ସମାଜ ଡିଜିଟାଲ ଡେସ୍କ: ରବିବାର ରାତିରେ ପହଞ୍ଚିବ ବଳଙ୍ଗା ପୀଡ଼ିତାଙ୍କ ମରଶରୀର। ନୂଆଦିଲ୍ଲୀର ଏମ୍ସ ଡାକ୍ତରଖାନାରୁ ପୀଡ଼ିତାଙ୍କ ମରଶରୀର ଆଣିବା ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟବସ୍ଥା କରାଯାଇଛି। ରାତି ପ୍ରାୟ ୧୧ଟା ସୁଦ୍ଧା ମରଶରୀର ଭୁବନେଶ୍ଵର ବିମାନବନ୍ଦରରେ ଆସି ପହଞ୍ଚିବା ପରେ ସେଠାରେ ପୈତୃକ ଗ୍ରାମ ପୁରୀ ଜିଲା ବଳଙ୍ଗା ଥାନା ଅନ୍ତର୍ଗତ ନୂଆ ଗୋପାଳପୁରକୁ ନିଆଯିବ। ସେଠାରେ ଶେଷକୃତ୍ୟ କରାଯିବ। ଶେଷକୃତ୍ୟ ପାଇଁ ଶୋକାକୂଳ ପରିବେଶରେ ଗାଁରେ ପ୍ରସ୍ତୁତି କରାଯାଉଛି। ମରଶରୀରକୁ ଯେଉଁଠି ସମାଧି ଦିଆଯିବ ସେଠାରେ ଗର୍ତ୍ତ ଖୋଳାଯାଉଛି।
ଅଭିଯୋଗ ଅନୁସାରେ, ଗତ ଜୁଲାଇ ୧୯ ତାରିଖରେ ନାବାଳିକାଙ୍କୁ କିଛି ଦୁର୍ବୃତ୍ତ ଉଠାଇ ନେଇଥିଲେ। ଘରଠାରୁ କିଛି ଦୂରରେ ନଦୀ ବନ୍ଧରେ ତାଙ୍କ ଶରୀରରେ କିରୋସିନ ଢାଳି ନିଆଁ ଲଗାଇ ଦିଆଯାଇଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ଭୁବନେଶ୍ଵର ଏମସରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। କିନ୍ତୁ ଅବସ୍ଥା ସଙ୍କଟାପନ୍ନ ରହିବାରୁ ୨୦ ତାରିଖ ଦିନ ତାଙ୍କୁ ଦିଲ୍ଲୀ ଏମ୍ସକୁ ଏୟାରଲିଫ୍ଟ କରାଯାଇଥିଲା। ଶରୀରର ୭୦ ପ୍ରତିଶତ ପୋଡ଼ିଯାଇଥିବାରୁ ତାଙ୍କ ଅବସ୍ଥା ଗୁରୁତର ରହିଥିଲା।
ଚିକିତ୍ସା ଜାରି ରହିବା ସହିତ ତାଙ୍କ ଶରୀରରେ ସ୍କିନ ଗ୍ରାଫ୍ଟିଂ କରାଯାଇଥିଲା। ୩ ଥର ଅପରେସନ କରାଯାଇ ସ୍କିନ ଗ୍ରାଫ୍ଟିଂ କରାଯାଇଥିଲା। ଡାକ୍ତରଙ୍କ ସମସ୍ତ ପ୍ରୟାସ ସତ୍ବେ ଡାକ୍ତରମାନେ ତାଙ୍କୁ ବଞ୍ଚାଇ ପାରି ନ ଥିଲେ। ଗତ ଶନିବାର ସନ୍ଧ୍ୟା ୬ଟା ୨୨ ମିନିଟରେ ପୀଡ଼ିତା ଆଖି ବୁଜିଥିଲେ। ଏହି ଖବର ମିଳିବା ପରେ ସାରା ରାଜ୍ୟରେ ଶୋକର ଛାୟା ଖେଳିଯାଇଛି। ପୀଡ଼ିତାଙ୍କ ଗାଁ ନୂଆ ଗୋପାଳପୁରରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି।
ସୂଚନାଯୋଗ୍ୟ, ବାଲେଶ୍ଵର ଜିଲା ଏଫଏମ ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କ ଆତ୍ମାହୁତି ଘଟଣାକୁ ନେଇ ରାଜ୍ୟରେ ହଇଚଇ ସୃଷ୍ଟି ହୋଇଥିଲା। ଏହା ପରେ ବଳଙ୍ଗା ପୀଡ଼ିତାଙ୍କ ସହିତ ଏଭଳି ବର୍ବରତା ନାରୀ ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଥିଲା। ଘଟଣାର ୧୫ ଦିନ ବିତିଯାଇଥିଲେ ବି ପୁଲିସ କିମ୍ବା କ୍ରାଇମବ୍ରାଞ୍ଚ ଘଟଣାର କୌଣସି ଅଭିଯୁକ୍ତଙ୍କୁ ଧରିପାରି ନାହିଁ। ବରଂ ଏହି ଘଟଣାରେ କାହାରି ସମ୍ପୃକ୍ତି ନାହିଁ ବୋଲି ଓଡ଼ିଶା ପୁଲିସ ପକ୍ଷରୁ ଶନିବାର ସାମାଜିକ ଗଣମାଧ୍ୟମ ଏକ୍ସ’ରେ ଏକ ପୋଷ୍ଟ କରି କୁହାଯାଇଥିଲା। ଯାହାଫଳରେ ଘଟଣାର ତଦନ୍ତକୁ ନେଇ ଏବେ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।



