ହ୍ବାଙ୍ଗଝୋ: ଏସିଆ ମହାଦେଶର ସର୍ବବୃହତ କ୍ରୀଡ଼ା ମହୋତ୍ସବ ଏସୀୟ କ୍ରୀଡ଼ାର ୧୯ତମ ସଂସ୍କରଣ ଶନିବାର ସନ୍ଧ୍ୟାରେ ବିଧିବଦ୍ଧ ଭାବେ ଉଦ୍ଘାଟିତ ହୋଇଛି। ଚୀନର ହ୍ବାଙ୍ଗଝୋ ସହରର ଅଲିମ୍ପିକ୍ସ ସେଣ୍ଟର ଷ୍ଟାଡ଼ିୟମରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସହ ପ୍ରତିଯୋଗିତା ଉଦ୍ଘାଟିତ ହୋଇଛି। ଉଦ୍ଘାଟନୀ ଉତ୍ସବରେ ଚୀନ୍ ରାଷ୍ଟ୍ରପତି ସି ଜିନ୍ପିଙ୍ଗ୍ ଯୋଗ ଦେଇଥିଲେ। ଚୀନର ପାରମ୍ପରିକ ଓ ଆଧୁନିକ ନୃତ୍ୟ, ସଙ୍ଗୀତ ବେଶ ଚିତାକର୍ଷକ ଥିଲା। ପରେପରେ ଚୀନର ଇତିହାସ ଏବଂ ଏହାର ସଫଳତା ପ୍ରଦର୍ଶନ କରାଯାଇଥିଲା। ଚମତ୍କାର ଲେଜର ଶୋ ଖେଳାଳିମାନଙ୍କୁ ଆକର୍ଷିତ କରିଥିଲା। ପ୍ରାରମ୍ଭରୁ ଏସୀୟ କ୍ରୀଡ଼ାର ମାସ୍କଟ ପ୍ରତ୍ୟେକ ଦେଶର ଖେଳାଳି ଓ ଜାତୀୟ ପତାକାକୁ ସ୍ବାଗତ କରିଥିଲା। ପରେଡରେ ଆଫଗାନିସ୍ତାନ ଆଥ୍ଲେଟ୍ମାନେ ପ୍ରଥମେ ମାର୍ଚ୍ଚ ପାଷ୍ଟ କରିଥିଲେ।
ମାର୍ଚ୍ଚ ଫାଷ୍ଟରେ ଭାରତର ଜାତୀୟ ପତାକା ବହନ କରିଥିଲେ ପୁରୁଷ ହକି ଦଳ ଅଧିନାୟକ ହରମନପ୍ରୀତ ସିଂହ ଓ ଅଲିମ୍ପିକ୍ସ ପଦକ ବିଜେତା ମୁଷ୍ଟିଯୋଦ୍ଧା ଲଭଲିନା ବୋର୍ଗେହେନ୍ । ଉକ୍ତ କ୍ରୀଡ଼ା ମହାକୁମ୍ଭରେ ୪୫ଟି ଏସିଆ ଦେଶରୁ ୧୨୦୦୦ରୁ ଉର୍ଦ୍ଧ୍ବ ପ୍ରତିଯୋଗୀ ୪୦ଟି କ୍ରୀଡ଼ାର ୪୬୫ଟି ବିଭାଗରେ ପଦକ ପାଇଁ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି। ଚଳିତ ଥର ୪୦ଟି କ୍ରୀଡ଼ା ଶୃଙ୍ଖଳାରେ ଭାରତରୁ ମୋଟ ୬୫୫ଜଣ ଖେଳାଳି ଅଂଶଗ୍ରହଣ କରୁଛନ୍ତି। ସେମାନଙ୍କ ମଧ୍ୟରୁ ଦୌଡ଼କୁଦରେ ସର୍ବାଧିକ ୬୮ଜଣ ରହିଛନ୍ତି। ପ୍ରତିଯୋଗିତାରେ ଓଡ଼ିଶାରୁ ୧୪ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଛନ୍ତି। ସୂଚନାଯୋଗ୍ୟ, ହ୍ବାଙ୍ଗଝୋ ଏସୀୟ କ୍ରୀଡ଼ା ୨୦୨୨ରେ ଆୟୋଜିତ ହେବାର ଥିଲା। ଚୀନରେ କରୋନା ମହାମାରୀ ପାଇଁ ଏହାକୁ ୨୦୨୩କୁ ଘୁଞ୍ଚାଇ ଦିଆଯାଇଥିଲା।



