BJD Bijuli 480×75 Mob

କାନ୍ଦି କାନ୍ଦି ଗୁହାରି କଲେ ଦୁଇ ମାସ ହେଲା ଭତ୍ତାରୁ ବଞ୍ଚିତ ବୃଦ୍ଧା; ଭିଡିଓ ଭାଇରାଲ ପରେ ଘରେ ଆଣି ଦେଲେ  

BJD Bijuli 480×75 Mob

ବାଉଁଶୁଣି: ବୌଦ୍ଧ ବ୍ଲକ ବାଉଁଶୁଣି ଗ୍ରାମପଞ୍ଚାୟତରେ ବିଭିନ୍ନ ସମୟରେ ବାର୍ଦ୍ଧକ୍ୟ ଭତ୍ତାକୁ ନେଇ ବୃଦ୍ଧ, ବୃଦ୍ଧାମାନେ ହଇରାଣ ହେଉଥିବା ଅଭିଯୋଗ ହେଉଛି। ଏଭଳି ଏକ ସମସ୍ୟା ନେଇ ଜଣେ ବୃଦ୍ଧା କାନ୍ଦି କାନ୍ଦି କହୁଥିବା ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଘୁରି ବୁଲୁଛି । ବାଉଁଶୁଣି ଗ୍ରାମପଞ୍ଚାୟତ ବାଉଁଶୁଣି ଗ୍ରାମର ରଇବାରୀ ମେହେର ନାମ୍ନୀ ଜଣେ ବୃଦ୍ଧାଙ୍କ ଦୁଇ ମାସର ବାର୍ଦ୍ଧକ୍ୟ ଭତ୍ତା ମିଳି ନଥିବାରୁ ନାହିଁ ନଥିବା ଅସୁବିଧା ଭୋଗୁଥିବା କାନ୍ଦି କାନ୍ଦି ସେ ଅଭିଯୋଗ କରିଛନ୍ତି। ତେବେ ଭିଡିଓ ଭାଇରାଲ ହେବା ପରେ ପଞ୍ଚାୟତ ତରଫରୁ ଘରକୁ ଭତ୍ତା ଆଣିଦେବା ଏବେ ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି।

ମିଳିଥିବା ସୂଚନା ଅନୁଯାୟୀ, ବୃଦ୍ଧା ରଇବାରୀଙ୍କର ଜୁନ୍ ଓ ଜୁଲାଇ ମାସର ଭତ୍ତା ଟଙ୍କା ମିଳିନଥିବାରୁ ସେ ବାଉଁଶୁଣି ଗ୍ରାମପଞ୍ଚାୟତର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଜଣାଇଥିଲେ। ଏନେଇ ଅଧିକାରୀ କହିଥିଲେ, ତୁମ ଭତ୍ତା ଟଙ୍କା ପୋଷ୍ଟ ଅଫିସକୁ ଆସିଛି, ତମେ ସେଠାକୁ ଯାଅ। ତେବେ ବୃଦ୍ଧା ଜଣକ ପୋଷ୍ଟ ଅଫିସକୁ ଯାଇଥିଲେ ମଧ୍ୟ ତାଙ୍କ ଭତ୍ତା ଟଙ୍କା ଆସିନଥିବା କହିଥିଲେ। ପରେ ପଞ୍ଚାୟତ ନିର୍ବାହୀ ଅଧିକାରୀ କହିଲେ, ତୁମ ଷ୍ଟେଟବ୍ୟାଙ୍କ୍ ପାସବୁକ୍ କେୱାଇସି ହୋଇନଥିବାରୁ ଟଙ୍କା ଆସିନାହିଁ, ତୁମେ ବ୍ୟାଙ୍କକୁ ଯାଇ କେୱାଇସି କରିବା ପାଇଁ କହିଥିଲେ। ବୃଦ୍ଧା ଜଣକ ବ୍ୟାଙ୍କକୁ କେୱାଇସି କରିବା ପାଇଁ ଯାଇଥିଲେ। ସେଠାରେ ବ୍ୟାଙ୍କ୍ କର୍ମଚାରୀ ତାଙ୍କର କେୱାଇସି ଅଛି ଏବଂ ପାସବୁକ୍ ଚାଲୁଥିବା କହିଥିଲେ। ଏମିତି ୫ ଦିନ ହେଲା ବୃଦ୍ଧା ଜଣକ ପୋଷ୍ଟ ଅଫିସ, ବ୍ୟାଙ୍କ୍, ପଞ୍ଚାୟତକୁ ଦୌଡ଼ି ଦୌଡ଼ି ନୟାନ୍ତ ହେବା ସହ ପଞ୍ଚାୟତ କାର୍ଯ୍ୟାଳୟରେ ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ରହୁଥିବା ଦେଖିବାକୁ ମିଳିଛି। ତେବେ ଏ ସମ୍ପର୍କରେ ବାଉଁଶୁଣି ସରପଞ୍ଚ ଅଇଁଠୁ ମହାଲିକଙ୍କୁ ପଚାରିବାରୁ, ତାଙ୍କ ଭତ୍ତା ଟଙ୍କା ପଞ୍ଚାୟତକୁ ଆସିଛି ସେ ପଞ୍ଚାୟତରୁ ପାଇବେ ବୋଲି କହୁଥିବା ବେଳେ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରହଲ୍ଲାଦ ଭୋଇ ତାଙ୍କର ଭତ୍ତା ଟଙ୍କା ପଞ୍ଚାୟତକୁ ଆସିନଥିବା କହିଛନ୍ତି। ଅନ୍ୟପଟେ ରଇବାରୀ ନିଜେ ଚଳିବା ପାଇଁ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ କିଛି ନଥିବା ବେଳେ ଧାର ଉଦ୍ଧାର କରି ଦୁଇ ମାସ ହେଲା ଚଳି ଆସୁଛନ୍ତି । ଧାର ଉଦ୍ଧାରରେ ଚଳିବେ ବା କେତେ ଦିନ।

ରଇବାରୀ ଜିଲା ପ୍ରଶାସନଙ୍କୁ ଅନୁରୋଧ କରି କହିଛନ୍ତି ଯେ, ମୋ ପରି ଆଉ କାହାକୁ ହଇରାଣ ନକରନ୍ତୁ। ଶୀଘ୍ର ତାଙ୍କ ଭତ୍ତା ଟଙ୍କା ଦିଅନ୍ତୁ। ଦୁଇ ଦୁଇ ମାସ ଭତ୍ତା ଟଙ୍କା ନ ମିଳିବା ନେଇ ବୃଦ୍ଧା ଜଣକ ହଇରାଣ ହେଉଥିବା ବେଳେ କାନ୍ଦି କାନ୍ଦି ଭିଡିଓରେ ପ୍ରଶାସନକୁ ଗୁହାରି କରୁଥିବା ଭାଇରାଲ ହେବା କ୍ଷଣି ପଞ୍ଚାୟତ ତରଫରୁ ଘରକୁ ଭତ୍ତା ଆଣିଦେବା ଏବେ ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି।

Comments are closed.