www.samajalive.in
Sunday, December 7, 2025
15.1 C
Bhubaneswar

ଚାଇନା ଓପନ : ସିନ୍ଧୁ, ଶ୍ରୀକାନ୍ତ କ୍ୱାର୍ଟରରେ ପରାସ୍ତ

ଚାଙ୍ଗ୍‍ଝୌ(ଚୀନ) : ଭାରତର ପିଭି ସିନ୍ଧୁ ଓ କିଦାମ୍ବି ଶ୍ରୀକାନ୍ତ ଏଠାରେ ଚାଲିଥିବା ଚାଇନା ଓପନ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟରେ ଯଥାକ୍ରମେ ମହିଳା ଓ ପୁରୁଷ ସିଙ୍ଗଲ୍‍ସ କ୍ୱାର୍ଟର ଫାଇନାଲରେ ପରାସ୍ତ ହୋଇଛନ୍ତି। ଶୁକ୍ରବାର ଖେଳାଯାଇଥିବା ମହିଳା ସିଙ୍ଗଲ୍‍ସ କ୍ୱାର୍ଟର ଫାଇନାଲରେ ଚୀନର ଚେନ୍‍ ୟୁଫେଇ ସିନ୍ଧୁଙ୍କୁ ପରାସ୍ତ କରିଥିବାବେଳେ ପୁରୁଷ ସିଙ୍ଗଲ୍‍ସ କ୍ୱାର୍ଟରରେ ବିଶ୍ୱ ଚମ୍ପିଆନ ଜାପାନର କେନ୍‍ତୋ ମୋମୋତା ଶ୍ରୀକାନ୍ତଙ୍କୁ ହରାଇଛନ୍ତି। ସିନ୍ଧୁ ଓ ଶ୍ରୀକାନ୍ତଙ୍କ ପରାଜୟ ସହ ଚଳିତ ଟୁର୍ଣ୍ଣାମେଣ୍ଟରେ ଭାରତୀୟ ଅଭିଯାନ ଶେଷ ହୋଇଛି।
ଶୁକ୍ରବାର ଖେଳାଯାଇଥିବା ମହିଳା ସିଙ୍ଗଲ୍‍ସ କ୍ୱାର୍ଟର ଫାଇନାଲରେ ୫ମ ସିଡ୍‍ ଚୀନର ଚେନ୍‍ ୟୁଫେଇ ୨୧-୧୧, ୧୧-୨୧, ୨୧-୧୫ ଗେମରେ ୩ୟ ସିଡ୍‍ ମାନ୍ୟତାପ୍ରାପ୍ତ ସିନ୍ଧୁଙ୍କୁ ପରାସ୍ତ କରିଛନ୍ତି। ଏହି ମୁକାବିଲା ୫୨ ମିନିଟ ମଧ୍ୟରେ ଶେଷ ହୋଇଥିଲା। ପ୍ରଥମ ଗେମରେ ୟୁଫେଇ ଚମତ୍କାର ସ୍ମାସ୍‍ ଓ ଡ୍ରପ୍‍ ସଟ୍‍ ଜରିଆରେ ସିନ୍ଧୁଙ୍କୁ ବିସ୍ମିତ କରିବା ସହ ଏହାକୁ ୨୧-୧୧ରେ ଜିତି ୧-୦ର ଆଗୁଆ ରହିଥିଲେ। ଦ୍ୱିତୀୟ ଗେମରେ ସିନ୍ଧୁ ଫର୍ମକୁ ଫେରିବା ସହ ମଧ୍ୟାନ୍ତର ସୁଦ୍ଧା ୧୧-୬ରେ ଆଗେଇ ଯାଇଥିଲେ। ବିରତି ପରେ ସିନ୍ଧୁ ସମ୍ପୂର୍ଣ୍ଣ ପ୍ରାଧାନ୍ୟ ବିସ୍ତାର କରି ଗୋଟିଏ ପରେ ଗୋଟିଏ ପଏଣ୍ଟ ହାତେଇ ନେବା ସହ ଏହି ଗେମକୁ ୨୧-୧୧ରେ ଜିତି ମ୍ୟାଚକୁ ୧-୧ ସ୍ଥିତିକୁ ଆଣିଥିଲେ। ନିର୍ଣ୍ଣାୟକ ତୃତୀୟ ଗେମରେ ସିନ୍ଧୁ ଅପେକ୍ଷାକୃତ ଅଧିକ କ୍ଲାନ୍ତ ଜଣାପଡୁଥିଲେ। ଏହାର ଫାଇଦା ଉଠାଇ ୟୁଫେଇ ଏକଦା ୧୪-୧୦ ପଏଣ୍ଟରେ ଆଗୁଆ ରହିଥିଲେ। ସିନ୍ଧୁ କଷ୍ଟସାଧ୍ୟ ଉପାୟରେ ଆଉ ପାଞ୍ଚ ପଏଣ୍ଟ ସଂଗ୍ରହ କରିଥିଲେ ସୁଦ୍ଧା ୟୁଫେଇ ଶେଷରେ ୨୧-୧୫ରେ ଏହି ଗେମ ଜିତି ସେମିରେ ସ୍ଥାନ ପକ୍କା କରିପାରିଛନ୍ତି। ଏଥରକୁ ମିଶାଇ ଉଭୟ ଖେଳାଳି ମୋଟ ସାତଥର ପରସ୍ପରକୁ ଭେଟିଥିବାବେଳେ ସିନ୍ଧୁ ଚାରି ଓ ୟୁଫେଇ ତିନିଥର ବିଜୟୀ ହୋଇଛନ୍ତି।
ପୁରୁଷ ସିଙ୍ଗଲ୍‍ସ କ୍ୱାର୍ଟର ଫାଇନାଲରେ ବିଶ୍ୱ ଚମ୍ପିଆନ ତଥା ଟୁର୍ଣ୍ଣାମେଣ୍ଟର ୩ୟ ସିଡ୍‍ ଜାପାନର କେନ୍‍ତୋ ମୋମୋତା ସିଧାସଳଖ ୨୧-୧୯, ୨୧-୧୧ ଗେମରେ ୭ମ ସିଡ୍‍ ଶ୍ରୀକାନ୍ତଙ୍କୁ ପରାସ୍ତ କରିଛନ୍ତି। ଏହି ମୁକାବିଲା ୨୮ ମିନିଟ ଧରି ଚାଲିଥିଲା। ଏହି ମ୍ୟାଚରେ ଶ୍ରୀକାନ୍ତ ତାଙ୍କ ପ୍ରତିପକ୍ଷ ଖେଳାଳିଙ୍କର ଉଚିତ ମୁକାବିଲା କରିପାରିନଥିଲେ। ଉଭୟ ଗେମରେ ମୋମୋତା ଉତ୍କର୍ଷ ଖେଳ ପ୍ରଦର୍ଶନ କରି ଏହି ମ୍ୟାଚକୁ ଏକତରଫାଭାବେ ହାତେଇ ନେଇଥିଲେ। ଏଥରକୁ ମିଶାଇ ଉଭୟ ଖେଳାଳି ପରସ୍ପରକୁ ୧୧ ଥର ଭେଟିଥିବାବେଳେ ଫଳାଫଳ ମୋମୋତାଙ୍କ ସପକ୍ଷରେ ୮-୩ ରହିଛି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories