ଭଗ୍ନସ୍ତୂପରେ ପରିଣତ ଭୀମେଶ୍ୱରୀ ପୀଠ
ଭୁବନେଶ୍ବର: ମୟୂରଭଞ୍ଜ ଜିଲାର କପ୍ତପିଦା ବ୍ଳକ ଗୌରବୋଜ୍ଜ୍ୱଳ ଅତୀତ ଓ ବହୁ ଐତିହ୍ୟର ଭୂମି ହୋଇଥିଲେ ହେଁ ଏ ସମ୍ପର୍କରେ କୌଣସି ଗବେଷଣା ନାହଁ। ସେହିପରି ଯାହା ବି କିଛି କୀର୍ତ୍ତିରାଜି ବା ଅତୀତର ସ୍ମାରକୀ ଅଛି, ଏହାର ସୁରକ୍ଷା ପାଇଁ ବି ପଦକ୍ଷେପ ନାହିଁ। ଭୁଜଙ୍ଗ ରାଜାଙ୍କ ଭଗ୍ନସ୍ତୂପ ଭୀମେଶ୍ୱରୀ ଏହାର ଉଦାହରଣ। କପ୍ତିପଦା ବ୍ଲକ ପେଡ଼ାଗଡ଼ି ଗ୍ରାମରେ, କାଳ ନଦୀ ନିକଟରେ ଅବସ୍ଥିତ ଭୀମେଶ୍ୱରୀ ତନ୍ତ୍ର ପୀଠ ଅତୀତରେ ଥିଲା ଓଡ଼ିଶାର ପ୍ରମୁଖ ତନ୍ତ୍ର ସାଧନାର କେନ୍ଦ୍ର। ସେତେବେଳେ ଉତ୍କଟ ଦାରିଦ୍ର୍ୟ ଓ ନାନା ରୋଗ ପାଇଁ ମଣିଷ କ୍ରମେ ଅନ୍ଧ ବିଶ୍ୱାସର ଦାସ ହେଲା। ତନ୍ତ୍ରମନ୍ତ୍ର ଦ୍ୱାରା ସୌଭାଗ୍ୟ ପ୍ରାପ୍ତି ଓ ରୋଗାଦି ଉପଶମ ହେବ ବୋଲି ତା’ର ବିଶ୍ୱାସ ବଢ଼ିଲା। ଖ୍ରୀଷ୍ଟୀୟ ସପ୍ତମ ଶତାବ୍ଦୀ ବେଳକୁ ତନ୍ତ୍ର ମାର୍ଗର ପର୍ଯ୍ୟାପ୍ତ ବିକାଶ ଘଟିଥିଲା। ପରେ ଏହା ସୋନପୁରରେ ସହଜଯାନୀ ମାର୍ଗର ରୂପ ନେଇ ବିକଶିତ ହେଲା। ସହଜଯାନୀ ସନ୍ନ୍ୟାସୀ ସନ୍ନ୍ୟାସିନୀମାନେ ବିଭିନ୍ନ ଅଞ୍ଚଳ ପରିଭ୍ରମଣ କରି ସେମାନଙ୍କର ଚିନ୍ତାଧାରାକୁ ଲୋକାଭିମୁଖୀ କରାଇଲେ। ଫଳରେ ତନ୍ତ୍ରଯାନର ବିକାଶ ସହିତ ତନ୍ତ୍ର ପୀଠମାନ ଗଢ଼ି ଉଠିଥିଲା। ସହଜଯାନୀ ସନ୍ନ୍ୟାସୀ ଲୁଇପା ତାଙ୍କର ଶିଷ୍ୟ ଶିଷ୍ୟାଙ୍କ ସହିତ ସୋନପୁର ପରିତ୍ୟାଗ କରି ଅରଣ୍ୟ ମାର୍ଗରେ କପ୍ତିପଦା ଭୁଜଙ୍ଗ ରାଜ୍ୟରେ ରାଜ ପୃଷ୍ଠପୋଷକତାପ୍ରାପ୍ତ ହୋଇ ଏଠାରେ କିଛି କାଳ ଅବସ୍ଥାନ କରିଥିଲେ। ଫଳରେ କାଳ ନଦୀ କୂଳରେ ଏକ ବିରାଟ ତନ୍ତ୍ରପୀଠ ଗଢ଼ି ଉଠିଥିଲା। ପରେ ଲୁଇପା ରାଢ଼ୋ ଗ୍ରାମ ନିକଟସ୍ଥ ସିନ୍ଦୂରମୁଣ୍ଡି ପାହାଡ଼ରେ ଅବସ୍ଥାନ କାଳରେ ସିଦ୍ଧି ଲାଭ କରିଥିବାରୁ ସେ ରହୁଥିବା ଗୁମ୍ଫାଟିର ନାମ ସିଦ୍ଧ ଗୁମ୍ପା ବୋଲି ଲୋକମୁଖରେ କଥିତ। ସିଦ୍ଧିପ୍ରାପ୍ତି ପରେ ସେ ନିଜର ଅନୁଗାମୀଙ୍କ ସହ ନୀଳଗିରି ସନ୍ନିକଟ ଅଯୋଧ୍ୟା ବାଟ ଦେଇ ପଶ୍ଚିମ ବଙ୍ଗ, ଆସାମ ଇତ୍ୟାଦି ଅଞ୍ଚଳ ପାରି ହୋଇ ନେପାଳ ଓ ତିବ୍ବତ ଅଭିମୁଖେ ଯାତ୍ରା କରିଥିଲେ।
ନେପାଳ ରାଜ ଦରବାରର ପାଠାଗାରରୁ ଲୁଇପା ଓ ତାଙ୍କ ସମସାମୟିକ ସନ୍ନ୍ୟାସୀମାନଙ୍କ ରଚିତ ୫୦ଟି ଗୀତିକା ସମ୍ବଳିତ ‘ବୌଦ୍ଧଗାନ ଦୋହା” ନାମରେ ଏକ ତାଳପତ୍ର ପୋଥିକୁ ଐତିହାସିକ ମହାମହୋପାଧ୍ୟାୟ ହରପ୍ରସାଦ ଶାସ୍ତ୍ରୀ ପ୍ରାପ୍ତ ହୋଇଥିଲେ। ଏହି ଦୋହାଗୁଡ଼ିକ ପ୍ରାଚୀନ ଓଡ଼ିଆ ଭାଷାରେ ଲିଖିତ ହୋଇଥିଲା। ଲୁଇପାଙ୍କ ରଚିତ ଦୋହାଗୁଡ଼ିକ ଉପରେ ଯେତେ ଆଲୋଚନା ଓ ପର୍ଯ୍ୟାଲୋଚନା ହୋଇଛି, ସେହିଭଳି ଭାବରେ ତାଙ୍କ ପାଦ ସ୍ପର୍ଶରେ ଗଢ଼ି ଉଠିଥିବା ଭୀମେଶ୍ୱରୀ ତନ୍ତ୍ର ପୀଠ ସମ୍ପର୍କରେ କିଛି ଗବେଷଣା ହୋଇନାହିଁ। ବ୍ରାହ୍ମଣ୍ୟବାଦୀ ମୂର୍ତ୍ତି ଉପାସକମାନଙ୍କର କଠୋର ବିରୋଧ ତଥା ମୋଗଲ ଓ ମୁସଲମାନମାନଙ୍କ ଆକ୍ରମଣ ପାଇଁ ଅନ୍ୟ ବୌଦ୍ଧ ପୀଠ ଭଳି ଭୀମେଶ୍ୱରୀ ପୀଠ ମଧ୍ୟ ପତନମୁଖୀ ହୋଇଥିଲା। ଯେତେବେଳେ ଭୀମେଶ୍ୱରୀ ପୀଠର ପତନ ଘଟିଛି, ସେତିକିବେଳେ କାଳ ନଦୀର ଠିକ୍ ଅପର ପାର୍ଶ୍ବରେ ଝିଙ୍କେଶ୍ୱର ଶିବ ମନ୍ଦିର ଗଢ଼ି ଉଠିଥିବାର ଅନୁମାନ କରାଯାଏ। ଏବେ ବି କପ୍ତିପଦା ରାଜ ବଂଶର ରାଜା ମୃତ୍ୟୁବରଣ କଲେ ପରବର୍ତୀ ରାଜା ଭୀମେଶ୍ୱରୀ ପୀଠ ଯାଇ ପୂଜାର୍ଚ୍ଚନା କରନ୍ତି ଏବଂ ସେଠାରେ ମା’ଙ୍କର ଆଦେଶ ପ୍ରାପ୍ତି ପରେ ଦିବଂଗତ ରାଜାଙ୍କ ଶବ ସତ୍କାର ହୁଏ। ଏହା ପରେ ରାଜବାଟୀରେ ନୂତନ ରାଜାଙ୍କର ଅଭିଷେକ ହୁଏ।
ଭୀମେଶ୍ୱରୀ ପୀଠ ଆଜି ଭଗ୍ନସ୍ତୂପରେ ପରିଣତ ହୋଇଛି ସତ, ମାତ୍ର ଏକଦା ଏହା ତନ୍ତ୍ର ସାଧନାର ଏକ ପ୍ରମୁଖ କେନ୍ଦ୍ର ଥିଲା। ଏଠାରେ ମାଙ୍କଡ଼ା ପଥରରେ ନିର୍ମିତ ଏକ ବିରାଟ ମନ୍ଦିର ଥିଲା। ପ୍ରତ୍ୟେକ ପଥର ଖଣ୍ଡ ଅନ୍ୟ ପଥର ଖଣ୍ଡ ସହ ଲୁହା କିଳିଣୀକୁ ଛନ୍ଦି ହୋଇ ନିର୍ମାଣ ହୋଇଥିଲା ଏହି ମନ୍ଦିର। ଏବେ ବି ବିକ୍ଷିପ୍ତ ହୋଇପଡ଼ିଥିବା ପଥର ଦେହରେ ଲୁହା ଖଣ୍ଡ ଦେଖିବାକୁ ମିଳେ। ବିଭିନ୍ନ ପ୍ରମାଣରୁ ଏହାର ନିର୍ମାଣ ତ୍ରୟୋଦଶ ଶତାବ୍ଦୀରେ ହୋଇଥିବା ଜଣାଯାଏ। ଏହି ପୀଠକୁ କୁଆଡ଼େ ବିଧର୍ମୀ କଳାପାହାଡ଼ ଭାଙ୍ଗି ଦେଇଥିବାର ଗ୍ରାମର ବୟୋଜ୍ୟେଷ୍ଠ ବ୍ୟକ୍ତିମାନେ ପ୍ରକାଶ କରିଛନ୍ତି। ସାମୟିକ ତଥା ସ୍ୱଳ୍ପ ଖନନରୁ ପ୍ରାପ୍ତ ମୂର୍ତ୍ତିରାଜି ଓ ସ୍ଥାନଟି ଇତିହାସର ଏକ ହଜିଲା ଅଧ୍ୟାୟର ସ୍ୱାକ୍ଷର ବହନ କରୁଛି।
ଏହି ପୀଠର କିୟଦଂଶ ଗ୍ରାମବାସୀଙ୍କ ଦ୍ୱାରା ଖନନ କରାଯାଇ ଚାମୁଣ୍ଡା, ବାରାହୀ, ମାହେଶ୍ୱରୀ, ଯମ ଦେବତା ଇତ୍ୟାଦି ବହୁ ମୂର୍ତ୍ତି ଉଦ୍ଧାର କରାଯିବା ପରେ ମୁକ୍ତାକାଶ ତଳେ ପୂଜା ପାଉଛନ୍ତି। ଚଣ୍ଡୀ ଏବଂ ଗଣେଶଙ୍କ ସହିତ ବହୁ ମୂଲ୍ୟବାନ ମୂର୍ତ୍ତି ପୂଜାସ୍ଥଳରୁ ଉଭାନ ହୋଇଗଲାଣି। ଅନ୍ୟ ମୂର୍ତ୍ତିଗୁଡ଼ିକ ଏଭଳି ଅବସ୍ଥାରେ ରହିଛି, ଦେଖିଲେ ମନରେ କ୍ଷୋଭ ଆସେ। ଏ ସଂପର୍କରେ ଗଣମାଧ୍ୟମରେ ପ୍ରକାଶ ହେବା ପରେ ପ୍ରତ୍ନତତ୍ୱ ବିଭାଗର ଅଧିକାରୀ ଓ କର୍ମଚାରୀ ଆସି ଏଠିକାର କୀର୍ତ୍ତିରାଜିର ସୁରକ୍ଷା କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ମାତ୍ର କିଛି ପଦକ୍ଷେପ ନାହିଁ। ତେବେ ଐତିହାସିକ ଓ ଗବେଷକମାନେ ଏହି ପୀଠ ସମ୍ପର୍କରେ ଗବେଷଣା କଲେ ବହୁ ଲୁକ୍କାୟିତ ତଥ୍ୟ ପଦାକୁ ଆସିପାରନ୍ତା। ସେହିପରି ପ୍ରଶାସନ ତଥା ସଂସ୍କୃତି ବିଭାଗ ପୀଠର ସୁରକ୍ଷା ସହ ବିକାଶ ପାଇଁ ପଦକ୍ଷେପ ନେବାର ଆବଶ୍ୟକତା ରହିଛି।
Comments are closed.