ଭୁବନେଶ୍ବର: ବି.ଏସ୍ସି ନର୍ସିଂ (ସ୍ନାତକ ସେବିକା) ପାଠ୍ୟକ୍ରମରେ ନାମଲେଖାଇବାକୁ ହେଲେ ଏଣିକି ଛାତ୍ରଛାତ୍ରୀଙ୍କୁ ଜାତୀୟ ଯୋଗ୍ୟତା ତଥା ପ୍ରବେଶିକା ପରୀକ୍ଷା(ନିଟ୍) ଦେବାକୁ ପଡିବ। ଏନେଇ କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ପକ୍ଷରୁ ନିଷ୍ପତ୍ତି ନିଆଯାଇ ଥିବାବେଳେ ଜାତୀୟ ପରୀକ୍ଷଣ ସଂସ୍ଥା (ଏନ୍ଟିଏ) ପକ୍ଷରୁ ଉଭୟ ସ୍ନାତକ ଏମ୍ବିବିଏସ୍ ଏବଂ ବିଏସ୍ସି ନର୍ସିଂ ପଞ୍ଜୀକରଣ ତାରିଖକୁ ଅଗଷ୍ଟ ୧୦ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଆଗ୍ରହୀ ଛାତ୍ରଛାତ୍ରୀ ଏହାରି ଭିତରେ ଆବେଦନ କରିବାକୁ ଏନ୍ଟିଏ ପକ୍ଷରୁ ଏ ସଂକ୍ରାନ୍ତରେ ବିଜ୍ଞପ୍ତି ପ୍ରକାଶ ପାଇଛି। ନିଟ୍ ପରୀକ୍ଷା ଫଳ ଆଧାରରେ ଛାତ୍ରଛାତ୍ରୀଙ୍କୁ ବି.ଏସ୍ସି ନର୍ସିଂରେ ନାମଲେଖାଇବା ପାଇଁ ସ୍ଥାନ(ସିଟ୍) ମିଳିବ। ବି.ଏସସି ନର୍ସିଂ ପାଇଁ ଛାତ୍ରଛାତ୍ରୀଙ୍କ ସର୍ବନିମ୍ନ ବୟସ ୧୭ ବର୍ଷ ହୋଇଥିବା ଦରକାର। ଯୁକ୍ତ-୨ ପରୀକ୍ଷାରେ ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ, ଜୀବ ବିଜ୍ଞାନ ଏବଂ ଇଂରାଜୀ ବିଷୟ ରଖି ଉତ୍ତୀର୍ଣ୍ଣ ହୋଇଥିବେ।
ଉପରୋକ୍ତ ବିଷୟଗୁଡିକରେ ସର୍ବନିମ୍ନ ୪୫ ପ୍ରତିଶତ ଅଙ୍କ (ମାର୍କ) ରଖିଥିବେ। ଯେଉଁ ଛାତ୍ରଛାତ୍ରୀ ରାଜ୍ୟ ସରକାରଙ୍କ ଦ୍ୱାରା ସ୍ୱୀକୃତିପ୍ରାପ୍ତ ମୁକ୍ତ ବିଦ୍ୟାଳୟ, ଜାତୀୟ ମୁକ୍ତ ବିଦ୍ୟାଳୟ ପ୍ରତିଷ୍ଠାନରୁ ବିଜ୍ଞାନ ଓ ଇଂରାଜୀ ବିଷୟ ରଖି ଦ୍ୱାଦଶ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିବେ ସେମାନେ ଆବେଦନ କରିପାରିବେ। ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କ ପାଇଁ ୩ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ଥିବାବେଳେ ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି ଏବଂ ଆର୍ଥିକ କ୍ଷେତ୍ରରେ ପଛୁଆବର୍ଗ ବିଦ୍ୟାର୍ଥୀ ଆବେଦନ କରିବାକୁ ହେଲେ ଯୁକ୍ତଦୁଇରେ ଇଂରାଜି ବାଧ୍ୟତାମୂଳକ ବିଷୟ ରହିଥିବା ଦରକାର। ଛାତ୍ରଛାତ୍ରୀ ଅଧିକ ଜାଣିବା ପାଇଁ ୱେବସାଇଟ୍ (www.neet.nta.nic.in/ nta.ac.in)କୁ ଲଗଇନ୍ କରି ଦେଖିବାକୁ କୁହାଯାଇଛି। ସୂଚନାଯୋଗ୍ୟ, ସେପ୍ଟେମ୍ବର ୧୨ରେ ନିଟ୍ ପରୀକ୍ଷା ସାରା ଦେଶରେ ଅନୁଷ୍ଠିତ ହେବ। ଏଥିନିମନ୍ତେ ଏନ୍ଟିଏ ପକ୍ଷରୁ ବ୍ୟବସ୍ଥା କରାଯାଉଛି। କରୋନା କଟକଣାରେ ପରୀକ୍ଷା କରିବା ନିମନ୍ତେ କେନ୍ଦ୍ର ଓ ସହର ସଂଖ୍ୟା ବୃଦ୍ଧି ହୋଇଛି।



