ଭୁବନେଶ୍ବର : ମଦ ଉପରେ ଲାଗି ଥିବା ’ ସ୍ପେଶାଲ କୋଭିଡ୍ ଫି’କୁ ରାଜ୍ୟ ସରକାର ପ୍ରତ୍ୟାହାର କରିଛନ୍ତି। ଆଜିଠାରୁ ଆଉ ୫୦ ପ୍ରତିଶତ ଅଧିକ ମୂଲ୍ୟ ଦେବାକୁ ପଡ଼ିବ ନାହିଁ। ଏହା ବଦଳରେ ଏମ୍ଆରପି ଉପରେ ୧୫ ପ୍ରତିଶତ ମୂଲ୍ୟ ବୃଦ୍ଧି କରାଯାଇଛି। ଅର୍ଥାତ୍ ବର୍ତ୍ତମାନ ଲାଗୁ ହୋଇଥିବା ମଦ ମୂଲ୍ୟ ଉପରେ ପୂର୍ବାପେକ୍ଷା ୩୫ ପ୍ରତିଶତ ହ୍ରାସ ଘଟିବ। ବିଭିନ୍ନ ପ୍ରକାର ବ୍ରାଣ୍ଡର ମଦ ପାଇଁ ଧାର୍ଯ୍ୟ ହୋଇଥିବା ନୂଆ ମୂଲ୍ୟର ତାଲିକା ଓଡ଼ିଶା ପାନୀୟ ନିଗମ ୱେବ୍ସାଇଟ୍ରେ ଉପଲବ୍ଧ ହେବ। ଅବକାରୀ ବିଭାଗ ପକ୍ଷରୁ କୁହାଯାଇଛି ଯେ ଗତ ମେରେ ସ୍ପେଶାଲ କୋଭିଡ୍ ଫି ଲାଗୁ ଫଳରେ ପ୍ରତ୍ୟେକ ବ୍ରାଣ୍ଡର ମଦ ମୂଲ୍ୟ ପ୍ରାୟ ୫୦% ପର୍ଯ୍ୟନ୍ତ ବୃଦ୍ଧି ପାଇଥିଲା। କୋଭିଡ୍ ଫି ବାବଦରେ ରାଜ୍ୟ ସରକାର ୨୦୦ କୋଟି ଟଙ୍କା ଆୟ କରିଛନ୍ତି। ତେବେ ବର୍ତ୍ତମାନ ଓଡ଼ିଶା ସଂଲଗ୍ନ ରାଜ୍ୟରେ ବିଦେଶୀ ମଦ ମୂଲ୍ୟକୁ ବିଚାର କରିବା ସହ ଅନ୍ୟ ରାଜ୍ୟକୁ କୋଭିଡ୍ ଫି ଲାଗି ନଥିବା ମଦ ଓଡ଼ିଶାକୁ ଚାଲାଣ ରୋକିବା ଉଦ୍ଦେଶ୍ୟରେ ଅବକାରୀ ବିଭାଗ ଏହାକୁ ସଂଶୋଧନ କରିଛି। ଆସନ୍ତାକାଲି ଠାରୁ ବିଦେଶୀ ଓ ଦେଶୀ ମଦ ବ୍ୟତୀତ ବିୟର୍, ୱାଇନ୍ ଏବଂ ରେଡ଼ି ଟୁ ଡ୍ରିଙ୍କ୍ (ଆରଟିଡି) ଆଦି ପାନୀୟର ୨୦୧୯-୨୦ ଏମ୍ଆରପି ଉପରେ ପ୍ରାୟ ୧୫% ବୃଦ୍ଧି କରାଯାଇଛି।
Popular Categories


