ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭଙ୍କ ଜୟନ୍ତୀ ପାଳିତ

ଆଠଗଡ : ଆଠଗଡର ପୂର୍ବତନ ବିଧାୟକ ତଥା ୩ଥର ରାଜ୍ୟର ମୁଖ୍ୟମନ୍ତ୍ରୀ ଆସନ ଅଳଙ୍କୃତ କରିଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ୯୫ତମ ଜୟନ୍ତୀ ଆଠଗଡ କଂଗ୍ରେସ ପକ୍ଷରୁ ପାଳିତ ହୋଇଯାଇଛି । ପୂର୍ବତନ ବିଧାୟକ ତଥା ବରିଷ୍ଠ କଂଗ୍ରେସ ନେତା ଉମାବଲ୍ଲଭ ରଥ ଏହି ଉତ୍ସବରେ ପୌରୋହିତ୍ୟ କରି ରାଜ୍ୟର ସାମଗ୍ରିକ ବିକାଶ କ୍ଷେତ୍ରରେ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଅବଦାନ ଅବିସ୍ମରଣୀୟ ବୋଲି ମତବ୍ୟକ୍ତ କରିଥିଲେ । ତାଙ୍କ ମୁଖ୍ୟମନ୍ତ୍ରୀତ୍ୱ କାଳରେ ରାଜ୍ୟରେ ବହୁ ଜନକଲ୍ୟାଣକାରୀ ଯୋଜନା ପ୍ରଣୟନ କରାଯିବା ସହ ଶିଳ୍ପ କ୍ଷେତ୍ରରେ ଏକ ବିପ୍ଳବ ସୃଷ୍ଟି ହୋଇଥିଲା ବୋଲି ଶ୍ରୀ ରଥ ପ୍ରକାଶ କରିଥିଲେ । ଜଣେ ଉଚ୍ଚକୋଟୀର ସାରସ୍ୱତ ସାଧକ ଭାବେ ତାଙ୍କର ସାହିତ୍ୟ କୃତି ତାଙ୍କୁ ଚିର ଅମର କରି ରଖିବ ବୋଲି ସେ ମତବ୍ୟକ୍ତ କରିଥିଲେ । ଏଥିରେ ଯୋଗଦେଇଥିବା ଆଠଗଡର ବରିଷ୍ଠ କଂଗ୍ରେସ ନେତା ଗୋକୁଳାନନ୍ଦ ଦାଶ, ତ୍ରିଲୋଚନ ବେହେରା, ବସନ୍ତ କୁମାର ମହାରଣା, ଅଶୋକ ପ୍ରଧାନ, ମହେଶ ଦାସ, ଦେବୀ ପ୍ରସାଦ ସାହୁ, ବ୍ଲକ କଂଗ୍ରେସ ସଭାପତି ସୁଦର୍ଶନ ସାହୁ, ନଗର କଂଗ୍ରେସ ସଭାପତି ସୋମନାଥ ଭକ୍ତା, କଟକ ଜିଲ୍ଲା ଯୁବ କଂଗ୍ରେସ ସଂପାଦକ ପ୍ରଶାନ୍ତ ବେହେରା, ପ୍ରମୁଖ ଉଦବୋଧନ ଦେଇ ଜାନକୀବଲ୍ଲଭ ପଟ୍ଟନାୟକଙ୍କ ବହୁମୁଖୀ ପ୍ରତିଭା ସଂପର୍କରେ ଆଲୋକପାତ କରିଥିଲେ । କଂଗ୍ରେସ କାର୍ଯ୍ୟାଳୟରେ ଜାନକୀ ବାବୁଙ୍କ ଫଟୋଚିତ୍ରରେ ଶ୍ରୀ ରଥଙ୍କ ସମେତ ଅନ୍ୟ ସମସ୍ତ କଂଗ୍ରେସ ନେତା ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଏହି ଅବସରରେ ବହୁ ଗରିବ ଓ ଅସହାୟ ବ୍ୟକ୍ତିଙ୍କୁ କମ୍ବଳ ଓ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା ।

Comments are closed.