ନୂଆଦିଲ୍ଲୀ: ପୁଲୱାମା ଆତଙ୍କବାଦୀ ଆକ୍ରମଣର ଦୋଷୀ ପାକିସ୍ତାନୀ ଆତଙ୍କବାଦୀ ସଂଗଠନ ଜୈଶର ମୁଖ୍ୟ ମାସୁଦ ଆଝାରଙ୍କୁ ବିଶ୍ବ ଆତଙ୍କବାଦୀ ଘୋଷଣା କରିବାକୁ ଭାରତ ଜୋରଦାର ଉଦ୍ୟମ କରିଛି। ଆଜି ଜାତିସଂଘ ସୁରକ୍ଷା ପରିଷଦ ବୈଠକରେ ଏ ସମ୍ପର୍କରେ ନିଷ୍ପତ୍ତି ନିଆଯିବ। ତେବେ ଚୀନ ପୂର୍ବଭଳି ଯେପରି ବିରୋଧ ନ କରେ ସେଥିଲାଗି ଆମେରିକା ପକ୍ଷରୁ ଚାପ ପକାଯାଇଛି।
ଆମେରିକା କହିଛି ଭାରତ ଏବଂ ଆମେରିକା ଆତଙ୍କବାଦୀ ଦମନ କ୍ଷେତ୍ରରେ ଏକାଠି କାମ କରୁଛନ୍ତି। ଜୈଶ-ଏ-ମହମ୍ମଦ(ଜେଇଏମ) ଏକ ଅନ୍ତର୍ଜାତୀୟ ଆତଙ୍କବାଦୀ ସଂଗଠନ। ଏହାର ମୁଖ୍ୟ ମାସୁଦ ଆଝାରକୁ ବି ବିଶ୍ବ ସ୍ତରରେ ଆତଙ୍କବାଦୀ ଘୋଷଣା କରାଯିବା ଉଚି। ଭାରତୀୟ ଉପମହାଦେଶରେ ଶାନ୍ତି ପ୍ରତିଷ୍ଠା କ୍ଷେତ୍ରରେ ମାସୁଦ ବିପଦ। ଆମେରିକା ବୈଦେଶିକ ବିଭାଗ ପ୍ରବକ୍ତା କହିଛନ୍ତି ଯେ, ବିଶ୍ବରେ ଶାନ୍ତି ପ୍ରତିଷ୍ଠା ହେବା ଉଚିତ ବୋଲି ଆମେରିକା ଏବଂ ଚୀନ ସହମତ। ଯଦି ମାସୁଦଙ୍କୁ ବିଶ୍ବ ଆତଙ୍କବାଦୀ ଘୋଷଣା କରା ନ ଯାଏ ତା’ହେଲେ ଶାନ୍ତି ପ୍ରତିଷ୍ଠା ମିଶନ ବିଫଳ ହେବ।
ଭାରତୀୟ ବୈଦେଶିକ ସଚିବ ବିଜୟ ଗୋଖଲେ ବର୍ତ୍ତମାନ ଆମେରିକାରେ ଅଛନ୍ତି। ସେ ମଧ୍ୟ ଆମେରିକା ବୈଦେଶିକ ସଚିବ ମାଇକ ପମ୍ପିୟୋଙ୍କୁ ଭେଟି ମାସୁଦ ପ୍ରସଙ୍ଗରେ ଆଲୋଚନା କରିଛନ୍ତି।



