ପିପିଲି: ମମିତା ମେହେର ହତ୍ୟା ମାମଲାରେ ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପ୍ଟେନ ଦିବ୍ୟଶଙ୍କର ମିଶ୍ରଙ୍କୁ ମନ୍ତ୍ରୀମଣ୍ଡଳରୁ ବହିଷ୍କାର ଦାବିରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ସୋମବାର ପିପିଲିରେ ବିକ୍ଷୋଭ ଶୋଭାଯାତ୍ରା ସହ ଧାରଣା ଦିଆଯାଇଥିଲା।
ପୁରୀ ଜିଲା ବିଜେପି ସଭାପତି ଆଶ୍ରୀତ ପଟ୍ଟନାୟକଙ୍କ ନେତୃତ୍ୱରେ ଶତାଧିକ ସଂଖ୍ୟାରେ ଦଳୀୟ କର୍ମୀ ଓ ସମର୍ଥକମାନେ ପିପିଲି ପେଟ୍ରୋଲ ଟାଙ୍କି ଛକଠାରୁ ଏକ ଶୋଭାଯାତ୍ରାରେ ବାହାରି ବିଜେଡି ସରକାର ବିରୋଧି ବିଭିନ୍ନ ସ୍ଲୋଗାନ ଦେଇ ଚାନ୍ଦୁଆବଜାର, ଥାନାଛକ, ହାଟଛକ, ମେଡିକାଲ ଛକ ଦେଇ ବ୍ଳକଛକଠାରେ ପହଞ୍ଚିଥିଲେ। ସେଠାରେ ବ୍ଲକ କାର୍ଯ୍ୟାଳୟ ସମ୍ମୁଖ ରାସ୍ତାଉପରେ ଆନ୍ଦୋଳନକାରୀମାନେ ଧାରଣାରେ ବସି ରହି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏହି ଅବସରରେ ଜିଲା ସଭାପତି ଶ୍ରୀ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପ୍ରତିବାଦ ସଭାରେ ମଣ୍ଡଳ ସଭାପତି ପର୍ଶୁରାମ ମହାପାତ୍ର, ସୁକାନ୍ତ ଭଟ୍ଟ, ଜିଲା ବିଜେପି କୃଷକ ମୋର୍ଚ୍ଚା ସଭାପତି ଅଜୟ ପ୍ରଧାନ, ଯୁବନେତା ପ୍ରଦୀପ ସାହୁ, ସରପଞ୍ଚ ଶୁଭାଶିଷ ରଥ, ସୌମ୍ୟକାନ୍ତ ଦାଶ, ବରିଷ୍ଠନେତା ରମେଶ ମିଶ୍ର, ଦେବପ୍ରସାଦ ତ୍ରିପାଠୀ, ଯୁବନେତା ଗଦାଧର ପରିଡା, ଦେବୀପ୍ରସାଦ ମଲ୍ଲିକ, ନାରୀନେତ୍ରୀ ସସ୍ମିତା ମହାରଣା, ଅନ୍ନପୂର୍ଣ୍ଣା ରାଉତରାୟ, ମମତା ବେହେରା ପ୍ରମୁଖ ଯୋଗଦେଇ ରାଜ୍ୟରେ ଦିନକୁ ଦିନ ନାରୀ ନିର୍ଯାତନା ବୃଦ୍ଧି ପାଉଥିବାର ଅଭିଯୋଗ କରି ରାଜ୍ୟ ବିଜେଡି ସରକାରଙ୍କୁ କଟୁ ସମାଲୋଚନା କରିଥିଲେ। ମମିତାଙ୍କୁ ନ୍ୟାୟ ଦେବାକୁ ଦାବି କରିବା ସହ ରାଜ୍ୟ ମନ୍ତ୍ରୀମଣ୍ଡଳରୁ ଗୃହରାଷ୍ଟ୍ରମନ୍ତ୍ରୀଙ୍କ ବହିଷ୍କାର ଦାବି କରିଥିଲେ। ଏହି ଅବସରରେ ସେଠାରେ ମୁଖ୍ୟମନ୍ତ୍ରୀଙ୍କ ସମେତ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଓ ପ୍ରତାପ ଜେନାଙ୍କ କୁଶପୁତ୍ତଳିକା ଦାହ କରାଯାଇଥିଲା।



