ସମାଜ ଡିଜିଟାଲ ଡେସ୍କ: କିଛି ସମୟ ମଧ୍ୟରେ ମୁମ୍ବଇ ବିମାନବନ୍ଦରରେ ହେବ ଜୋରଦାର ଧମାକା । ଏନେଇ ପୁଲିସକୁ ଏକ ଧମକପୂର୍ଣ୍ଣ କଲ୍ ଆସିଥିବା ସୂଚନା ମିଳିଛି । ମୁମ୍ବଇ ପୁଲିସ କଣ୍ଟ୍ରୋଲ ରୁମକୁ ଆସିଥିବା ଅଜଣା କଲକୁ ନେଇ ଲୋକଙ୍କ ମନରେ ଛନକା ପଶିଛି । ମୁମ୍ବଇ ପୁଲିସକୁ ଏଭଳି ଧମକପୂର୍ଣ୍ଣ କଲ ଆସିବା ପରେ ତୁରନ୍ତ ଏୟାରପୋର୍ଟକୁ ଆଲର୍ଟ କରାଯାଇଛି । ଏୟାରପୋର୍ଟରେ ପୁଲିସ ଅଧିକାରୀ ବୋମା ନିଷ୍କ୍ରିୟ ଟିମ୍ ସହିତ ପହଞ୍ଚି ଯାଞ୍ଚ କରିଛନ୍ତି । ଘଣ୍ଟା ଘଣ୍ଟା ପର୍ଯ୍ୟନ୍ତ ଯାଞ୍ଚ କରିବା ପରେ ମଧ୍ୟ କିଛି ସନ୍ଦିଗ୍ଦ ଜିନିଷ ମିଳିନଥିଲା ।
ତେବେ ପୁଲିସ ଅଧିକାରୀଙ୍କ କହିବା କଥା ବିଳମ୍ବିତ ରାତିରେ ତିନି ଥର ଅଜଣା କଲ ଆସିଥିଲା, ଯେଉଁଥିରେ କୁହାଯାଇଥିଲା ଯେ ଏୟାରପୋର୍ଟ ଟର୍ମିନାଲ-୨ରେ ବୋମା ବିସ୍ଫୋରଣ ହେବା ନେଇ ଧମକ ଦିଆଯାଇଥିଲା । ସୂଚନା ମିଳିବା ମାତ୍ରେ ସାଙ୍ଗେ ସାଙ୍ଗେ ପୁଲିସ ଅଧିକାରୀ ଓ ବୋମା ସ୍କ୍ୱାର୍ଡ ପହଞ୍ଚି ଯାଞ୍ଚ କରିଥିଲେ । କିନ୍ତୁ କିଛି ବି ମିଳିନଥିଲା । ପ୍ରାଥମିକ ତଦନ୍ତରୁ ପୁଲିସ ଜାଣିବାକୁ ପାଇଛି କି ଏହି ଧମକପୂର୍ଣ୍ଣ କଲଟି ପଶ୍ଚିମବଙ୍ଗ ମୋବାଇଲ ନମ୍ବରରୁ ଆସିଛି । ଏହାର ଯାଞ୍ଚ ଆରମ୍ଭ ହୋଇଛି ।



