www.samajalive.in
Wednesday, December 10, 2025
18.1 C
Bhubaneswar

ଲିଭୁନି ନିଆଁ, ଶୁଭୁଛି ରାମନାମ ସତ୍ୟ ହେ…

ଭୁବନେଶ୍ୱର: ସତ୍ୟନଗର ଶ୍ମଶାନରେ ଦିନରାତି ଜଳୁଛି ନିଆଁ। ଶବ ସମାରୋହରେ ଶୋକାକୁଳ ପରିବେଶ ମଧ୍ୟରେ ଶୁଭୁଛି ‘ରାମନାମ ସତ୍ୟ ହେ…। ଆଖିରେ ଆଖିଏ ଲୁହ, ମନର କୋହ ଚାପି ଶବ ସତ୍କାର କରିବାକୁ ଲାଗୁଛି ଧାଡ଼ି। ଡାକ୍ତରଖାନାରେ ରୋଗୀର ଯନ୍ତ୍ରଣାଠାରୁ ବଳିପଡୁଛି ଶବଦାହ ଯନ୍ତ୍ରଣା। କରୋନା ମହାମାରୀ ଆସିବା ପରେ ମୃତ୍ୟୁର ମହୋତ୍ସବ ପରି ସତ୍ୟନଗର ମଶାଣିରେ ଶବ ସମାରୋହ ଚାଲିଛି। ଗୋଟିକ ପରେ ଗୋଟିଏ ଶବ ଧାଡ଼ିରେ ଥୁଆ ହୋଇଛି। ତଳକୁ ଶବ ଓହ୍ଲାଇ ଦେଇ ମୃତ୍ୟୁ ସଙ୍ଗୀତ ଗାଇବା ଭଳି ସାଇରନ ବଜାଇ ଫେରିଯାଉଛି ଆମ୍ବୁଲାନ୍ସ। ମରଶରୀର ନାମକୁ ମାତ୍ର କୋକେଇରେ ଜୁଇ ପର୍ଯ୍ୟନ୍ତ ନିଆଯାଉଛି। ଆଉ କିଏ ଗୁଡ଼ାଯାଇଥିବା କପଡ଼ାର ଦୁଇମୁଣ୍ଡ ଧରି ଟେକି ଟେକି ନେଇ ଜୁଇ ମୁହଁରେ ଥୋଇ ଦେଉଛନ୍ତି।

ପିପିଇ କିଟ୍‍ ପିନ୍ଧଥିବା ଲୋକଗୁଡ଼ିକ ସତେଯେମିତି ଯମ ଦୂତ ଭଳି ଆମ୍ବୁଲାନ୍ସରୁ ଟେକି ନେବାଭଳି ପ୍ରତୀୟମାନ ହେଉଛି। କିଏ ମୁଖାଗ୍ନି ଦେବାର ସୁଯୋଗ ପାଉଛି ତ ଆଉ କିଏ ନିଜର ପ୍ରିୟ ପରିଜନଙ୍କ ମରଶରୀର ନିଜ ଆଖି ଆଗରେ ଜଳି ଯାଉଥିବା ଦେଖି ଅସ୍ଥି ଖଣ୍ଡିଏ ପାଇଁ ଛିଡ଼ା ହୋଇ ରହୁଛି। ଗରିବ ଲୋକକୁ ହରିଶ୍ଚନ୍ଦ୍ର ଯୋଜନାରେ ମାଗଣା ଓ ଧନୀ ଲୋକଙ୍କୁ ଅର୍ଥ ଦେବାକୁ ପଡୁଛି ଶବଦାହ ପାଇଁ। ସବୁଠାରୁ ବଡ଼ କଥା ହେଉଛି ବହୁ ଲୋକ ଶ୍ମଶାନକୁ ଆସୁଛନ୍ତି ହେଲେ ଅପରିଚିତ ମଣିଷଙ୍କ ଭିତରେ କିଏ କାହାକୁ ଦୁଃଖ ଜଣାବାର ଅବକାଶ ନାହିଁ। କରୋନା ସଂକ୍ରମିତ ରୋଗୀଙ୍କ ମୃତ୍ୟୁ ପରେ ଏଠାରେ ଅଧିକ ଶବଦାହ ହେଉଛି। ସ୍ଥାନୀୟ ବାସିନ୍ଦା ଶବ ଧୂଆଁର ଦୂଷିତ ପରିବେଶ ମଧ୍ୟରେ ଆକ୍ରାନ୍ତ ହେଲେଣି। କଳ କାରଖାନା ଧୂଆଁ ଦିନରାତି ବାହାରିବା ଭଳି ଅବସ୍ଥା ସୃଷ୍ଟି ହୋଇଥିବାରୁ ସ୍ଥାନୀୟ ଲୋକମାନେ ମାନବିକ ଅଧିକାର ଆୟୋଗଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଏହି ପରିପ୍ରେକ୍ଷୀରେ ବିଏମ୍‌ସି ଆଉ ଦୁଇଟି ଶ୍ମଶାନ ସମ୍ପର୍କରେ ସୂଚନା ଦେଇଛି। ତେବେ ଖଣ୍ଡଗିରି ଓ ପଟିଆରେ କେବେ ଶ୍ମଶାନ ନିର୍ମାଣ ହେବ ତାହା ସ୍ପଷ୍ଟ ହୋଇ ନାହିଁ। ସଂକ୍ରମଣର ଭୟ ଓ ଦୁଃଖାଭିଭୂତ ପରିବେଶ ଭିତରେ ସତ୍ୟନଗର ମଶାଣି ଏବେ ରାଜଧାନୀବାସୀଙ୍କ ପାଇଁ ପାଲଟିଛି ସ୍ୱର୍ଗଦ୍ୱାର। ପୁରୀ ସ୍ୱର୍ଗଦ୍ୱାର କଟକଣା ହଟିଥିବାରୁ ସତ୍ୟନଗର ଶ୍ମଶାନରୁ ଶବ ସଂଖ୍ୟା କମିଯାଇ ପାରେ ବୋଲି ଆଶା କରାଯାଉଛି।

Hot this week

ଭୁବନେଶ୍ୱର ସମେତ, କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର ପୁରୀରେ ହେବ ଟାଉନ୍‌ ପ୍ଲାନିଂ

ଭୁବନେଶ୍ୱର: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ...

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

Related Articles

Popular Categories