ଲାଞ୍ଜିଗଡ଼ : କଳାହା ଣ୍ଡି ଜିଲା ବିଶ୍ୱନାଥପୁର ଥାନା ଅନ୍ତର୍ଗତ ବେଡ଼ାଗାଁ ପଞ୍ଚାୟତ ଦେହେଡ଼ା ଗାଁରେ ପୂର୍ବ ଶତ୍ରୁତାକୁ ନେଇଁ ସାନ ଭାଇ ପୂର୍ଣ୍ଣ ମାଝୀଙ୍କୁ ବଡ଼ ଭାଇ କୃଷ୍ଣ ମାଝୀ ଗୁଳି କରି ହତ୍ୟା କରିଛି। ବଡ଼ ଭାଇ କୃଷ୍ଣ ମାଝୀ ଓ ସାନଭାଇ ପୂର୍ଣ୍ଣ ମାଝୀ ଗତବର୍ଷ କୌଣସି କାରଣରୁ ଗଣ୍ଡଗୋଳ ହୋଇଥିଲେ। ସାନଭାଇ ବଡ଼ ଭାଇଙ୍କୁ ମୁଣ୍ଡରେ ମାଡ଼ମାରି ଆଘାତ କରିଥିଲେ। ସେହି ଆଘାତକୁ ନେଇଁ ଗତ ବର୍ଷର ରାଗରଖି ଶେଷରେ ନୃଶଂସ ବଡଭାଇ ପ୍ରତିଶୋଧ ନେଇଥିଲା। ଦେଶୀ ବନ୍ଧୁକରେ ଘରେ ଶୋଇଥିବା ସମୟରେ ସାନଭାଇକୁ ଗୁଳି କରି ହତ୍ୟା କରିଛି। ଯାହାଫଳରେ ସାନ ଭାଇ ପୂର୍ଣ୍ଣ ମାଝୀଙ୍କ ଘଟଣା ସ୍ଥଳରେ ହିଁ ମୃତ୍ୟୁ ହୋଇଥିଲା। ଏନେଇ ମୃତକଙ୍କ ସ୍ତ୍ରୀ ଚୁମକି ମାଝୀ ଓ ପରିବାର ଲୋକେ ବିଶ୍ୱନାଥପୁର ଥାନାର ଦ୍ୱାରସ୍ତ ହୋଇ ଏକ ଲିଖିତ ଅଭିଯୋଗ କରିଥିଲେ।
ବିଶ୍ୱନାଥପୁର ପୁଲିସ ଓ ଏସଡିପିଓ ସମେତ ସାଇଣ୍ଟିଫିକ ଟିମ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଥିଲେ। ଅଭିଯୁକ୍ତ ବଡ଼ଭାଇ କୃଷ୍ଣ ମାଝୀକୁ ପୁଲିସ ଗିରଫ କରିବା ସହିତ ତା’ଠାରୁ ହତ୍ୟାରେ ବ୍ୟବହୃତ ହୋଇଥିବା ଏକ ଦେଶୀ ବନ୍ଧୁକ ଜବତ କରିଛି। କେସିଙ୍ଗା ଏସଡିପିଓ ଅଜୟ ଦାସ, ବିଶ୍ୱନାଥପୁର ଥାନା ଅଧିକାରୀ ମମତା ହେମ୍ରମ, ଏଏସଆଇ ବୁଧେରାମ ମାଝୀ, ବୁଧେଶ୍ୟାମ ମାଝୀ, ସାଇଣ୍ଟିଫିକ ଏସଓ ମନୋଜ କୁମାର ମାଝୀ ସମେତ କେ.ନାଇନ୍ ସ୍କୁଆର୍ଡ ପ୍ରମୁଖ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଯାଞ୍ଚ କରିବା ପରେ ବ୍ୟବଛେଦ ପାଇଁ ଲାଞ୍ଜିଗଡ଼ ପଠାଯାଇଥିଲେ। କେସ ନଂ ୯/୨୦୨୫,ଅଣ୍ଡର ସେକ୍ସନ ୧୦୩ ବି.ଏନ୍.ଏସ୍.ଆର ଡବ୍ଲୁ ସେକ୍ସନ ୨୫,୨୭ ଆର୍ମ ଆକ୍ଟରେ ଏକ ମାମଲା ରୁଜୁ ସହ ଏହି ହତ୍ୟାକାଣ୍ଡର ତଦନ୍ତ ଜାରି ରହିଛି ବୋଲି ଫୁଲିସ ପକ୍ଷରୁ ସୂଚନା ଦିଆଯାଇଛି।



