ଜାଗମରାରେ ଅର୍ଚ୍ଚନାଙ୍କ ରଙ୍ଗଶାଳା

ଭୁବନେଶ୍ବର: ଦିନ ଗଡୁଛି, ତାଲିକା ଲମ୍ବୁଛି। ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କ ସହ ରାଜନେତାଙ୍କ ସମ୍ପୃକ୍ତିର ଲମ୍ବା ଚିଠା ରହିଛି। ତାଙ୍କ ଲିଙ୍କ୍‌ରେ ଏବେ ନୂଆ ନୂଆ ଫର୍ଦ ଯୋଡ଼ି ହେବାରେ ଲାଗିଛି। ଅର୍ଚ୍ଚନାଙ୍କ ହାତମୁଠାରେ ୪ ବ୍ୟୁରୋକ୍ରାଟ୍‌ଙ୍କ ସମ୍ପୃକ୍ତି ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ନେତାଙ୍କଠାରୁ ଆରମ୍ଭ କରି ଶିଳ୍ପପତି ଓ ପ୍ରଭାବଶାଳୀ ବ୍ୟକ୍ତିଙ୍କ ସମ୍ପର୍କ ପଦାକୁ ଆସିଥିବା ବେଳେ ନାମୀଦାମୀ ଠିକାଦାର ମାୟାବିନୀଙ୍କ ବୋଲକରା ସାଜିଥିଲେ ବୋଲି ଜଣାପଡ଼ିଛି। ବ୍ୟୁରୋକ୍ରାଟ୍‌ଙ୍କ ଜରିଆରେ ଅର୍ଚ୍ଚନା କୋଟି କୋଟି ଟଙ୍କାର ଟେଣ୍ଡର ଫାଇନାଲ କରୁଥିଲେ। ରାଜନେତାଙ୍କ ଦ୍ବାରା ସେ ସରକାରୀ କର୍ମଚାରୀଙ୍କ ବଦଳି କରାଉଥିଲେ। ରାତି ପାହିଲେ ତାଙ୍କ ଘର ନିକଟରେ ଗଣ୍ଡା ଗଣ୍ଡା ଗାଡ଼ି ସାଙ୍ଗକୁ ହେଭିୱେଟ୍‌ଙ୍କ ଭିଡ଼ ଜମୁଥିଲା। ସେମାନଙ୍କ ସରକାରୀ କାମ ସଫଳ କରାଇବା ସହ ତାଙ୍କୁ ମାୟାଜାଲରେ ସେ ଫସାଉଥିଲେ। ପରେ ସେମାନଙ୍କୁ ବ୍ଲାକମେଲ୍‌ କରି କୋଟି କୋଟି ଟଙ୍କା ନେଉଥିଲେ। ଏହିଭଳି ନୟାଗଡ଼ ଅଞ୍ଚଳର ଜଣେ ବ୍ୟବସାୟୀ ତାଙ୍କ ଜାଲରେ ପଡ଼ି ୫୦ଲକ୍ଷ ଟଙ୍କା ଗଣିଥିବା ପୁଲିସ ଜାଣିବାକୁ ପାଇଛି। ସେ ବ୍ୟବସାୟୀ ଜଣକ କିଏ, ସେ ସଂକ୍ରାନ୍ତରେ ପୁଲିସ ମୁହଁ ଖୋଲିନାହିଁ।

ଖଣ୍ଡଗିରିସ୍ଥିତ ଜାଗମରା ଅଞ୍ଚଳରେ ଅର୍ଚ୍ଚନାଙ୍କ ରଙ୍ଗଶାଳା ଥିଲା। ଦେହଜୀବୀ ସେଠାରେ ରହୁଥିଲେ। ଭିଭିଆଇପି ସେଠାରେ ଦେହ ସୌଦା କରୁଥିଲେ। ବ୍ୟବସାୟୀ ଓ ଅନ୍ୟମାନଙ୍କୁ ସେ ରଙ୍ଗଶାଳାକୁ ପଠାଉଥିଲେ। ଗ୍ରାହକଙ୍କୁ ବ୍ଲାକମେଲ୍‌ କରିବା ପାଇଁ ସେ ଚାବି ରିଙ୍ଗ୍‌, ବଲ୍‌ବ ଓ ଭ୍ୟାନିଟିରେ ସ୍ପାଏ କ୍ୟାମେରା ଲଗାଇ ଟ୍ରାପ୍‌ କରୁଥିଲେ। ଏହାପରେ ସେମାନଙ୍କ ପାଇଁ ବ୍ଲାକମେଲ୍‌ ଜାଲ ବିଛାଉଥିଲେ। ଡିଲ୍‌ ଆଉ ଏଗ୍ରିମେଣ୍ଟ କରିବା ପରେ ତାଙ୍କୁ ଛାଡୁଥିଲେ। ଗିରଫ ସମୟରେ ଅର୍ଚ୍ଚନାଙ୍କ ଘରୁ ୫ରୁ ଅଧିକ ଦାମୀ କାର୍, ଜିପ୍ ଓ ବାଇକ୍ ପୁଲିସ ଠାବ କରିଥିଲା। ଏହିସବୁ ଗାଡ଼ିର ରେଜିଷ୍ଟ୍ରେସନ୍ ଯାଞ୍ଚ ପରେ ଯେଉଁ ତଥ୍ୟ ମିଳିଛି, ସେଥିରେ ପୁଲିସର ମୁଣ୍ଡ ଘୂରାଇ ଦେଇଛି। ଏସବୁ ସମ୍ପତ୍ତି ମଧ୍ୟରୁ ଅଧିକାଂଶ ବଡ଼ବଡ଼ିଆ ଲେଡି ବ୍ଲାକମେଲରକୁ ଉପହାର ଦେଇଥିବା ଜଣାପଡ଼ିଛି। ରାଜ୍ୟର ବହୁ ନେତା, ବ୍ୟବସାୟୀ, ଠିକାଦାର, ବ୍ୟୁରୋକ୍ରାଟ୍‌ ଓ ଫିଲ୍ମ କଳାକାରଙ୍କୁ ବ୍ଲାକମେଲିଂ କରି ଅର୍ଚ୍ଚନା କୋଟି କୋଟି ଟଙ୍କାର ମାଲିକ ହୋଇଛନ୍ତି। ତାଙ୍କ ସମ୍ପତ୍ତିର ହିସାବ ପାଇଁ ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) ଓ ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲ୍ୟୁ)କୁ ପୁଲିସ ଚିଠି ଲେଖିବ ବୋଲି ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି।

ସୂଚନାନୁସାରେ, ୨୦୧୬ରେ ଭୁବନେଶ୍ୱରରେ ଘର ଭଡ଼ା ନେଇ ରହୁଥିଲେ ଅର୍ଚ୍ଚନା। ୨୦୨୦ ଶେଷ ବେଳକୁ ସେ କୋଟି କୋଟି ଟଙ୍କାର ମାଲିକ ହୋଇଯାଇଥିଲେ। ଅର୍ଚ୍ଚନା କି ବ୍ୟବସାୟ କରୁଥିଲେ, କେଉଁ ଉପାୟରେ ଟଙ୍କା ଅର୍ଜନ କରୁଥିଲେ, କାହା ସହ କେତେ ଟଙ୍କା କାରବାର ହୋଇଛି, କେଉଁମାନେ ତାଙ୍କୁ ଟଙ୍କା ଦେଇଛନ୍ତି, ଏତେ ଟଙ୍କା ତାଙ୍କୁ ଦେବା ପଛର କାରଣ କ’ଣ ? ତା’ର ଉତ୍ତର ଖୋଜାଗଲେ ପ୍ରକୃତ ସତ୍ୟ ପଦାକୁ ଆସିବ ବୋଲି ସାଧାରଣରେ ଆଲୋଚନା ହେଉଛି।

Comments are closed.