ସମାଜ ଡିଜିଟାଲ ଡେସ୍କ: ପବିଦ୍ର ଦେବସ୍ନାନ ପୂର୍ଣ୍ଣିମାରେ ୧୦୮ ଗରା ସୁବାସିତ ଜଳରେ ଦିବ୍ୟସ୍ନାନ କରିବା ପରେ ଚତୁର୍ଦ୍ଧାମୂର୍ତ୍ତି ଜ୍ୱରରେ ପଡ଼ିଛନ୍ତି। ଠାକୁରଙ୍କୁ ସୁସ୍ଥ କରିବା ଲାଗି ଅଣସର ପିଣ୍ଡିରେ କରାଯାଉଛି ଗୁପ୍ତ ସେବା। ତେଣୁ ରତ୍ନବେଦୀରେ ପଟି ଦିଅଁ ପୂଜା ପାଉଛନ୍ତି। ସେହିପରି ଅଣସର ସମୟରେ ବିଧି ଅନୁସାରେ ବ୍ରହ୍ମଗିରିର ଅଲାରନାଥ ମନ୍ଦିରରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମହାପ୍ରଭୁ।
ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦର୍ଶନ କରିବା ଲାଗି ଅଲାରନାଥ ମନ୍ଦିରରେ ରବିବାର ସକାଳୁ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଛି। ଅଣସର ସମୟରେ ପ୍ରଭୁ ଅଲାରନାଥଙ୍କ ଦର୍ଶନ କରିବା ରତ୍ନବେଦୀରେ ତିନି ଠାକୁରଙ୍କ ଦର୍ଶନ ସହିତ ସମାନ ବୋଲି ବିଶ୍ୱାସ ରହିଛି। ସେଥିପାଇଁ ହଜାର ହଜାର ଶ୍ରଦ୍ଧାଳୁ ଧାଡ଼ି ବାନ୍ଧି ଠାକୁରଙ୍କୁ ଦର୍ଶନ କରିବା ଲାଗି ଛିଡ଼ା ହେଉଥିବା ଦେଖିବାକୁ ମିଳିଛି। ନବଯୌବନ ଦର୍ଶନ ଯାଏ ଅଲାରନାଥ ପୀଠରେ ମହାପ୍ରଭୁ ଦର୍ଶନ ଦେବେ। ଏହା ପରେ ଠାକୁରଙ୍କ ରଥଯାତ୍ରା ଆରମ୍ଭ ହେବ।



