ସମାଜ ଡିଜିଟାଲ ଡେସ୍କ: ଆସନ୍ତା ନଭେମ୍ବର ୫ରୁ ୧୨ ତାରିଖ ପର୍ଯ୍ୟନ୍ତ ଐତିହାସିକ କଟକ ବାଲିଯାତ୍ରା ଅନୁଷ୍ଠିତ ହେବ। ଏହି ବୃହତ ବାଣିଜ୍ୟିକ ମେଳାର ପ୍ରସ୍ତୁତି ସମ୍ପର୍କରେ ସମୀକ୍ଷା କରିଛନ୍ତି ଉନ୍ନୟନ କମିଶସନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ।
ଚଳିତବର୍ଷ ବାଲିଯାତ୍ରାରେ ୭୦ ଲକ୍ଷ ଲୋକଙ୍କ ସମାଗମ ହେବାର ଆକଳନ କରାଯାଇଛି। ଦର୍ଶକମାନଙ୍କ ସମସ୍ତ ପ୍ରକାର ସୁବିଧା ପାଇଁ ଗୁରୁତ୍ଵ ଦେଇଛନ୍ତି ଉନ୍ନୟନ କମିଶନର। ବାଲିଯାତ୍ରାରେ କେଉଁ କେଉଁ ସ୍ଥାନରେ କ’ଣ ସୁବିଧା ରହିଛି ଏବଂ ଜରୁରୀ ସହାୟତା ଆବଶ୍ୟକତା ପାଇଁ ଏକ ମୋବାଇଲ ଆପ୍ ବିକଶିତ କରିବାକୁ ସେ ଜିଲାପାଳଙ୍କୁ ପରାମର୍ଶ ଦେଇଛନ୍ତି। ବିଭିନ୍ନ ବିଭାଗକୁ ନେଇ ସମନ୍ବିତ କଂଟ୍ରୋଲ ରୁମ ସ୍ଥାପନ ପାଇଁ ମଧ୍ୟ ପରାମର୍ଶ ଦେଇଛନ୍ତି।
ଚଳିତବର୍ଷ ବାଲିଯାତ୍ରାରେ ୧୬୭୦ଟି ଷ୍ଟଲ ଆବଣ୍ଟନ କରାଯିବାକୁ ଲକ୍ଷ୍ୟ ରଖାଯାଇଛି। ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ତରଫରୁ ଓରମାସ ଆୟୋଜନରେ ୫୦୦ ଷ୍ଟଲ ସ୍ଥାପନ କରାଯାଇ ଜାତୀୟ ପଲ୍ଲୀଶ୍ରୀ ମେଳା କରାଯିବ। ଗତବର୍ଷ ବାଲିଯାତ୍ରାରେ ୨୦୦ କୋଟିର ବ୍ୟବସାୟ ହୋଇଥିବାବେଳେ ଓରମାସର କେବଳ ୫୦ କୋଟିର ବ୍ୟବସାୟ ହୋଇଥିଲା। ବାଲିଯାତ୍ରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିଚାଳନା ତରଫରୁ ବଲିଉଡ, ଓଲିଉଡ ଏବଂ ଅନ୍ୟ ଜାତୀୟ ଓ ଅନ୍ତର୍ଜାତୀୟ ସାଂସ୍କୃତିକ ଦଳ ଅଂଶଗ୍ରହଣ କରିବା ନେଇ ପ୍ରସ୍ତାବ ଦିଆଯାଇଥିବା ଜିଲାପାଳ ସୂଚନା ଦେଇଛନ୍ତି। ବର୍ତ୍ତମାନ ସୁଦ୍ଧା ୮୦ଟି ସ୍ଥାନୀୟ ଏବଂ ଜାତୀୟ ସ୍ତରୀୟ ସାଂସ୍କୃତିକ ଅନୁଷ୍ଠାନଠାରୁ ବାଲିଯାତ୍ରାରେ ଅଂଶଗ୍ରହଣ ପାଇଁ ଆବେଦନ ଗ୍ରହଣ ହୋଇଛି।
ଲୋକସେବା ଭବନରେ ଆୟୋଜିତ ବୈଠକରେ କଟକ ଜିଲାପାଳ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେ, ରାଜ୍ୟ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ସଚିବ ଡ. ବିଜୟ କେତନ ଉପାଧ୍ୟାୟ, ସିଏମସି କମିଶସନର କୀରନଦୀପ କୌର ସହୋଟା, ରାଜ୍ୟ ଯୋଜନା ଓ ସଂଯୋଜନ ବିଭାଗ ସମେତ ଜିଲା ପ୍ରଶାସନର ବରିଷ୍ଠ ପଦାଧିକାରୀ ଉପସ୍ଥିତ ଥିଲେ।



