ହାଇଦରାବାଦ: ଆନ୍ଧ୍ର ପ୍ରଦେଶ ଉପମୁଖ୍ୟମନ୍ତ୍ରୀ ପବନ କଲ୍ୟାଣଙ୍କ ବିରୋଧରେ ହାଇକୋର୍ଟରେ ଏକ ମାମଲା ଦାଏର କରାଯାଇଛି। ବିଜୟ କୁମାର ନାମକ ଜଣେ ପୂର୍ବତନ ଆଇଏଏସ ଅଧିକାରୀ ଏହି ମାମଲା ଦାଖଲ କରିଛନ୍ତି। ପବନ କଲ୍ୟାଣ ଉପମୁଖ୍ୟମନ୍ତ୍ରୀ ହେବାପରେ ମଧ୍ୟ ଚଳଚ୍ଚିତ୍ରରେ ଅଭିନୟ ଜାରି ରଖିଛନ୍ତି। ଏହି ପରିପ୍ରେକ୍ଷୀରେ ପବନ କଲ୍ୟାଣଙ୍କୁ ମନୋରଞ୍ଜନ ଦୁନିଆରୁ ଦୂରେଇ ରହିବାକୁ ନିର୍ଦେଶ ଦିଆଯାଉ ବୋଲି ପିଟିସନକାରୀ ପିଟିସନରେ ଉଲ୍ଲେଖ କରିଛନ୍ତି। କେବଳ ଅଭିନୟ କାହିଁକି, ଚଳଚ୍ଚିତ୍ରର ପ୍ରଯୋଜନା, ନିର୍ଦେଶନା, ଏହାର ପ୍ରମୋସନ କାର୍ଯ୍ୟକ୍ରମରୁ ବିରତ ରହିବା ସହ ଏ ସମ୍ପର୍କିତ ବିଜ୍ଞାପନରେ ଅଭିନୟ ନ କରିବାକୁ ନିର୍ଦେଶ ଦିଆଯାଉ ବୋଲି ପିଟିସନରେ ଦାବି କରାଯାଇଛି। ସୂଚନାଯୋଗ୍ୟ ପବନ କଳ୍ୟାଣ ହେଉଛନ୍ତି ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ଜଗତର ସୁପରଷ୍ଟାର ଚିରଞ୍ଜୀବୀଙ୍କ କନିଷ୍ଠ ଭ୍ରାତା। ସେ ୧୯୯୬ରୁ ୨୦୨୩ ମଧ୍ୟରେ ତେଲୁଗୁ, ତାମିଲ ଓ ଅନ୍ୟ ଦାକ୍ଷିଣାତ୍ୟ ଭାଷାରେ ପ୍ରାୟ ଶହେରୁ ଅଧିକ ଚଳଚ୍ଚିତ୍ରରେ ଅଭିନୟ କରିସାରିଛନ୍ତି। ୨୦୧୪ରେ ସେ ’ଜନସେନା ପାର୍ଟି’ ନାମରେ ରାଜନୈତିକ ଦଳ ଗଠନ କରିଥିଲେ। ଗତବର୍ଷ ଆନ୍ଧ୍ର ପ୍ରଦେଶ ବିଧାନସଭା ନିର୍ବାଚନରେ ତାଙ୍କ ଦଳ ତେଲୁଗୁ ଦେଶମ ପାର୍ଟି (ଟିଡିପି) ସହ ମେଣ୍ଟ କରିଥିବାବେଳେ ୨୧ଟି ଆସନ ହାତେଇଥିଲା। ୨୦୨୪ ଜୁନ ୧୨ରେ ପବନ କଲ୍ୟାଣ ଆନ୍ଧ୍ରପ୍ରଦେଶର ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ।
Popular Categories



