ବଡ଼ମ୍ବା: ସମ୍ବିଧାନର ଧାରା ୩୭୧ ଅନୁଯାଇ ଆମ ରାଜ୍ୟକୁ କେନ୍ଦ୍ର ସରକାର ସ୍ୱତନ୍ତ୍ର ରାଜ୍ୟର ମାନ୍ୟତା ପ୍ରଦାନ କରିବାକୁ ଦୀର୍ଘ ପ୍ରାୟ ଏକବର୍ଷରୁ ଊର୍ଦ୍ଧ୍ବ ସମୟ ଧରି ନିରବଛିନ୍ନ ପଦଯାତ୍ରା ଜାରି ରଖିଛନ୍ତି ଜଗତସିଂହପୁର ଜିଲାର ଉଦିୟମାନ ଯୁବକ ସତ୍ୟବ୍ରତ ଦାସ। ଜନସଚେତନ ଲାଗି ଏକାକୀ ପଦଯାତ୍ରାରେ ରାଜ୍ୟର ସମସ୍ତ ଜିଲାର ୩୧୪ଟି ବ୍ଲକ ପରିକ୍ରମା କରିବାକୁ ଇଛା ରଖିଥିବା ସତ୍ୟବ୍ରତ ଆଜି ବଡ଼ମ୍ବା ବ୍ଲକରେ ପହଞ୍ଚିଥିଲେ। ଇତିମଧ୍ୟରେ ସେ ରାଜ୍ୟର ୨୬ଟି ଜିଲା ଏବଂ ୨୬୩ଟି ବ୍ଲକର ସଦରମହକୁମା ପରିକ୍ରମା କରିସାରିଥିବା ବେଳେ ଆଉ ୪ଟି ଜିଲା ବାକିଥିବା କହିଛନ୍ତି ସତ୍ୟବ୍ରତ। ମୁଖ୍ୟତଃ ରାଜ୍ୟର ବିଭିନ୍ନ ଅଞ୍ଚଳ ପରିକ୍ରମା କରି ଲୋକଙ୍କୁ ସଚେତନ କରାଇବାସହ ପ୍ରାନ୍ତିୟ ସମସ୍ୟା ବିଷୟରେ ଅନୁଧ୍ୟାନ କରିବାର ଅଭିଳାଶ ରଖିଥିବା ସତ୍ୟବ୍ରତ କହିଛନ୍ତି ରାଜ୍ୟର ଆଗାମି ପୀଢି କିଭଳି ଅଧିକରୁ ଅଧିକ ସ୍ୱାବଲମ୍ବି ହୋଇପାରିବେ ସେନେଇ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ଆମର ହକ୍ ଏବଂ ଏଦିଗରେ ତାଙ୍କର ପ୍ରୟାସ ଜାରି ରହିବ ବୋଲି ସେ ପ୍ରତିଜ୍ଞାବଦ୍ଧ ରହିଛନ୍ତି।
ବିଶେଷ ଭାବେ ସେ କୋରାପୁଟ,ସମ୍ବଲପୁର,ଫୁଲବାଣୀ,ମାଲକାନାଗିରି ଭଳି ବନାଞ୍ଚଳ ପରିକ୍ରମା କରିବା ବେଳେ ସାଉଁଟିଥିବା ଅନୁଭୁତି ତାଙ୍କୁ ଏଦିଗରେ ଅଧିକ ଉତ୍ସାହିତ କରିଥିବା ଏବଂ ଜନସମର୍ଥନକୁ ପାଥେୟ କରି ଲକ୍ଷ ହାସଲ ପର୍ଯ୍ୟନ୍ତ ଅଗ୍ରସର ହେଉଥିବା ସତ୍ୟବ୍ରତଙ୍କଠାରୁ ପ୍ରକାଶ।
ଉଦୁଉଦିଆ ଖରା ବେଳେ କାନ୍ଧରେ ଜାତୀୟ ପତାକା ଧରି ସତ୍ୟବ୍ରତ ବଡ଼ମ୍ବାରେ ପହିଲି କାର୍ତ୍ତିକରେ ପାଦ ଦେବାରେ ତାଙ୍କୁ ସ୍ଥାନୀୟ ନାରାୟଣଚନ୍ଦ୍ର ହାଟ ବଣିକ ସଂଘର ସଦସ୍ୟମାନେ ଭବ୍ୟ ସ୍ୱାଗତ ଜଣାଇଥିଲେ। ସଂଘର ସଭାପତି ଶିବନାରାୟଣ ମିଶ୍ର,ସମ୍ପାଦକ ଅକ୍ଷୟକୁମାର ତରାସିଆ,ଉପଦେଷ୍ଟା ସେବାନିବୃତ ଶିକ୍ଷକ ଭରତନାରାୟଣ ସାହୁ,ଦିବାକର ପାତ୍ର ପ୍ରମୁଖ ସତ୍ୟବ୍ରତଙ୍କୁ ପୁଷ୍ପଗୁଛ ଏବଂ ଉତ୍ତରୀୟ ଦେଇ ଶୁଭେଛା ଓ ଶୁଭକାମନା ଜଣାଇଥିଲେ। ସୋମବାର ସତ୍ୟବ୍ରତ ବ୍ଲକ କାର୍ଯ୍ୟାଳୟ ଯାଇ ବିଡିଓଙ୍କୁ ସାକ୍ଷାତ କରିବା ପରେ ତିଗିରିଆ,ଆଠଗଡ଼ ହୋଇ ବାଙ୍କୀ ଯିବାର କାର୍ଯ୍ୟକ୍ରମ ରଖିଥିବା ପ୍ରକାଶ। ସୂଚନାଥାଉକି ବାଲିକୁଦା ବ୍ଲକ ଭଗବାନ ସିଣ୍ଢୋଳ ଗ୍ରାମର ୩୦ବର୍ଷର ଏହି ଯୁବକ ସତ୍ୟବ୍ରତ ୨୦୧୯ ମସିହା ଜୁଲାଇ ୧୦ ତାରିଖରୁ ଯାଯପୁର ବଡ଼ଚଣା ବ୍ଲକରୁ ତାଙ୍କର ଏହି ଅବିରାମ ପଦଯାତ୍ରା ଆରମ୍ଭ କରିଥିବା ବେଳେ ସମଗ୍ର ଓଡ଼ିଶା ପରିଭ୍ରମଣ କାର୍ଯ୍ୟକ୍ରମ ଆସନ୍ତା ବର୍ଷ ଜାନୁଆରୀ ୨୩ ତାରିଖ ସୁଦ୍ଧା ଶେଷ କରିବେ ବୋଲି ଲକ୍ଷ୍ୟ ରଖିଥିବା ସୂଚନା ଦେଇଛନ୍ତି।



