ବଲାଙ୍ଗିର: ବ୍ୟସ୍ତ ସହର। ଫଟାଫଟ୍ ଜୀବନ। ଏ ଜୀବନର ଭିଡ ଭିତରେ କିଛି ମଣିଷ ଅଲୋଡା ହୋଇ ରହିଯାଆନ୍ତି। ନିଜ ଲୋକଙ୍କଠାରୁ ଆରମ୍ଭ କରି ସମାଜରେ ବାରମ୍ବାର ଅଣଦେଖାର ଶିକାର ହୁଅନ୍ତି। କିଏ ଦୁଃଖ ଦେଖି ଦୟା କରେ। ଆହା… କହି ହାତକୁ କିଛି ଟଙ୍କା ନହେଲେ ପନିପରିବା ଦେଇ ଦିଅନ୍ତି। ସେଥିରେ କଟିଯାଏ ଦିନ ରାତି। କେତେବେଳେ ଭୋକରେ ଶୋଇବାକୁ ହୁଏ। ପୁଣି କେତେବେଳେ ଦୁଇ ମୁଠା ଖାଇ ସେମାନେ ଜିଇଁ ଯାଆନ୍ତି। ଜୀବନର ସମୟ ଗାଡିକୁ ଗଡେଇ ନିଅନ୍ତି। ଗୁରୁବାର ପଶ୍ଚିମ ଓଡ଼ିଶାର ମହାନ ଗଣପର୍ବ ନୂଆଁଖାଇ। ପିଠାପଣାରେ ଘର ଦୁଆର ମହକି ଯାଉଛି। ପରିବାର ଲୋକେ ଏକାଠି ହେଉଛନ୍ତି, ନୂଆ ଡ୍ରେସ ପିନ୍ଧୁଛନ୍ତି। ହସ ଗୀତର ଆସର ଜମୁଛି। ଅନେକେ ଧୂମଧାମରେ ନୂଆଁଖାଇ ପାଳୁଛନ୍ତି। କିନ୍ତୁ ବଲାଙ୍ଗିର ସହରର ରେଳ ଷ୍ଟେସନ ରାସ୍ତାରେ ରହୁଥିବା ବେଡା ପୁଟେଲ ଓ କୁନ୍ତି ପୁଟେଲଙ୍କ ଜୀବନ ଏସବୁଠୁ ଯୋଜନ ଯୋଜନ ଦୂରରେ। ଭିକ ମୁଠାଏକୁ ସେମାନେ ଅନେଇଥାନ୍ତି। ଭିକ ଟଙ୍କାରେ ପେଟକୁ ଦାନା ଯୋଗାଡ କରନ୍ତି। ଭୋକର ଭରଣା ହୁଏ। ଆଉ ନୂଆଁଖାଇ ଅବା ଅନ୍ୟ ପାର୍ବଣ ସେମାନଙ୍କ ପାଇଁ ସାତ ସପନ।
ତିନି ଚକିଆ ସାଇକେଲ। ଏଥିରେ ଜଣେ ବୟସ୍କ ବ୍ୟକ୍ତି ବସିଥିବା ବେଳେ ପଛରୁ ଠେଲି ଠେଲି ଜଣେ ମହିଳା ବଲାଙ୍ଗିର ସହରର ବିଭିନ୍ନ ଅଞ୍ଚଳ ବୁଲୁଥାନ୍ତି। ଦୋକାନ, ବଜାର ସହ ରାସ୍ତାରେ ଯା’ଆସ କରୁଥିବା ଲୋକଙ୍କୁ ହାତ ପତାଇ ଭିକ ମାଗନ୍ତି। କିଏ ଖାଇବାକୁ ଜଳଖିଆ ଦେଲେ ଖାଇ ଦିଅନ୍ତି। କିଛି ପନି ପରିବା ଦୋକାନୀ ପନି ପରିବା ବି ବଢେଇ ଦିଅନ୍ତି। ବ୍ୟାଗରେ ତାକୁ ମହିଳା ଜଣଙ୍କ ଭରନ୍ତି। ଖରା, ବର୍ଷା ହେଉ ଅବା ଶୀତ…ସେମାନେ ଭିକ ମାଗିବା ଭୁଲନ୍ତି ନାହିଁ। ଆଜି ଏ ପଡ଼ା ତ କାଲି ସେ ପଡ଼ା ଯାଆନ୍ତି। ଏଭଳି ୨ଜଣ ଚରିତ୍ରଙ୍କୁ ଅନେକେ ଦେଖନ୍ତି। ପିଛିଲା କଥା ଭାବି ଭୁଲି ବି ଯାଆନ୍ତି। ତେବେ କରୋନାର ୨ ବର୍ଷ କଟକଣା ପରେ ନୂଆଁଖାଇ ପାଳନ ହେଉଥିବାରୁ ଗାଁରୁ ସହର ସବୁଠି ନୂଆ ଆଗ୍ରହ ଓ ଆନନ୍ଦ। ତେବେ ୩ ଚକିଆ ସାଇକେଲରେ ଭିକ ମାଗି ବୁଲୁଥିବା ବୟସ୍କ ବ୍ୟକ୍ତି ଓ ମହିଳା ଗୁରୁବାର କେମିତି ନୂଆଁ ଖାଇଲେ? ସେମାନେ ବି ଯାଇଥିବେ ଘରକୁ? ପରିବାର ଲୋକଙ୍କ ସହ ମିଶି ନିଶ୍ଚୟ ନୂଆଁ ଖାଇଥିବେ? ଏଭଳି ଅନେକ ପ୍ରଶ୍ନ ମନକୁ ଆସିବା ସ୍ୱାଭାବିକ। ଖୋଜି ଖୋଜି ସେମାନଙ୍କ ବଲାଙ୍ଗିର ରେଳ ଷ୍ଟେସନ ଠିକଣା ମିଳି ଯାଇଥିଲା। ଆଉ ଠିକଣାରେ ପହଞ୍ଚିବା ବେଳକୁ ମୁଣ୍ଡ ଉପରେ ଉଦ୍ଉଦିଆ ଖରା। ଷ୍ଟେସନ ରାସ୍ତାରେ ଥିବା ଏକ ଘରୋଇ ନର୍ସିଂହୋମ ସମ୍ମୁଖରେ ପଲିଥିନ ଘୋଡା ଯାଇଥିବା କୁଡିଆ ଘର। ପବନ, ବର୍ଷାରେ ପଲିଥିନ୍ ଉଡି ନଯିବା ପାଇଁ କିଛି ବାଉଁଶ, ବାଡି ଓ ପଥର ଲଦି ଦିଆଯାଇଛି। କୁଡିଆ ସମ୍ମୁଖରେ ତିନି ଚକିଆ ସାଇକେଲ।
ରାସ୍ତାକୁ ଲାଗିଥିବା ପଲିଥିନ୍ କୁଡିଆ ଘର ସମ୍ମୁଖରେ ପରିଚିତ ମହିଳା(ତିନି ଚକିଆ ସାଇକେଲ ଠେଲି ଠେଲି ନେଉଥିବା)ଙ୍କ ସହ ଦେଖାହେଲା। ତାଙ୍କ ନାଁ କୁନ୍ତି ପୁଟେଲ। କୁନ୍ତି ଅସ୍ଥାୟୀ ଚୁଲିରେ ଜାଳ ଲଗାଇ ଭାତ ବସାଇଥିଲେ। ମୁଗ ଡାଲି କରିବେ, ତେଣୁ ଡାଲିରୁ ଗୋଡି ବାଛୁଥିଲେ। ନୂଆଁଖାଇରେ କ’ଣ ସ୍ୱତନ୍ତ୍ର କରୁଛ ବୋଲି କୁନ୍ତିଙ୍କୁ ପଚାରିବାରୁ ମୁଗ ଡାଲି ଓ ଭଜା କରି ୨ଜଣ ଖାଇଦେବୁ କହିଥିଲେ। ପକ୍ଷାଘାତରେ ଆକ୍ରାନ୍ତ ବୟସ୍କ ବ୍ୟକ୍ତି (କୁନ୍ତିଙ୍କ ସ୍ୱାମୀ) କୁଡ଼ିଆ ଭିତରେ ଥିଲେ। ତାଙ୍କ ନାଁ ବେଡା ପୁଟେଲ। ମୁରିବାହାଲ ବ୍ଲକ ହଲଦୀ ଗାଁର ମୂଳବାସିନ୍ଦା। ସେମାନଙ୍କର ଗୋଟିଏ ପୁଅ ଓ ଝିଅ। ପୁଅ ହେଲ୍ପରି କାମ କରୁଥିବା ବେଳେ ଝିଅକୁ ବାହା ଦେଇ ସାରିଛନ୍ତି। ଦୀର୍ଘ ବର୍ଷ ହେଲା ସେମାନେ ଷ୍ଟେସନ ରାସ୍ତାର ଗଛ ତଳେ ଜୀବନ ବିତାଉଥିଲେ। ମୁଣ୍ଡ ଗୁଞ୍ଜିବା ପାଇଁ ନଥିଲା ଛାଉଣୀ। ସକାଳ ହେଲେ ସେମାନେ ଭିକ ମାଗିବାକୁ ବାହାରି ଯାଆନ୍ତି। ଫେରିବା ସମୟର କିଛି ଠିକ ଠକଣା ନଥାଏ। କିଛି ଖାଇବା ଜିନିଷ ମିଳିଯାଏ, ତା’ହେଲେ ସେମାନେ ଖାଇଦେଇ ଚଳିଯାଆନ୍ତି। ପୁଅ-ଝିଅ କେହି ପଚାରୁ ନାହାନ୍ତି। ଭିକର ଭରସା ନାହିଁ। କେବେ ୫୦ ପୁଣି କେବେ ୨ଶହରୁ ୩ଶହ ହୁଏ। ସେଥିରେ ସେ ଓ ପତ୍ନୀ କୁନ୍ତି ଜିଇଁ ଯାଆନ୍ତି ବୋଲି ପକ୍ଷାଘାତର ଶିକାର ବେଡା କୁହନ୍ତି। ପକ୍ଷାଘାତ ପାଇଁ ଦୁଇ ଗୋଡ ଫୁଲିଗଲାଣି। ଡାହାଣ ହାତ ବି ଅଚଳ। ତିନି ଚକିଆ ସାଇକେଲ ବୁଲେଇ ପାରୁ ନାହାନ୍ତି। ଭୀମ ଭୋଇ ଡାକ୍ତରଖାନାରୁ ଔଷଧ ଖାଉଛନ୍ତି। କିଛି କାମ ଦେଉନି। ତେଣୁ ପତ୍ନୀ କୁନ୍ତି ହିଁ ତାଙ୍କ ସାହା ଭରସା।
ତାଙ୍କୁ ଗାଧୋଇ ଦେବାଠାରୁ ଶୌଚ କରାଇବା ଯାଏ ସବୁ ବୁଝନ୍ତି। ତେବେ ସରକାରୀ ସହାୟତା କହିଲେ ୭ଶହ ଟଙ୍କାର ବାର୍ଦ୍ଧକ୍ୟ ଭତ୍ତା ବେଡା ପାଆନ୍ତି। ସରକାରୀ ଚାଉଳ ମିଳୁଥିଲା। ଚାଉଳ ଆଣିବାକୁ ଦୂରକୁ ଯିବାକୁ ହୁଏ। ରିକ୍ସାରେ ଗଲେ ୨ଶହ ଟଙ୍କା ଖର୍ଚ୍ଚ। ତେଣୁ ସେମାନେ ଚାଉଳ ଆଣି ଯାଇ ପାରୁ ନଥିବା କୁନ୍ତି କହନ୍ତି। ନୂଆଁଖାଇ ପାଳିବନି କି ବୋଲି ପଚାରିବାରୁ ଗାଁରେ ନିଜର ଜମି ବାଡି କିଛି ନାହିଁ। ଦାଦା, କାକା କି ସଂପର୍କୀୟମାନେ କେହି ପଚାରୁ ନାହାନ୍ତି। ଆମ ପାଇଁ ନୂଆଁଖାଇ କି ପୂଜା ପର୍ବର କିଛି ମୂଲ୍ୟ ନାହିଁ ବୋଲି ମତ ଦିଅନ୍ତି ବେଡା। ସୂଚନାଯୋଗ୍ୟ ଯେ, ପୂର୍ବରୁ ଷ୍ଟେସନ ନିକଟ ଗଛ ତଳେ ରହୁଥିଲେ। କରୋନା ଯୋଗୁଁ ସେଠାରୁ ସେମାନଙ୍କୁ ହଟେଇ ଦିଆଗଲା। ଷ୍ଟେସନ ଛକର କିଛି ବଦାନ୍ୟ ବ୍ୟକ୍ତି ସେମାନଙ୍କୁ ସହାୟ ହେଲେ। ସେଠାରେ ପଲିଥିନ କୁଡ଼ିଆ କରି ସେମାନେ ନିଜ ଢଙ୍ଗରେ ଜୀବନକୁ ଚଳାଇ ନେଉଛନ୍ତି।



