ଆଠଗଡ- ଆଠଗଡ ସହର ନିକଟବର୍ତ୍ତୀ ୬୫ ନଂ ରାଜ୍ଯ ରାଜପଥର ଦୋରଡରେ ଏକ ପିକ୍ ଅପ୍ ଭ୍ୟାନ ଧକ୍କାରେ ଜଣେ ବାଇକ ଆରୋହୀଙ୍କର ମୃତ୍ଯୁ ହୋଇଯାଇଥିବା ଜଣାପଡିଛି । ମୃତ ଯୁବକ ହେଲେ ଆଠଗଡ ସହର ଉପକଣ୍ଠ ରାଧାପତିପୁର ଗ୍ରାମର ବିଚିତ୍ର ରାଉତଙ୍କ ପୁଅ ବିପ୍ଲବ ରାଉତ (୩୦) ବୋଲି ଜଣାପଡିଛି । ଖୁଣ୍ଟୁଣୀର ଏକ ଗ୍ୟାରେଜରେ ମେକାନିକ୍ ଭାବେ କାର୍ଯ୍ଯରତ ବିପ୍ଳବ ନିଜ କାମ ସାରି ମଙ୍ଗଳବାର ରାତି ପ୍ରାୟ ୧୧ଟା ବେଳେ ଘରକୁ ଫେରୁଥିବାବେଳେ ଏହି ଦୁର୍ଘଟଣାର ଶିକାର ହୋଇଥିଲେ । ଦୋରଡ ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ଆଠଗଡ ପଟୁ ଯାଉଥିବା ଏକ କୁକୁଡ଼ା ବୋଝେଇ ପିକ୍ ଅପ୍ ଭ୍ୟାନ ତାଙ୍କ ବାଇକ୍କୁ ଧକ୍କା ଦେଇ ରାସ୍ତା ଉପରେ ଓଲଟି ପଡିଥିଲା । ଘଟଣାସ୍ଥଳରେ ବିପ୍ଲବଙ୍କର ମୃତ୍ୟୁ ହୋଇଯାଇଥିଲା ।
ଏହାକୁ ନେଇ ସେଠାରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇବା ସହ ଉତ୍ୟକ୍ତ ଲୋକମାନେ ରାସ୍ତା ଅବରୋଧ କରିଥିଲେ। ଖବର ପାଇ ଆଠଗଡ଼ ଉପଖଣ୍ଡ ଆରକ୍ଷୀ ଅଧିକାରୀ ବିଶ୍ବଜିତ ମହାନ୍ତି, ଥାନା ଅଧିକାରୀ ସୁମତି ମହାନ୍ତି ଓ ସହକାରୀ ଜିଲ୍ଲାପାଳ ମାନସ କୁମାର ବେହେରା ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ବୁଝାସୁଝା କରିବା ସହିତ ମୃତକଙ୍କୁ ଆଠଗଡ଼ ଉପଖଣ୍ଡ ଚିକିତ୍ସାଳୟକୁ ପଠାଇ ରାସ୍ତା ଅବରୋଧ ହଟାଇ ଥିଲେ। ବୁଧବାର ମୃତଦେହ ବ୍ୟବଚ୍ଛେଦ ହେବା ପରେ ପରିବାରକୁ ହସ୍ତାନ୍ତର କରାଯାଇଥିଲା । ଯୁବକଙ୍କ ମୃତ୍ଯୁକୁ ନେଇ ଡାକ୍ତରଖାନା ଓ ରାଧାପତିପୁର ଗ୍ରାମରେ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଥିଲା ।
ଏ ବାବଦରେ ଆଠଗଡ଼ ଥାନାରେ ଏକ ମାମଲା ରୁଜୁ ହେବା ସହିତ ପିକ୍ ଅପ୍ ଗାଡ଼ିର ଚାଳକ ପଶ୍ଚିମବଙ୍ଗର ସୁଶାନ୍ତ ଦେକୁ ଅଟକ ରଖା ଯାଇଥିବା ତଦନ୍ତକାରୀ ଅଧିକାରୀ ଉପନିରୀକ୍ଷକ ସମ୍ଭୁତି ପଣ୍ଡା ସୂଚନା ଦେଇଛନ୍ତି।



