www.samajalive.in
Monday, December 8, 2025
20.1 C
Bhubaneswar

ଭିକ ମାଗୁଥିବା ଜଣେ ସୁମତିଙ୍କ କାହାଣୀ: ଶୁଦ୍ଧି ପାଇଁ ବନ୍ଧା ପଡ଼ିଛି ‘ଆବାସ’

ବଲାଙ୍ଗିର: ‘ବାବୁମାନେ କିଛି ଦିଅ। ପୁଅ ମରି ଯାଇଛି। ତା’ ମଲା ପରେ ପାଖରେ ଟଙ୍କାଟିଏ ନାହିଁ। ଖାଇବାକୁ ବି ପାଖରେ କିଛି ନାହିଁ। ଆଗରୁ ଯାହା ଥିଲା ପୁଅର ଚିକିତ୍ସାରେ ଖର୍ଚ୍ଚ କରି ଦେଇଥିଲି। ତା’ର ଶୁଦ୍ଧିକ୍ରିୟା ପାଇଁ ଅଭାବ ପଡ଼ିଲା। ସରକାର ଦେଇଥିବା ଆବାସକୁ ୧ ଲକ୍ଷ ଟଙ୍କାରେ ବନ୍ଧା ପକାଇ ପୁଅର ଶେଷକୃତ୍ୟ ଓ ଶୁଦ୍ଧିକ୍ରିୟା କରିଛି। ପାଖରେ ଆଉ କିଛି ନାହିଁ…ଭିକ୍ଷା ମାଗି ଚଳୁଛି ବାବୁ….।’

ରବିବାର ସକାଳ ପ୍ରାୟ ୮ଟା। ବଲାଙ୍ଗିର ସରକାରୀ ବସ୍‌ଷ୍ଟାଣ୍ଡରୁ ଗାଡ଼ି ସହ ଯାତ୍ରୀଙ୍କ ଆତଯାତର ଗହଳି ଆରମ୍ଭ ହୋଇନଥିଲେ ବି ଶୀତ ଛାଡ଼ି ନଥିଲା। ବସ୍‌ଷ୍ଟାଣ୍ଡ ମୁଖ୍ୟ ରାସ୍ତା କଡ଼ ଖବରକାଗଜ ବିକ୍ରୟ କେନ୍ଦ୍ରରେ ଜମିଥିଲା ସାମ୍ବାଦିକଙ୍କ ସ୍ବାଭାବିକ ଭିଡ଼। ହଠାତ୍‌ ଜଣେ ଜରାଜୀର୍ଣ୍ଣ ବୃଦ୍ଧା ପହଞ୍ଚି ଏକା ରାହାରେ କହିଗଲେ। ତାଙ୍କ ନାଁ ସୁମତି ବିଶି(୭୫), ଘର ବଲାଙ୍ଗିର ପୌରାଞ୍ଚଳ ୧୮ ନମ୍ବର ୱାର୍ଡ ତୁଳସୀନଗରରେ। ସ୍ବର୍ଗତ ବିରଞ୍ଚି ବିଶିଙ୍କ ପତ୍ନୀ ସୁମତି ଏକମାତ୍ର ପୁଅ ସୁମନ୍ତ ବିଶି (୫୦) ଓ ବୋହୂ ସାବିତ୍ରୀ ସହ ରହୁଥିଲେ। ସୁମନ୍ତଙ୍କ ୨ ପୁଅ ଅଜୁ ଓ ବିଜୁ। ଶ୍ରମିକ ଭାବେ କାମ କରି ପରିବାର ଗୁଜୁରାଣ ମେଣ୍ଟାଉଥିବା ସୁମନ୍ତଙ୍କ ପତ୍ନୀ ସାବିତ୍ରୀ ପ୍ରାୟ ୧୦ ବର୍ଷ ତଳେ ପରିବାର ଛାଡ଼ି ଅନ୍ୟତ୍ର ଚାଲି ଯାଇଥିଲେ। ତାଙ୍କର କାଳେ ମୃତ୍ୟୁ ହୋଇ ସାରିଥିବା ସୁମତି କହୁଥିଲେ। ପୁଅ ବିରଞ୍ଚି ୪ ମାସ ତଳେ ଦୁର୍ଘଟଣାଗ୍ରସ୍ତ ହୋଇ ଦୀର୍ଘ ଦିନ ଜିଲା ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସିତ ହୋଇଥିଲେ। ତାଙ୍କର ଡାହାଣ ଗୋଡ଼ କାଟିବାକୁ ପଡ଼ିଥିଲା। ସୁସ୍ଥ ହେବାପରେ ତାଙ୍କୁ କୃତ୍ରିମ ଗୋଡ଼ ଓ ଆଶାବାଡ଼ି ଯୋଗାଇ ଦେବାକୁ ଡାକ୍ତରଖାନା ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଥିଲା; ତେବେ ଗତ ଅକ୍ଟୋବର ୧୭ରେ ପୁନର୍ବାର ଅସୁସ୍ଥତାରୁ ଚିକିତ୍ସାଧୀନ ଅବସ୍ଥାରେ ସୁମନ୍ତଙ୍କ ମୃତ୍ୟୁ ହୋଇଯାଇଥିଲା। ଯେଉଁଠୁ ଯେମିତି ଯୋଗାଡ଼ କରି ପୁଅର ଚିକିତ୍ସା ଖର୍ଚ୍ଚ ତୁଲାଇଥିଲେ ସେ।

- Advertisement -

ମୃତଦେହ ଘରକୁ ଆଣିବା ପାଇଁ ବି ଅର୍ଥ ନଥିଲା; ତେବେ ବଡ଼ କଷ୍ଟରେ ଘରକୁ ଆଣି ଶେଷକୃତ୍ୟ କରିଥିଲେ। ଶୁଦ୍ଧିକ୍ରିୟା ପାଇଁ ଟଙ୍କା ଯୋଗାଡ଼ ହୋଇ ନ ପାରିବାରୁ ବାଧ୍ୟ ହୋଇ ରହୁଥିବା ‘ଆବାସ’ ଘରକୁ ୧ ଲକ୍ଷ ଟଙ୍କାରେ ବନ୍ଧା ପକାଇ ଦେଇଥିଲେ। ପୁଅର ମୃତ୍ୟୁ ପରେ ତାମିଲନାଡୁରେ ଦାଦନ ଶ୍ରମିକ ଭାବେ କାମ କରୁଥିବା ସାନପୁଅ ଘରେ ପହଞ୍ଚିଛି। ମିଳୁଥିବା ୧ହଜାର ଟଙ୍କା ବାର୍ଦ୍ଧକ୍ୟ ଭତ୍ତା ଓ ୫ କେଜି ଚାଉଳରେ ମାସେ ଚଳିବା ଅସମ୍ଭବ ହେଉଛି। ବାଧ୍ୟ ହୋଇ ସେ ସହରରେ ବୁଲି ବୁଲି ଭିକ୍ଷା ମାଗୁଛନ୍ତି ବୋଲି ବୃଦ୍ଧା ସୁମତି କୋହଭରା କଣ୍ଠରେ କହିଥିଲେ। ପୁଅ ମୃତ୍ୟୁ ପରେ ହରିଶ୍ଚନ୍ଦ୍ର ଯୋଜନାରେ ମିଳିବାକୁ ଥିବା ସହାୟତା ମଧ୍ୟ ଏଯାଏଁ ମିଳି ନାହିଁ ବୋଲି ସୁମତି କହିଥିଲେ। ଏନେଇ ବଲାଙ୍ଗିର ୧୮ ନମ୍ବର ୱାର୍ଡ କାଉନସିଲର୍‌ ଗଙ୍ଗାଧର ଚାନ୍ଦଙ୍କୁ ଯୋଗାଯୋଗ କରିବାରେ ସୁମନ୍ତଙ୍କ ପରିବାରକୁ ହରିଶ୍ଚନ୍ଦ୍ର ଯୋଜନାରେ ସହାୟତା ଯୋଗାଇ ଦେବା ପ୍ରକ୍ରିୟା ଚାଲିଛି। ଦିନେ ଦି ଦିନ ମଧ୍ୟରେ ଏହି ସହାୟତା ରାଶି ପ୍ରଦାନ କରାଯିବ ବୋଲି ସେ କହିଥିଲେ।

ସ୍ବାମୀ ଚାଲିଗଲେ, ବୋହୂ ବି ଗଲେ। ଆଶା ବାଡ଼ି ସାଜିଥିବା ପୁଅ ଯନ୍ତ୍ରଣା ଜର୍ଜରିତ ହୋଇ ଆଖି ବୁଜିଲା। ବିଚରା ସୁମତି ବେସାହାରା ହୋଇଗଲେ। ଯେଉଁ ଆବାସ ଘରଟିରେ ମୁଣ୍ଡ ଗୁଞ୍ଜୁଥିଲେ ତାର ଭବିଷ୍ୟତ ବି ଅନିଶ୍ଚିତ। ଏ ହେଉଛି ଭାତ ହାଣ୍ଡିରୁ ଗୋଟିଏ ପରଖିବା ପରି ସହରର ଗହଳି ମଧ୍ୟରେ ଅନେକ ସୁମତି ମଧ୍ୟରୁ ଜଣେ ସୁମତିଙ୍କ କାହାଣୀ।

Hot this week

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

Related Articles

Popular Categories