ନୂଆଦିଲ୍ଲୀ : ୨୦୧୯-୨୦ ଆର୍ଥିକବର୍ଷ ପାଇଁ ଆସନ୍ତା ଫେବୃଆରୀ ପହିଲାରେ କେନ୍ଦ୍ର ସରକାର ବଜେଟ୍ ଉପସ୍ଥାପନ କରିବାକୁ ଯାଉଛନ୍ତି। ଚଳିତବର୍ଷ ଏପ୍ରିଲରେ ଦେଶରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଥିବା ଦୃଷ୍ଟିରୁ ଏହାକୁ ଏକ ଅନ୍ତରୀଣ ବଜେଟ୍ କୁହାଯାଇପାରିବ। ନିର୍ବାଚନ ପୂର୍ବରୁ ଏନ୍ଡିଏ ନେତୃୃତ୍ୱାଧୀନ ବିଜେପିର ଏହା ହେଉଛି ଶେଷ ବଜେଟ୍। ଏହାଛଡା ଅର୍ଥମନ୍ତ୍ରୀ ଜେଟ୍ଲୀଙ୍କର ଏହା ହେବ କ୍ରମାଗତ ଭାବେ ଷଷ୍ଠ ବଜେଟ୍। ତେବେ ସଂସଦର ବଜେଟ୍ ଅଧିବେଶନ ଚଳିତମାସ ୩୧ରୁ ଆରମ୍ଭ ହେବାକୁ ଯାଉଛି।
ବୁଧବାର ଅନୁଷ୍ଠିତ ସଂସଦୀୟ ବ୍ୟାପାର କ୍ୟାବିନେଟ୍ କମିଟି (ସିସିପିଏ) ବୈଠକରେ ବଜେଟ୍ ଅଧିବେଶନ ଲାଗି ଦିନ ଧାର୍ଯ୍ୟ କରାଯାଇଛି। ବଜେଟ୍ ଅଧିବେଶନ ଚଳିତମାସ ୩୧ରୁ ଫେବୃଆରୀ ୧୩ ଯାଏ ଚାଲିବ। ଅର୍ଥମନ୍ତ୍ରୀ ଫେବୃଆରୀ ପହିଲାରେ ସଂସଦରେ ବଜେଟ୍ ଉପସ୍ଥାପନ କରିବା ସମ୍ଭାବନା ରହିଛି। ଗତବର୍ଷ ଅକ୍ଟୋବରରେ ଅର୍ଥ ମନ୍ତ୍ରାଳୟ ୨୦୧୯-୨୦ ଆର୍ଥିକବର୍ଷ ଲାଗି ବଜେଟ୍ ଆଲୋଚନା ଆରମ୍ଭ ହୋଇଛି। ଏଥିରେ ଅର୍ଥ ମନ୍ତ୍ରାଳୟ ଆଗାମୀ ବଜେଟ୍ ସମ୍ପର୍କରେ ଇସ୍ପାତ, ଶକ୍ତି, ଗୃହ ଏବଂ ସହରାଞ୍ଚଳ ବିକାଶ ଆଦି ମନ୍ତ୍ରାଳୟ ସହ ଆଲୋଚନା କରିଛି। ନିର୍ବାଚନ ବର୍ଷ ହୋଇଥିବାରୁ ସରକାର ପ୍ରଚଳିତ ବିଧି ଅନୁଯାୟୀ ବଜେଟ ଉପସ୍ଥାପନ ପରେ ଗୃହରେ ଲେଖାନୁଦାନ ଗୃହୀତ କରାଇବେ। ନିର୍ବାଚନ ଥିବାରୁ ବର୍ତ୍ତମାନର ସରକାର ଏକ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରିପାରିବେନାହିଁ। ଏହି ଅନ୍ତରୀଣ ବଜେଟ୍କୁ ସଂସଦର ଉଭୟ ଗୃହରେ ଉପସ୍ଥାପନ କରାଯିବ। ଦ୍ୱିତୀୟବାର କ୍ଷମତାକୁ ଆସିବାକୁ ଚାହୁଁଥିବା ମୋଦୀ ସରକାରଙ୍କ ପାଇଁ ଏହି ବଜେଟ୍ ଏକ ସୁଯୋଗ ହେବ। ନୂଆ ସରକାର ଆସିବା ପରେ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ ହେବ।
୩୧ରୁ ବଜେଟ୍ ଅଧିବେଶନ ; ଫେବୃଆରୀ ୧ରେ ବଜେଟ୍
Popular Categories



