ନୂଆଦିଲ୍ଲୀ : ରବିବାର ଚଳିତ ଏସିଆ କପ୍ରେ ଭାରତ ଓ ପାକିସ୍ତାନ ମଧ୍ୟରେ ସୁପର-୪ ମୁକାବିଲା ହେବ। ଟୁର୍ଣ୍ଣାମେଣ୍ଟରେ ଉଭୟ ଦଳଙ୍କ ମଧ୍ୟରେ ଏହା ୨ୟ ମୁକାବିଲା। ଲିଗ୍ ମ୍ୟାଚ୍ରେ ବର୍ଷା ଯୋଗୁଁ ପାକିସ୍ତାନ ଇନିଂସ ଆରମ୍ଭ ହୋଇ ପାରିନଥିଲା। ଉକ୍ତ ମ୍ୟାଚ୍ରେ ଭାରତୀୟ ବ୍ୟାଟିଂର ସେହି ଦୁର୍ବଳତା ପଦାରେ ପଡ଼ିଥିଲା। ଭାରତୀୟ ଉପର ଅର୍ଡରକୁ ପାକିସ୍ତାନୀ ପେସ୍ ବାହିନୀ ଧ୍ବସ୍ତ କରିଥିଲେ। ଅଧିନାୟକ ରୋହିତ ଶର୍ମା ଓ ବିରାଟ କୋହଲିଙ୍କୁ ସାହିନ୍ ଶାହା ଆଫ୍ରିଦି ବୋଲଡ୍ କରିଥିବା ବେଳେ ଶୁବ୍ମାନ ଗିଲ୍ ଓ ଶ୍ରେୟାସ ଆୟରଙ୍କୁ ହାରିସ୍ ରୌଫ୍ ଆଉଟ୍ କରିଥିଲେ। ଭଲ ପେସ୍ ଆକ୍ରମଣ ବିପକ୍ଷରେ ଭାରତୀୟ ଉପର ଅର୍ଡର ବିଫଳ ହେବା ନୂଆ ନୁହେଁ। ୨୦୧୭ ଚମ୍ପିଆନ୍ସ ଟ୍ରଫି ଫାଇନାଲରେ ପାକିସ୍ତାନ ବିପକ୍ଷରେ, ୨୦୧୯ ଦିନିକିଆ ବିଶ୍ବକପ୍ ସେମିଫାଇନାଲରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଏବଂ ୨୦୨୧ ଟ୍ବେଣ୍ଟି୨୦ ବିଶ୍ବକପ୍ରେ ପାକିସ୍ତାନ ବିପକ୍ଷରେ ଏହା ଦେଖିବାକୁ ମିଳିଥିଲା। ତେଣୁ ଭାରତୀୟ ଦଳ ମ୍ୟାନେଜମେଣ୍ଟ ତା’ର ଉପରୋକ୍ତ ଦୁର୍ବଳତାର ସମାଧାନ କରିବାକୁ ଚାହିଁବ।
ରବିବାର ପାକିସ୍ତାନ ବିପକ୍ଷରେ ଭାରତ ମ୍ୟାଚ୍ ଖେଳିବାକୁ ଯାଉଥିବା ବେଳେ ପାକିସ୍ତାନୀ ପେସର ବନାମ ଭାରତୀୟ ବ୍ୟାଟ୍ସମ୍ୟାନ୍ ଆଲୋଚନା ଆରମ୍ଭ ହୋଇଯାଇଛି। ଅଷ୍ଟ୍ରେଲିଆର ପୂର୍ବତନ ଓପ୍ନର ମାଥ୍ୟୁ ହେଡେନ୍ କହିଛନ୍ତି, ପାକିସ୍ତାନର ୩ ଫାଷ୍ଟବୋଲରଙ୍କ ମୁକାବିଲା ଭାରତ କରିବା କ୍ରିକେଟ୍ ଜଗତର ସବୁଠାରୁ ମଜାଦାର ଲଢ଼େଇ। ସାହିନ୍ ଶାହା ଆଫ୍ରିଦି, ହାରିସ୍ ରୌଫ୍ ଓ ନସିମ୍ ଶାହା ଭିନ୍ନ ଶୈଳୀର ଏବଂ ସ୍ବତନ୍ତ୍ର ଫାଷ୍ଟବୋଲର। ସେମାନଙ୍କ ମୁକାବିଲା କରିବା ପାଇଁ ଭାରତକୁ ମଧ୍ୟ ସ୍ବତନ୍ତ୍ର ଯୋଜନା କରିବାକୁ ପଡ଼ିବ। ଲିଗ୍ ମ୍ୟାଚ୍ରେ ଯାହା ଆଶଙ୍କା କରା ଯାଉଥିଲା; ତାହା ହିଁ ଘଟିଥିଲା। ଭାରତୀୟ ଉପର ଅର୍ଡରକୁ ପାକିସ୍ତାନୀ ପେସ୍ ବାହିନୀ ଧ୍ବସ୍ତ କରିଥିଲେ। ରବିବାର କଲମ୍ବୋରେ ପାଗ ମେଘୁଆ ରହିପାରେ। ଏପରି ହେଲେ ବଲ୍ ସ୍ବିଙ୍ଗ୍ କରିବ। ପାକିସ୍ତାନ ବିପକ୍ଷେର ଭାରତ ଗତ ୪ଟିରୁ ୨ଟି ମ୍ୟାଚ୍ ଜିତିଛି ଏବଂ ଏହି ୨ଟି ମ୍ୟାଚ୍ରେ ଆଫ୍ରିଦି ୱିକେଟ ପାଇନଥିଲେ। ତେଣୁ ସାହିନ୍ ଆଫ୍ରିଦିଙ୍କୁ ୱିକେଟ ନଦେବା ଭାରତର ଯୋଜନା ହେବା ଉଚିତ। ପୂର୍ବତନ ଭାରତୀୟ ଓପ୍ନର ଆକାଶ ଚୋପ୍ରା କହିଛନ୍ତି, ଆରମ୍ଭରୁ ସାହିନ୍ ଆଫ୍ରିଦି ତୁମକୁ ଚାପରେ ପକାଇ ଥାଆନ୍ତି। ସେ ଜଣେ ଉଚ୍ଚକୋଟୀର ବୋଲର ଏବଂ ଭଲ ଗତିରେ ବଲ୍କୁ ସ୍ବିଙ୍ଗ୍ କରିଥାଆନ୍ତି। ସେ ରନ୍-ଅପ୍ ଆରମ୍ଭ କରିବା ବେଳେ ବ୍ୟାଟ୍ସମ୍ୟାନଙ୍କ ମନରେ ଆଶଙ୍କା ରହିଥାଏ।
ନେପାଳ ବିପକ୍ଷ ମ୍ୟାଚ୍ରେ ଅନୁମାନ କରା ଯାଉଥିଲା ଯେ ଏହି ଦଳକୁ ଭାରତ ଏକତରଫା ଭାବେ ଧୋଇଦେବ। ହେଲେ ଏପରି ହୋଇନଥିଲା। ନେପାଳର ବ୍ୟାଟ୍ସମ୍ୟାନ୍ ଆରମ୍ଭରୁ ଆକ୍ରମଣାତ୍ମକ ବ୍ୟାଟିଂକରି ଓଭର୍ ପିଛା ୬ ରନ୍ ହାରରେ ସ୍କୋର୍ କରିଥିଲେ। ପୁଣି ପ୍ରଥମ ୫ ଓଭରରେ ଭାରତ ୩ଟି ସହଜ କ୍ୟାଚ୍ ଛାଡ଼ି ନେପାଳକୁ ସାହାଯ୍ୟ କରିଥିଲା। ରବୀନ୍ଦ୍ର ଜାଡ଼େଜା ଆସି ନେପାଳ ବ୍ୟାଟ୍ସମ୍ୟାନଙ୍କୁ ରୋକିଥିଲେ। ଯଦି ଜାଡ଼େଜା ଓ କୁଲଦୀପ ଯାଦବ ଭଲ ବୋଲିଂ କରିନଥାଆନ୍ତେ; ତେବେ ନେପାଳ ୨୩୦ରୁ ଅଧିକ ରନ୍ କରିଥାଆନ୍ତା। ଆରମ୍ଭରୁ ଭାରତୀୟ ଓପ୍ନର ସେପରି ଭଲ ବ୍ୟାଟିଂ କରିନଥିଲେ। ହେେଲ ବର୍ଷା ପରେ ଡକ୍ୱର୍ଥ-ଲୁଇସ୍ ନିୟମରେ ଭାରତକୁ ୧୪୫ ରନ୍ର ବିଜୟଲକ୍ଷ୍ୟ ମିଳିବା ପରେ ସେମାନେ ଭଲ ବ୍ୟାଟିଂ କରିଥିଲେ। ପାକିସ୍ତାନ ୨ଟି ମ୍ୟାଚ୍ ସହଜରେ ଜିତି ଭାରତ ବିପକ୍ଷରେ ଖେଳିବ। ଅନ୍ୟପକ୍ଷରେ ଭାରତ ଦେଢ଼ଟି ମ୍ୟାଚ୍ରେ ବ୍ୟାଟିଂ କରିଥିବା ବେଳେ ଗୋଟିଏ ମ୍ୟାଚ୍ରେ ବୋଲିଂ କରିଛି। ପୁଣି ଯଶପ୍ରୀତ ବୁମ୍ରା ଏବଂ ଯଦି ଖେଳିବାର ସୁଯୋଗ ପାଆନ୍ତି କେ.ଏଲ୍. ରାହୁଲଙ୍କ ମ୍ୟାଚ୍ ଫିଟ୍ନେସ ବିଷୟରେ କେହି ଜାଣନ୍ତି ନାହିଁ। ଏସିଆ କପ୍ ଫାଇନାଲ ଖେଳିବାକୁ ହେେଲ ଉଭୟ ଭାରତ ଓ ପାକିସ୍ତାନ ଏହି ମ୍ୟାଚ୍ ଜିତିବାକୁ ଚାହିଁବେ।
ଭାରତୀୟ ଖେଳାଳିଙ୍କ ଉପରେ ନଜର
Popular Categories



