୍ବନକୁ ବିରୋଧରେ ଏହି ଶୋଭାଯାତ୍ରା କରା ଯାଇଥିଲା। ସରକାରଙ୍କ ୫ଟି ଯୋଜନାକୁ ଏଠାରେ ସ୍ୱାଗତ କରା ଯାଇଥିଲା। ମାତ୍ର ସବୁ ଭିତ୍ତି ଭୂମିର ବିକାଶ ନ କରି ୫ଟି କାର୍ଯ୍ୟକାରୀ କରିବା ଦୂରଦର୍ଶିତାର ଅଭାବ ବୋଲି ଛାତ୍ରମାନେ କହିଛନ୍ତି। ଯଦି ସରକାର ସତରେ ରୋଗୀଙ୍କ ଲାଭ ଚାହୁଁଛନ୍ତି ତେବେ ପର୍ଯ୍ୟାପ୍ତ ବେଡ଼ ସାଙ୍ଗକୁ ଔଷଧପତ୍ର, ଡାକ୍ତର, ନର୍ସ ଓ ବାକି କର୍ମଚାରୀଙ୍କ ତୁରନ୍ତ ନିଯୁକ୍ତି କରାନ୍ତୁ। ଏହା ସହ ବୁର୍ଲା ମେଡିକାଲର ଏକ କିମି ଭିତରେ ଥିବା ପାଥୋ ଲେବ ଓ ନର୍ସିଂହୋମଗୁଡିକୁ ବନ୍ଦ କରାଯାଉ ବୋଲି ଦାବି କରାଯାଇଛି।
ସୂଚନାଯୋଗ୍ୟ, ସୁନ୍ଦରଗଡ଼ ଜିଲା ଡାକ୍ତରଖାନକୁ ଗତ ୧୩ ତାରିଖ ଦିନ ୫ଟି ଯୋଜନାରେ ସଚିବ ଭିକେ ପାଣ୍ଡିଆନଙ୍କ ଗସ୍ତରେ ଆସିଥିଲେ। ଏହି ସମୟରେ ସ୍ବାସ୍ଥ୍ୟସେବାରେ ବ୍ୟତିକ୍ରମ ଅଭିଯୋଗ ହେବା ପରେ ସୁନ୍ଦରଗଡ଼ ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀଙ୍କୁ ନିଲମ୍ବନ କରିଥିଲେ।



