ଅପରେଶନ ବେଳେ କାହିଁକି ଡାକ୍ତର ନୀଳ ବା ସବୁଜ ରଙ୍ଗର ପୋଷାକ ପିନ୍ଧିଥାନ୍ତି ?

ପିଲ୍ମ ହେଉ ଅବା ବାସ୍ତବରେ ଆପଣମାନେ ଦେଖିଥିବେ ଯେ ହସ୍ପିଟାଲରେ ନୀଳ ବା ସବୁଜ ରଙ୍ଗର ପରଦା ବ୍ୟବହାର କରାଯାଏ । ଏମିତିକି ଡାକ୍ତରମାନେ ମଧ୍ୟ ଏହି ରଙ୍ଗକୁ ଅଧିକ ଗୁରୁତ୍ବ ଦେଇଥାଆନ୍ତି । ବିଶେଷ କରି ଅପରେସନ୍ ସମୟରେ ଡାକ୍ତରମାନେ ନୀଳ ବା ସବୁଜ ରଙ୍ଗର ପୋଷାକ ପିନ୍ଧୁଥିବା ଦେଖିବାକୁ ମିଳେ । କେବଳ ସେତିକି ନୁହେଁ ହସ୍ପିଟାଲରେ ଅନ୍ୟ କର୍ମଚାରୀମାନେ ଏହି ରଙ୍ଗର ପୋଷାକ ପିନ୍ଧି ଥାଆନ୍ତି ଏବଂ ମାସ୍କ ମଧ୍ୟ ନୀଳ ରଙ୍ଗର ବ୍ୟବହାର କରିଥାଆନ୍ତି । ତେବେ ଏଠାରେ ପ୍ରଶ୍ନ ଉଠେ ଯେ ହସ୍ପିଟାଲରେ କାହିଁକି ନୀଳ ବା ସବୁଜ ରଙ୍ଗର ବହୁଳ ବ୍ୟବହାର କରାଯାଏ ? କାହିଁକି ଅନ୍ୟ ରଙ୍ଗର ବ୍ୟବହାର କରାଯାଏନାହିଁ ?

କୁହାଯାଏ ହସ୍ପିଟାଲରେ ଧଳା ରଙ୍ଗର ବ୍ୟବହାର କରାଯାଉଥିଲା। କିନ୍ତୁ ୧୯୧୪ରେ ଜଣେ ପ୍ରଭାବଶାଳୀ ଡାକ୍ତର ଏହି ପାରମ୍ପରିକ ରଙ୍ଗକୁ ବଦଳାଇ ସବୁଜ ରଙ୍ଗ କରିଥିଲେ । ସେବେଠାରୁ ହସ୍ପିଟାଲରେ ସବୁଜ ରଙ୍ଗର ପ୍ରଥା ଆରମ୍ଭ ହୋଇଥିଲା । କିନ୍ତୁ କିଛି ଡାକ୍ତର ନୀଳ ରଙ୍ଗର ପୋଷାକ ପିନ୍ଧିବା ଆରମ୍ଭ ମଧ୍ୟ କରିଥିଲେ ।

୧୯୯୮ରେ ଟୁଡେ ସର୍ଜିକାଲ ନର୍ସ ର ଏକ ସଂସ୍କରଣ​‌ରେ ପ୍ରକାଶିତ ତଥ୍ୟ ଅନୁଯାୟୀ, ସର୍ଜରୀ ସମୟରେ ଡାକ୍ତରମାନେ ନୀଳ ରଙ୍ଗର କପଡା ଏଥିପାଇଁ ପିନ୍ଧିଥାନ୍ତି ଯେ ତାହା ଆଖିକୁ ଆରମ ଦେଇଥାଏ । ଯଦି ଆମେ କୌଣସି ରଙ୍ଗକୁ ଲଗାତାର ଭାବରେ ଦେଖୁ ତେବେ ଆଖି କ୍ଳାନ୍ତି ଅନୁଭବ କରିଥାଏ । ଏହା ପରେ ଯଦି ଆମେ କୌଣସି ଏକ ଉଜ୍ଜ୍ଵଳ ରଙ୍ଗ ଦେଖିବା ତାହା ଆଖି ଉପରେ ଖରାପ ପ୍ରଭାବ ପକାଇଥାଏ । କିନ୍ତୁ ଯଦି ଆମେ ସବୁଜ ରଙ୍ଗ ଦେଖୁଛେ ତେବେ ତାହା ଆମ ଆଖିକୁ ଶିଥିଳତା ପ୍ରଦାନ କରିଥାଏ ।

ବୈଜ୍ଞାନିକ ମତ ଅନୁଯାୟୀ, ନାଲି, ହଳଦିଆ, ସବୁଜ ଓ ନୀଳ ରଙ୍ଗ ଦେଖିବା ପାଇଁ ଆମ ଆଖି ସକ୍ଷମ। କିନ୍ତୁ ନାଲି ଓ ହଳଦିଆ ରଙ୍ଗ ତୁଳନାରେ ହାଲକା ସବୁଜ ଓ ନୀଳ ଆଖି ଉପରେ କମ୍ ପ୍ରଭାବ ପକାଇଥାଏ। ଏହି କାରଣରୁ ହସ୍ପିଟାଲରେ ପରଦାଠାରୁ ଆରମ୍ଭ କରି କର୍ମଚାରୀ ପର୍ଯ୍ୟନ୍ତ ସମସ୍ତେ ସବୁଜ ବା ନୀଳ ରଙ୍ଗର ବ୍ୟବହାର କରିଥାଆନ୍ତି । ଯାହା ଦ୍ବାରା ହସ୍ପିଟାଲକୁ ଆସୁଥିବା ରୋଗୀଙ୍କ ଆଖିକୁ ଆରମ ମିଳିବ ଏବଂ ସେମାନଙ୍କୁ କୌଣସି ସମସ୍ୟା ହେବ ନାହିଁ ।

ଡାକ୍ତରମାନେ ଅପରେଶନ ବେଳେ ସବୁଜ ଓ ନୀଳ ରଙ୍ଗର ପୋଷାକ ଏଥିପାଇଁ ପିନ୍ଧିଥାନ୍ତି, କାରଣ ସେମାନେ ଲଗାତର ଭାବେ ରକ୍ତାକ୍ତ ଶରୀରରକୁ ଦେଖିଥାନ୍ତି । ଯାହା ସେମାନଙ୍କ ମାନସିକ ସ୍ତରକୁ ପ୍ରଭାବିତ କରିବାର ସମ୍ଭାବାନା ଅଧିକ ଥାଏ । ତେଣୁ ଅପରେଶନ ପରେ ସବୁଜ ଓ ନୀଳ ରଙ୍ଗ ଦେଖିଲେ ସେମାନେ ଆରମ ଅନୁଭବ କରିଥାଆନ୍ତି ।

 

Comments are closed.