ଆଠଗଡ଼: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଚତୁର୍ଥ ପର୍ଯ୍ୟାୟରେ ଆସନ୍ତା ୨୨ତାରିଖରେ ଆଠଗଡ଼ ବ୍ଲକର ନିର୍ବାଚନ ପାଇଁ ବ୍ୟାପକ ପ୍ରସ୍ତୁତି ଚାଲିଛି। ଆଠଗଡ଼ର ଗୋପବନ୍ଧୁ ବିଜ୍ଞାନ କଲେଜରେ ନିର୍ବାଚନରେ ନିୟୋଜିତ କର୍ମଚାରୀଙ୍କୁ ବିଭିନ୍ନ ବୁଥକୁ ପଠାଇବା ପାଇଁ ଏବଂ ନିର୍ବାଚନ ସରିବା ପରେ ସେମାନଙ୍କଠାରୁ ଭୋଟ ବାକ୍ସ ଓ ବିଭିନ୍ନ କାଗଜାଦି ସଂଗ୍ରହ କରିବା ପାଇଁ ସମସ୍ତ ବ୍ୟବସ୍ଥା ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଏଥିପାଇଁ କଲେଜରେ ୧୭ଟି ଅସ୍ଥାୟୀ କାଉଣ୍ଟର କରାଯାଇଛି। ଗୋଟିିଏ କାଉଣ୍ଟରରୁ ୨ଟି ଲେଖାଏଁ ପଞ୍ଚାୟତର ସମସ୍ତ ଭୋଟ ଗ୍ରହଣ କେନ୍ଦ୍ରକୁ ପୁଲିଂ ପାର୍ଟିଙ୍କୁ ଭୋଟ ବାକ୍ସ, ଭୋଟ କାଗଜ(ବ୍ୟାଲଟ ପେପର) ଏବଂ ଅନ୍ୟାନ୍ୟ ସାମଗ୍ରୀ ବଣ୍ଟନ ପାଇଁ ଏବଂ ନିର୍ବାଚନ ପରେ ସେଗୁଡିକୁ ଫେରସ୍ତ ପାଇଁ ବ୍ୟବସ୍ଥା କରାଯାଇଛି।
ଆଠଗଡ଼ର ୩୪ଟି ପଞ୍ଚାୟତର ୪୮୬ ବୁଥରେ ଭୋଟ ଗ୍ରହଣ କରାଯିବ ଏବଂ ମୋଟ ୧୧୩୩୭୭ଜଣ ମତଦାତା ସେମାନଙ୍କର ମତଦାନ କରିବେ। ଉପଜିଲ୍ଲାପାଳ ହେମନ୍ତ କୁମାର ସ୍ୱାଇଁ ଏବଂ ନିର୍ବାଚନ ଅଧିକାରୀ ତଥା ମଣ୍ଡଳ ଉନ୍ନୟନ ଅଧିକାରୀ ଅରୁଣ କୁମାର ଦାସ ଗୋପବନ୍ଧୁ ବିଜ୍ଞାନ କଲେଜରେ ନିର୍ବାଚନ ପରିଚାଳନା ପାଇଁ ଚାଲିଥିବା ପ୍ରସ୍ତୁତି ସଂପର୍କରେ ଅନୁଧ୍ୟାନ ପାଇଁ ଶନିବାର ସେଠାକୁ ଯାଇଥିଲେ। ଆସନ୍ତା ରବିବାର ନିର୍ବାଚନରେ ନିୟୋଜିତ ହେବାକୁ ଥିବା ଗାଡିମଟର କଲେଜଠାରେ ପହଞ୍ଚିବେ ଏବଂ ସୋମବାର (୨୧ତାରିଖ) ସକାଳ ୮ଟା ସୁଦ୍ଧା ନିର୍ବାଚନରେ ନିୟୋଜିତ ହେବାକୁ ଥିବା ସମସ୍ତ କର୍ମଚାରୀ ଯୋଗଦେବା ପରେ ସେମାନଙ୍କୁ ସେହି କଲେଜଠାରୁ ଭୋଟ ବାକ୍ସ ଓ ଅନ୍ୟାନ୍ୟ ସାମଗ୍ରୀ ସହିତ ବିଭିନ୍ନ ବୁଥକୁ ପଠାଯିବାର ବ୍ୟବସ୍ଥା କରାଯାଇଛି।
ଆସନ୍ତା ୨୬, ୨୭ ଓ ୨୮ତାରିଖରେ ସେହି ଗୋପବନ୍ଧୁ ବିଜ୍ଞାନ କଲେଜ ପ୍ରେକ୍ଷାଗୃହରେ କଡାସୁରକ୍ଷା ମଧ୍ୟରେ ଭୋଟ ଗଣତି ପାଇଁ ମଧ୍ୟ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଆଠଗଡ଼ର ୧ନଂ ଜୋନ ଅନ୍ତର୍ଗତ ସମସ୍ତ ପଞ୍ଚାୟତର ଭୋଟ ଗଣତି ୨୬ତାରିଖରେ, ୨ନଂ ଜୋନର ୨୭ତାରିଖରେ ଏବଂ ୩ନଂ ଜୋନର ୨୮ତାରିଖରେ ଭୋଟ ଗଣତି କରାଯିବ ବୋଲି ନିର୍ବାଚନ ଅଧିକାରୀ ତଥା ବିଡିଓ ଶ୍ରୀ ଦାସ ପ୍ରକାଶ କରିଛନ୍ତି।



