କିଏ କହେ ତାଙ୍କୁ ପ୍ରବାଦ ପୁରୁଷ, ବିରୋଧୀ ବି ମାନନ୍ତି ସେ ଝଡ଼ର ଇଗଲ୍। ଇଣ୍ଡୋନେସିଆର ସେ ଭୂମିପୁତ୍ର। ଆଧୁନିକ ଓଡ଼ିଶା ନିର୍ମାଣରେ ସେ ପ୍ରମୁଖ ବିନ୍ଧାଣୀ। ଆକାଶଛୁଆଁ ପରିକଳ୍ପନାମନସ୍କ ବିଶିଷ୍ଟ ଶିଳ୍ପପତି। ମୁକ୍ତ ଉଡ଼ନ୍ତା ବିହଙ୍ଗସମ ଉଚ୍ଚାଙ୍ଗ ବ୍ୟକ୍ତିତ୍ବ। ଏକ ଦଶନ୍ଧିର ମୁଖ୍ୟମନ୍ତ୍ରିତ୍ବରେ ସମଗ୍ର ରାଜ୍ୟବାସୀଙ୍କ ମନରେ ଛାଇଗଲେ ଜଣେ ପ୍ରିୟ ଜନନାୟକ ହୋଇ। ଏମିତି ଜଣେ ବ୍ୟକ୍ତିଙ୍କ ସଂପର୍କରେ ଅଧିକ ଅବତାରଣାର ଆବଶ୍ୟକତା ନିଷ୍ପୟୋଜନ; କେବଳ ‘ବିଜୁ’ ନାମ ହିଁ ଯଥେଷ୍ଟ।
ପ୍ରାକ୍ ସ୍ବାଧୀନତା କାଳ(୧୯୧୬ ମାର୍ଚ୍ଚ ୫)ରେ ଲକ୍ଷ୍ମୀନାରାୟଣ ଏବଂ ଆଶାଲତା ପଟ୍ଟନାୟକଙ୍କ କୋଳମଣ୍ଡନ କରିଥିବା ବିଜୁ ବାବୁ ରେଭେନ୍ସା କଲେଜରେ ଶିକ୍ଷାଲାଭ କରୁଥିବାବେଳେ ଆକାଶରେ ଉଡ଼ିବାକୁ ମନ ବଳାଇଲେ। କଲେଜ ଶିକ୍ଷା ଛାଡ଼ି ପାଇଲଟ ତାଲିମ ନେଲେ। ପ୍ରାରମ୍ଭରେ ଏକ ଘରୋଇ କଂପାନିର ପାଇଲଟ ଭାବେ ଯୋଗଦେଇଥିବା ବିଜୁ ପଟ୍ଟନାୟକ ଦ୍ବିତୀୟ ବିଶ୍ବ ଯୁଦ୍ଧ ସମୟରେ ରୟାଲ ଇଣ୍ଡିଆନ ଏୟାରଫୋର୍ସରେ ନିଯୁକ୍ତି ପାଇଲେ ଏବଂ ଏୟାର ଟ୍ରାନ୍ସପୋର୍ଟ କମାଣ୍ଡର ମୁଖ୍ୟ ହୋଇ ଜଣେ ସୁଦକ୍ଷ ବିମାନଚାଳକର ପରିଚୟ ସୃଷ୍ଟି କରିଥିଲେ।
ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କ ଜଣେ ଘନିଷ୍ଟ ସହଯୋଗୀ ତଥା ପରାମର୍ଶଦାତା ଥିବା ବିଜୁ ବାବୁ ଜାତୀୟ ରାଜନୀତିରେ ଆଲୋଡ଼ନ ସୃଷ୍ଟି କରିବା ସହ ରାଜ୍ୟ ରାଜନୀତିରେ ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କଲେ। ତାଙ୍କ ନେତୃତ୍ବରେ ଓଡ଼ିଶା ନବନିର୍ମାଣ ଭିତ୍ତି ପଡ଼ିଥିବା କହିଲେ ଅତ୍ୟୁକ୍ତି ହେବନାହିଁ। ପାରାଦ୍ବୀପ ବନ୍ଦର, ଭୁବନେଶ୍ବର ବିମାନବନ୍ଦର, ରାଉରକେଲାରେ ଆଞ୍ଚଳିକ ଇଞ୍ଜିନିୟରିଂ କଲେଜ, ଭୁବନେଶ୍ବର ସୈନିକ ସ୍କୁଲ, ଭୁବନେଶ୍ବରରେ ଓୟୁଏଟି, ନାଲ୍କୋ, ତାଳଚେର ତାପଜ ବିଦ୍ୟୁତ୍ କେନ୍ଦ୍ର, ବାଲିମେଳା ଜଳବିଦ୍ୟୁତ୍ ପ୍ରକଳ୍ପ ଭଳି ଏକାଧିକ ପ୍ରତିଷ୍ଠାନ ଗଢ଼ି ଏକ ପ୍ରଗତିଶୀଳ ଓଡ଼ିଶାର ମୂଳଦୁଆ ପକାଇଥିଲେ। ଦୁର୍ନୀତିଖୋର୍ ଅଫିସର ଏବଂ ଯୌତୁକ ନିର୍ଯାତନା ବିରୋଧରେ କଡ଼ା ଆଭିମୁଖ୍ୟ ସହ କଠୋର ପଦକ୍ଷେପ ନେଇ ବିଜୁ ବାବୁ ରାଜ୍ୟ ରାଜନୀତିକୁ ନୂଆମୋଡ଼ ଦେଇଥିଲେ।



