ବାଲିଆପାଳ: ସୁବର୍ଣ୍ଣରେଖା ବନ୍ୟାର ପଞ୍ଚମ ଦିନରେ ଜଳସ୍ତର ହ୍ରାସ ପାଇଛି। ବନ୍ୟା ପାଣି କେତେକ ଗାଁରେ ଛାଡ଼ିଥିବାବେଳେ ୨ଟି ପଞ୍ଚାୟତର ୫ଟି ଗାଁ ବାହ୍ୟଜଗତରୁ ବିଛିନ୍ନ ରହିଛି। ପାଣି ଛାଡ଼ିଥିବା ଉଜୁଡ଼ା କ୍ଷେତ ଦେଖି ଚାଷୀ ଲୁହ ଝରାଉଥିବାବେଳେ ଭୋକରେ ଆଉଟୁ ପାଉଟୁ ହେଉଛନ୍ତି ଗୃହପାଳିତ ପଶୁ।
ବାଲେଶ୍ବର ଜିଲା, ବାଲିଆପାଳ ବ୍ଲକର ବିଷ୍ଣୁପୁର ପଞ୍ଚାୟତର ନୟାବାଲି, ରସଲପୁର, ଇକଡପାଳ ଏବଂ ଜାମକୁଣ୍ଡ ପଞ୍ଚାୟତର କୁହ୍ଲାଚଡ ଓ ତାଳପଦା ଗାଁ ପାଣି ଘେରେ ଏବେବି ରହିଛି। ଚଳିତ ବର୍ଷ ଲଗାତାର ପାଞ୍ଚ ଥର ବନ୍ୟା ଆସିବାରୁ ଚାଷୀଙ୍କ ଖରିଫ ଧାନର ତଳି ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇଯାଇଥିଲା। ଚାଷୀ ବନ୍ୟା ଆଗରେ ହାର ନ ମାନି ପୁଣି ଥରେ ନିଜ ମନବଳ ଦୃଢ଼ କରି ତଳି ପକାଇ କିଛି ରୁଆରୁଇ କରିଥିଲେ। କିଛି ଚାଷୀ ଦୂର ଦୂରାନ୍ତରୁ ତଳି ଆଣି ନିଜ ନିଜ ଚାଷ ଜମିରେ ରୁଆ ପୋତା କରିଥିଲେ; ମାତ୍ର ସୁବର୍ଣ୍ଣରେଖା ନଦୀ ଯେମିତି ଚାହିଁ ବସିଥିଲା ଚାଷୀଙ୍କ ଛନଛନିଆ ରୁଆ ହୋଇଥିବା କ୍ଷେତକୁ। ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ଚଳିତ ମାସ ୨୪ ତାରଖରେ ପୁଣି ଥରେ ସୁବର୍ଣ୍ଣରେଖା ନଦୀରେ ବର୍ଷର ଷଷ୍ଠ ବନ୍ୟା ଆଜି ସବୁ ଉଜାଡ଼ି ଦେଇଛି।
ପ୍ରଥମ ଦୁଇଟି ବନ୍ୟାରେ ବାଲିଆପାଳ ବ୍ଲକର ୧୦ଟି ପଞ୍ଚାୟତର ୩୦୦ ହେକ୍ଟରରୁ ଊର୍ଦ୍ଧ୍ବ ପନିପରିବା ଚାଷ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା। ଯେଉଁଥି ପାଇଁ ଷଷ୍ଠ ବନ୍ୟାରେ ୨.୫ ହଜାର ହେକ୍ଟରରୁ ଅଧିକ ଖରିଫ ଧାନ ନଷ୍ଟ ହୋଇଯାଇଥିବା ପରିସ୍ଥିତି ସୃଷ୍ଟି ହୋଇଛି। ବନ୍ୟାକୁ ପାଞ୍ଚ ଦିନ ବିତି ଯାଇଥିଲେ ମଧ୍ୟ ଗୃହପାଳିତ ପଶୁଙ୍କୁ ଗୋଖାଦ୍ୟ ଯୋଗାଇ ଦିଆଯାଇନଥିବା ଜଣାପଡିଛି। ବାଲିଆପାଳ ବ୍ଲକକୁ ୪୨୦ କ୍ୟୁଣ୍ଟାଲ ଗୋଖାଦ୍ୟ ସରକାରଙ୍କ ପକ୍ଷରୁ ଦିଆଯାଇଥିବା ସୂଚନା ମିଳିଛି। ଖାଦ୍ୟ ଅଭାବ ଯୋଗୁଁ ଗୃହପାଳିତ ପଶୁ ଡହଳ ବିକଳ ହେଉଛନ୍ତି। ବୁଧବାର ଅପରାହ୍ନ ଶୁଦ୍ଧା ସୁବର୍ଣ୍ଣରେଖା ନଦୀରେ ଜଳସ୍ତର କମିଛି। ବିଷ୍ଣୁପୁର ପଞ୍ଚାୟତର ରସଲପୁର, ନୟାବାଲି ଓ ଇକଡପାଳରେ ୧୪ ଶହ ଲୋକଙ୍କୁ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଇଛି। ଅନ୍ୟପକ୍ଷରେ ନଷ୍ଟ ହୋଇଯାଇଥିବା ଧାନ ଚାଷର ତୁରନ୍ତ ତଦନ୍ତ କରି କ୍ଷତିପୂରଣ ସହିତ ଯଥାଶୀଘ୍ର ସହାୟତା ଯୋଗାଇ ଦେବାକୁ ବନ୍ୟା ପ୍ରଭାବିତ ଜନସାଧାରଣ ଦାବି କରିଛନ୍ତି। ତେବେ ବାଲିପାଳ ବ୍ଲକ୍ ଅଞ୍ଚଳରେ ୬ଷ୍ଠ ଥର ବନ୍ୟା ପ୍ରଭାବିତ ହୋଇଥିବାବେଳେ ଅଗଷ୍ଟ ୨୮ ସୁଦ୍ଧା ସରକାରଙ୍କ ପକ୍ଷରୁ ଥରେ ମାତ୍ର ରିଲିଫ ଚାଉଳ ବିପନ୍ନଙ୍କୁ ପ୍ରଦାନ କରାଯାଇଛି। ସେହିପରି ଆବଶ୍ୟକ ଅନୁଯାୟୀ ଗୋଖାଦ୍ୟ ଯୋଗାଇ ଦିଆଯାଇ ନାହିଁ।



