www.samajalive.in
Friday, December 5, 2025
27.1 C
Bhubaneswar

ବଳଙ୍ଗା ବର୍ବରତା; ରହସ୍ୟ ଭେଦିବ ରୁପାମୁଦି

ଭୁବନେଶ୍ବର/ବଳଙ୍ଗା: ପୁରୀ ଜିଲା ବଳଙ୍ଗା ବର୍ବରତାକୁ ସପ୍ତାହେ ପୂରିଛି। ରହସ୍ୟ ହଟାଇବା ଲାଗି ତଦନ୍ତକୁ ଆହୁରି ଗତିଶୀଳ କରିବାରୁ ମାମଲା ନୂଆମୋଡ଼ ନେଇଛି। ଘଟଣାସ୍ଥଳରୁ ମିଳିଥିବା ରୁପାମୁଦି ଥିଓରୀରୁ ପୁଲିସକୁ ମିଳିଛି ନୂଆ ପ୍ରମାଣ। ରୁପା ମୁଦି ବିକ୍ରି କରିଥିବା ଗହଣା ଦୋକାନୀଙ୍କୁ ଚିହ୍ନଟ କରାଯାଇଛି। ତାଙ୍କୁ ପଚରାଉଚରା ପରେ ନୂଆ ତଥ୍ୟ ସାମ୍‌ନାକୁ ଆସିଛି। ରୁପାମୁଦିକୁ ପୀଡ଼ିତାଙ୍କ ନାବାଳିକା ବାନ୍ଧବୀ ଅଢ଼େଇ ମାସ ତଳେ ବଳଙ୍ଗା ବଜାରରେ ଥିବା ଏକ ଗହଣା ଦୋକାନରୁ ୫୦୦ ଟଙ୍କା ଦେଇ କିଣିଥିଲେ। ଉକ୍ତ ରୁପାମୁଦି ପୁଅ ପିଲାଙ୍କ ମୁଦି। ଘଟଣାସ୍ଥଳରୁ ଜବତ ମୁଦି ସମ୍ପୂର୍ଣ୍ଣ ନୂଆ ଅଛି। ଦୋକାନୀର ମାଲିକ କୃଷ୍ଣଚନ୍ଦ୍ର ସାହୁଙ୍କୁ ତଦନ୍ତକାରୀ ଦଳ ଜେରା କରିଛି। ରାତିତମାମ ତାଙ୍କୁ ଥାନାକୁ ଡାକି ଅନେକ ପ୍ରଶ୍ନ ପଚାରି ତଥ୍ୟ ହାସଲ କରିଛି ପୁଲିସ। ପୀଡ଼ିତାଙ୍କ ନିକଟକୁ କେମିତି ରୁପାମୁଦି ଆସିଲା, ତାକୁ ନେଇ ପ୍ରଶ୍ନ ଉଠୁଛି। ମୁଦି କିଣିଥିବା ପୀଡ଼ିତା ବାନ୍ଧବୀଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଇଛି। ଶୁକ୍ରବାର ସକାଳୁ ସମ୍ପୃକ୍ତ ନାବାଳିକାଙ୍କୁ ପଚରାଉଚରା ସହ ବୟାନ ରେକର୍ଡ ହୋଇଛି। ଉକ୍ତ ଗହଣା ଦୋକାନରୁ ରୁପାମୁଦି କିଣିବାକୁ ଯାଇଥିବା ନାବାଳିକାଙ୍କ ସହ ପୀଡ଼ିତା ଯାଇଥିବା ତଦନ୍ତରୁ ଜଣାପଡ଼ିଛି। ପୁଅ ପିଲାଙ୍କ ମୁଦି ମିଳିବା ପରେ ନୂଆ ଦିଗ ପ୍ରତି ଆଭାସ ମିଳିଛି। ଗହଣା ଦୋକାନର ମାଲିକ କହିଛନ୍ତି, ଜଣେ ନାବାଳିକା ମୁଦିକୁ ୪୫୦ରୁ ୫୦୦ ଟଙ୍କା ଦେଇ ନେଇଥିଲେ। ରୁପାମୁଦି କିଣିଥିବା ନାବାଳିକା ଓ ତାଙ୍କ ପରିବାର ଦୋକାନରୁ ପୂର୍ବରୁ ଜିନିଷ କିଣାକିଣି କରିଥାନ୍ତି। ଏପରିକି ସେମାନଙ୍କ ୧୮୦୦ରୁ ୧୯୦୦ ଟଙ୍କା ବାକି ରହିଛି। ପୁଲିସ ଥାନାକୁ ଡ‌ାକି ୧୦ରୁ ୧୫ ମିନିଟ୍‌ ଜେରା କରିବା ସହ ଉକ୍ତ ମୁଦିର ଫଟୋ ଦେଖାଇଥିଲା। ଉକ୍ତ ଫଟୋରୁ ମୁଦିଟି ବ୍ୟବହାର କରାଯାଇନି ଓ ସମ୍ପୂର୍ଣ୍ଣ ନୂଆ ବୋଲି ଜଣାପଡ଼ିଛି।
ପୀଡ଼ିତାଙ୍କ ବୟାନରୁ ବଳଙ୍ଗା ରହସ୍ୟର ଅଡୁଆ ସୂତା ଖୋଲିବାକୁ ଆରମ୍ଭ କରିଛି। ଦିଲ୍ଲୀ ଏମ୍ସରେ ପୀଡ଼ିତାଙ୍କ ବୟାନ ରେକର୍ଡ କରିଛି କ୍ରାଇମ୍‌ବ୍ରାଞ୍ଚ। ଘଟଣାର ସପ୍ତାହେ ପରେ ମାଜିଷ୍ଟ୍ରେଟ୍‌, ଡାକ୍ତରୀ ଦଳ ଉପସ୍ଥିତିରେ ପୀଡ଼ିତାଙ୍କ ବୟାନ ରେକର୍ଡ ଓ ଭିଡ଼ିଓ ରେକର୍ଡ କରିଛି ପୁଲିସ। ବୟାନ ରେକର୍ଡ ସମୟରେ ପୀଡ଼ିତାଙ୍କ ପରିବାରର ଜଣେ ସଦସ୍ୟ ମଧ୍ୟ ଉପସ୍ଥିତ ଥିଲେ। ପୀଡ଼ିତାଙ୍କ ବୟାନ ରେକର୍ଡ ଆଧାରରେ ତଦନ୍ତକୁ ଆହୁରି କ୍ରିୟାଶୀଳ କରିବା ସହ ଦୁର୍ବୃତ୍ତଙ୍କ ନିକଟରେ ପହଞ୍ଚିବାକୁ ଉଦ୍ୟମ କରୁଛି ତଦନ୍ତକାରୀ ଦଳ। ପୀଡ଼ିତାଙ୍କ ବୟାନ ରେକର୍ଡ ପରେ ଶୁକ୍ରବାର ଅପରାହ୍ଣରେ ପୀଡ଼ିତାଙ୍କ ପରିବାର ଲୋକଙ୍କୁ ପଚରାଉଚରା କରାଯାଇଥିଲା। ଅନୁରୂପ ଭାବେ ପୀଡ଼ିତାଙ୍କୁ ଉଦ୍ଧାର କରିଥିବା ଦୁଃଖୀଶ୍ୟାମଙ୍କୁ ଥାନାକୁ ଡକାଇ ପୁନର୍ବାର ପଚରାଉଚରା କରାଯାଇଛି। ଶୁକ୍ରବାର ସକାଳେ ତଦନ୍ତକାରୀ ଟିମ୍‌ ପୁନର୍ବାର ପୀଡ଼ିତାଙ୍କ ସାଙ୍ଗଘରକୁ ଯାଇ ପଚରା ଉଚରା କରିଥିଲା। ଏହି ନୃଶଂସ ଓ ଛାତିଥରା ଘଟଣା ପଛରେ କାହାର ସମ୍ପୃକ୍ତି ରହିଛି ସେ ସମ୍ପର୍କରେ ପୀଡ଼ିତା ବୟାନ ଦେଇଥିବା କୁହାଯାଉଛି।
ସେହିପରି ପୀଡ଼ିତାଙ୍କ ଦେହରେ ନିଆଁ ଲଗାଇଥିବା ଦୁର୍ବୃତ୍ତଙ୍କୁ ଚିହ୍ନଟ ଲାଗି ୧୫ଜଣିଆ ଦଳ ସମସ୍ତ ଦିଗକୁ ନେଇ ତଦନ୍ତ ଜାରି ରଖିଛି। କିଛି ସନ୍ଦିଗ୍ଧଙ୍କୁ ଦ୍ବିତୀୟ ପର୍ଯ୍ୟାୟରେ ଜେରା ଆରମ୍ଭ ହୋଇଛି। ପ୍ରତ୍ୟକ୍ଷ-ପରୋକ୍ଷ ଭାବେ ସମ୍ପୃକ୍ତ ଥିବା ବ୍ୟକ୍ତିଙ୍କୁ ସନ୍ଦେହକୁ ଆଣି ଜେରା କରାଯାଉଛି। ବିଶେଷକରି ସମ୍ପର୍କୀୟ ଓ ସହପାଠୀଙ୍କୁ ଜେରା କରି ନୂଆ ତଥ୍ୟ ଯୋଗାଡ଼ କରାଯାଇଛି। ଦିନ ଗଡ଼ୁଥିବା ବେଳେ ରହସ୍ୟ ଉପରୁ ପରଦା ହଟୁ ନଥିବାରୁ ପୁଲିସ ଓ ରାଜ୍ୟ ସରକାରଙ୍କ ଲାଗି ଅଡୁଆ ବଢ଼ିଛି। ମାମଲାର ତଦନ୍ତ ପ୍ରକ୍ରିୟା ଶେଷ ପର୍ଯ୍ୟାୟ‌େର ପହଞ୍ଚିଛି। ଖୁବ୍‌ଶୀଘ୍ର ଘଟଣା ଉପରୁ ରହସ୍ୟ ହଟିବ ବୋଲି ଜଣେ ବରିଷ୍ଠ ପୁଲିସ ଅଧିକାରୀ ସୂଚନା ଦେଇଛନ୍ତି।

Hot this week

ମୋଦୀ କହିଲେ ଭାରତ ନିରପେକ୍ଷ ନୁହେଁ, ବିଶ୍ୱ ଶାନ୍ତି ସପକ୍ଷରେ; ପୁଟିନ କଣ କହିଲେ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା...

କମିଲା ରେପୋ ହାର

ସମାଜ ଲାଇଭ ଡ଼େସ୍କ : ଭାରତୀୟ ରିଜର୍ଭ ବ୍ୟାଙ୍କର ତିନି ଦିନିଆ...

ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

Related Articles

Popular Categories