ଆଠଗଡ: ବଙ୍ଗୋପସାଗରରେ ସାମୁଦ୍ରିକ ଝଡ ‘ମନ୍ଥା’ର ବିପଦ ଟଳି ଯାଇଥିଲେ ମଧ୍ୟ ତାର ପ୍ରଭାବରେ ବର୍ଷା ଏବେ ଦାଉ ସାଧୁଛି। ମଙ୍ଗଳବାର ରାତିରେ ‘ମନ୍ଥା’ ଆନ୍ଧ୍ରପ୍ରଦେଶର କାକିନାଡା ନିକଟରେ ସ୍ଥଳଭାଗ ଛୁଇଁବା ପୂର୍ବରୁ ଓଡିଶାର ଉପକୂଳବର୍ତ୍ତୀ ଜିଲ୍ଲାଗୁଡିକରେ ବର୍ଷା ଲାଗି ରହିଥିଲା । ଆଠଗଡ ଅଞ୍ଚଳରେ ମଙ୍ଗଳବାର ଏବଂ ବୁଧବାର ତୁହାକୁ ତୁହା ବର୍ଷା ହେବା ଫଳରେ କୃଷି କ୍ଷେତ୍ରରେ ବ୍ୟାପକ କ୍ଷତି ହୋଇଛି । ଆଠଗଡ ଅଞ୍ଚଳରେ ପାରମ୍ପରିକ ଧାନ ଚାଷ ଛଡା ବିଶେଷକରି ଶୀତଦିନିଆ ପନିପରିବା ଫସଲ ପ୍ରଚୁର ପରିମାଣର ଉତ୍ପାଦନ ହୋଇଥାଏ ଏବଂ ଏଅଞ୍ଚଳର ଚାଷୀ ବେଶ ଭଲ ରୋଜଗାର କରିଥାଆନ୍ତି । ଏବେ ଏହି ଅଦିନିଆ ବର୍ଷାରେ ପରିବା ଫସଲ ଉଜୁଡିଯିବା ଆଶଙ୍କାରେ ଚାଷୀ ମୁଣ୍ଡରେ ଚଡକ ପଡିଛି । ଏପରି ବର୍ଷା ଦ୍ବାରା ବ୍ୟାପକ ଜମିରେ ଲଗାଯାଇଥିବା ଫୁଲ କୋବି ଓ ବନ୍ଧା କୋବି ଅଧିକ କ୍ଷତିଗ୍ରସ୍ତ ହୋଇଥିବା ଜଣାପଡିଛି ।
ଆଠଗଡର ଜେନାପଦା, ବଡଭୂଇଁ, ଇଚ୍ଛାପୁର, ସମସରପୁର, ସଠିଲୋ, ଯୋରନ୍ଦା, ତରଡିଙ୍ଗ, ମହାକାଳବସ୍ତ, କଟକିଆସାହି ଆଦି ପଞ୍ଚାୟତ ଗୁଡିକରେ ଶହ ଶହ ହେକ୍ଟର ଜମିରେ ଫୁଲ ଓ ବନ୍ଧା କୋବି, ବିନସ୍, ଟମାଟୋ, ମୂଳା, ବାଇଗଣ, ଝୁଡ଼ଙ୍ଗ, କାକୁଡି, ଲଙ୍କା ଓ ଅନ୍ଯାନ୍ଯ ପରିବାରଗୁଡ଼ିକ ଫସଲ ଚାଷ ହୋଇଥାଏ । ବର୍ଷାରେ ଏସବୁ ପରିବା ଫସଲ ପଚି ଯିବା ସହିତ ରୋଗପୋକ ଲାଗି ନଷ୍ଟ ହୋଇଯିବାର ଯଥେଷ୍ଟ ଆଶଙ୍କା ରହିଛି । ବର୍ଷା ଥମିବା ପରେ କୃଷି ବିଭାଗ ପକ୍ଷରୁ କ୍ଷୟକ୍ଷତିର ଆକଳନ କରାଯାଇ ସରକାରଙ୍କୁ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ଏହି ବର୍ଷାରେ ଧାନ ଫସଲ ମଧ୍ୟ ବହୁ ପରିମାଣରେ କ୍ଷତିଗ୍ରସ୍ତ ହୋଇଛି ବୋଲି ଚାଷୀମାନେ ଅଭିଯୋଗ କରିଛନ୍ତି ।
ସରକାର କ୍ଷୟକ୍ଷତିର ଆକଳନ କରି ଚାଷୀଙ୍କୁ କ୍ଷତିପୂରଣ ବାବଦରେ ସହାୟତା ଦେବା ବୋଲି କହୁଥିଲେ ତାହା ସମୁଦ୍ରକୁ ଶଙ୍ଖେ ସଦୃଶ ହେବ । ତେବେ ଚାଷୀଙ୍କର ପ୍ରକୃତ କ୍ଷତି କେବେ ବି ଭରଣା ହୋଇ ପାରିବନି ବୋଲି କୃଷି ବିଷାରଦ ମତପୋଷଣ କରିଛନ୍ତି । ସେ ଯାହା ହେଉ କୃଷି ବିଭାଗ ଓ ଉଦ୍ୟାନ କୃଷି ବିଭାଗ ପକ୍ଷରୁ କ୍ଷେତ୍ରକୁ ଯାଇ ବାସ୍ତବ ସ୍ଥିତି ଅନୁଧ୍ୟାନ କରି କ୍ଷୟକ୍ଷତିର ଆକଳନ କରିବାକୁ ଚାଷୀଙ୍କ ପକ୍ଷରୁ ନିବେଦନ କରାଯାଇଛି । ଏହି ଦୈବୀ ଦୁର୍ବିପାକରେ କ୍ଷତିଗ୍ରସ୍ତ ଚାଷୀଙ୍କ ଅଣ୍ଟା ସଳଖିବା ଲାଗି ସରକାର ଉପଯୁକ୍ତ କ୍ଷତିପୁରଣ ଦେବାକୁ ଦାବି ହେଉଛି ।



