ଭବାନୀପାଟଣା: କଳାହାଣ୍ଡି ଜିଲା ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ବୃନ୍ଦାବାହାଲ ପଞ୍ଚାୟତ ସରପଞ୍ଚ ଦିନେଶ କୁମାର ରାଉତ ୫ ଲକ୍ଷ ୪୦ ହଜାର ଟଙ୍କା ନେଇ ଯାଉଥିବାବେଳେ ଭିଜିଲାନ୍ସ ଦ୍ବାରା ଧରାପଡିଛନ୍ତି। ଆଜି ଅପରାହ୍ନରେ ସେ ଗୋଲାମୁଣ୍ଡାରୁ ନିଜ ଗାଁ ବୃନ୍ଦାବହାଲକୁ ଓଡି୦୮ସି ୫୩୩୫ ନମ୍ୱର୍ ଥିବା ବୋଲେରୋରେ ଯାଉଥିବା ବେଳେ ଜୟପୁର ଭିଜିଲାନ୍ସର ଏକ ସ୍ବତନ୍ତ୍ର ଟିମ୍ ତାଙ୍କୁ ଖଲିଆକାନି ଛକରେ ଅଟକାଇ ଗାଡ଼ି ଯାଞ୍ଚ କରିଥିଲା। ଯାଞ୍ଚ ସମୟରେ ତାଙ୍କ ଗାଡିରୁ ୫ ଲକ୍ଷ ୪୦ ହଜାର ଟଙ୍କା ମିଳିଥିବା ସୂଚନା ମିଳିଛି।
ଏତେ ପରିମାଣର ଟଙ୍କା ତାଙ୍କ ପାଖକୁ କେଉଁ ସୂତ୍ରରୁ ଆସିଲା, ତାର ହିସାବ ସେ ଦେଇପାରି ନଥିଲେ। ଏଣୁ ଭିଜିଲାନ୍ସ ଟିମ୍ ତାଙ୍କୁ ନବରଙ୍ଗପୁର ନେଇ ସେଠାରେ ପଚରା ଉଚରା କରୁଛି। ଅନ୍ୟପକ୍ଷରେ ବୃନ୍ଦାବାହାଲ ସ୍ଥିତ ତାଙ୍କ ଘର ଏବଂ ଅନ୍ୟାନ୍ୟ ସ୍ଥାନରେ କଳାହାଣ୍ଡି ଭିଜିଲାନ୍ସର ଏକ ଟିମ୍ ଚଢାଉ କରୁଛି। ଜୁନାଗଡ଼ ବିଧାୟକ ଦିବ୍ୟଶଙ୍କର ମିଶ୍ରଙ୍କ ଘନିଷ୍ଠ ସହଯୋଗୀ ଭାବେ ଜଣାଶୁଣା ଦିନେଶ ରାଉତ ବିଜେଡି ଜିଲା କମିଟି ର ସମ୍ପାଦକ ଅଛନ୍ତି।



