ଭୁବନେଶ୍ବର ; ବରିଷ୍ଠ ବିଜେପି ନେତା ତଥା ରାଷ୍ଟ୍ରୀୟ ଉପସଭାପତି ଶ୍ରୀଯୁକ୍ତ ବୈଜୟନ୍ତ ପଣ୍ଡାଙ୍କ ଉଦ୍ୟମରେ ତାମିଲନାଡୁର ତିରିପୁର୍ ଅଞ୍ଚଳରେ ପସି ରହିଥିବା ୧୨୭ ଜଣ ଓଡିଆ ଶ୍ରମିକଙ୍କ ପାଖରେ ଆଜି ଖାଦ୍ୟ ସାମଗ୍ରୀ ପହଞ୍ଚିଛି।
ସୂଚନାଯୋଗ୍ୟ, କରୋନା ଲକ୍ଡାଉନ ଯୋଗୁ ତାମିଲନାଡୁର ତିରିପୁର୍ ଅଞ୍ଚଳରେ କଳାହାଣ୍ଡି, ବରଗଡ, ରାଉରକେଲା ଓ ବ୍ରହ୍ମପୁର ଅଞ୍ଚଳର ୧୨୭ ଜଣ ଓଡିଆ ଶ୍ରମିକ ଦୁଇଟି ଗୋଷ୍ଠୀରେ ଭୋକ ଉପାସରେ ଫସି ରହିଥିଲେ। ଫସି ରହିଥିବା ଏହି ଓଡିଆ ଶ୍ରମିକମାନେ ଖାଦ୍ୟ ସାମଗ୍ରୀ ପାଇଁ ଶ୍ରୀ ପଣ୍ଡାଙ୍କୁ ନିବେଦନ କରିଥିଲେ। ଅନୁରୋଧ କ୍ରମେ ଶ୍ରୀ ପଣ୍ଡା ବିଜେପି ରାଷ୍ଟ୍ରୀୟ ସଂପାଦକ ୱାଇ. ସତ୍ୟକୁମାରଙ୍କ ସହ ଯୋଗାଯୋଗ କରି ତୁରନ୍ତ ଖାଦ୍ୟ ସାମଗ୍ରୀ ଯୋଗାଇ ଦେବାକୁ ଅନୁରୋଧ କରିଥିଲେ। ସତ୍ୟକୁମାରଙ୍କ ପରାମର୍ଶ କ୍ରମେ ସ୍ଥାନୀୟ ଛାତ୍ରନେତା ପୃଥୀଭି ଜି.ଏ. ତିରିପୁର ଜିଲ୍ଲାପାଳଙ୍କ ସହ ଯୋଗାଯୋଗ କରି ଏ ସଂକ୍ରାନ୍ତରେ ଅବଗତ କରାଇଥିଲେ। ଜିଲ୍ଲାପାଳ ତୁରନ୍ତ ଫସି ରହିଥିବା ଓଡିଆଙ୍କ ପାଖରେ ପହଞ୍ଚି ଆବଶ୍ୟକୀୟ ରାସନ୍, ଡାଲି ଏବଂ ପନିପରିବା ଯୋଗାଇ ଦେଇଛନ୍ତି। ଆବଶ୍ୟକ ହେଲେ ଆଗକୁ ଅଧିକ ଖାଦ୍ୟ ସାମଗ୍ରୀ ଯୋଗାଇ ଦେବାକୁ ପ୍ରତିଶ୍ରୁତି ମଧ୍ୟ ଦେଇଛନ୍ତି।
ଭୋକ ଉପାସରେ ଫସି ରହିଥିବା ଓଡିଆମାନଙ୍କୁ ତୁରନ୍ତ ସାହାଯ୍ୟ ଯୋଗାଇ ଥିବାରୁ ଶ୍ରୀ ପଣ୍ଡା ସ୍ଥାନୀୟ ପ୍ରଶାସନ ଏବଂ ସତ୍ୟକୁମାରଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଓଡିଆ ଶ୍ରମିକମାନେ ଶ୍ରୀ ପଣ୍ଡାଙ୍କ ତୁରନ୍ତ ହସ୍ତକ୍ଷେପ ପାଇଁ କୃତଜ୍ଞତା ଜଣାଇଛନ୍ତି।



