ନୂଆଦିଲ୍ଲୀ : ଫ୍ରାନ୍ସ ଠାରୁ ରାଫେଲ ଯୁଦ୍ଧ ବିମାନ କିଣିବା ନେଇ ହୋଇଥିବା ଚୁକ୍ତିର ଯୁଗ୍ମ ସଂସଦୀୟ କମିଟି (ଜେପିସି) ଦାବିକୁ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ଅଗ୍ରାହ୍ୟ କରିଦେଇଛନ୍ତି। ରାଫେଲ ବୁଝାମଣାର ଜେପିସି ତଦନ୍ତ ପାଇଁ ବିରୋଧୀ କଂଗ୍ରେସ ଦାବି କରିଆସୁଥିଲା। କଂଗ୍ରେସର ଦାବିକୁ ଅଗ୍ରାହ୍ୟ କରି ଜେଟଲୀ କହିଛନ୍ତି ଯେ ଏହି ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କ କ୍ଲିନଚିଟ୍ ପରେ କମ୍ପଟ୍ରୋଲର ଆଣ୍ଡ ଅଡିଟର ଜେନେରାଲ (ସିଏଜି)ଙ୍କ ମତାମତର ଆବଶ୍ୟକତା ନାହିଁ। ରାଫେଲ ବିବାଦ ସହିତ ଅନ୍ୟ ପ୍ରସଙ୍ଗରେ ସଂସଦ ଶୀତ ଅଧିବେଶନର ୪ଦିନ ଅଚଳ ହୋଇଥିବାବେଳେ ଜେଟଲୀ ଏଥିପାଇଁ କଂଗ୍ରେସକୁ ଦାୟୀ କରିଛନ୍ତି। ସେ କହିଛନ୍ତି କଂଗ୍ରେସ ଆଲୋଚନା ପରିବର୍ତ୍ତେ ବିଶୃଙ୍ଖଳାକୁ ପସନ୍ଦ କରୁଛି। ଶୀତ ଅଧିବେଶନର ଅବଶିଷ୍ଟ ଦିନରେ ସରକାର ରାଫେଲ ବୁଝାମଣା ବାବଦରେ ଆଲୋଚନା କରିବାକୁ ପ୍ରସ୍ତୁତ; ମାତ୍ର କଂଗ୍ରେସ ଏଥିପାଇଁ କେବେହେଲେ ଆଗ୍ରହ ପ୍ରକାଶ କରିବ ନାହିଁ। ସୁପ୍ରିମକୋର୍ଟଙ୍କ ରାୟ ଉପରେ ପ୍ରଶ୍ନ ଉଠାଇଥିବା କଂଗ୍ରେସ କହିଛି ଯେ ବୁଝାମଣା ଉପରେ ସିଏଜି ତର୍ଜମା କରୁଥିବାବେଳେ ଏବେ ଏହାକୁ ସଂସଦର ପବ୍ଲିକ ଆକାଉଣ୍ଟସ୍ କମିଟି ଅନୁଧ୍ୟାନ କରୁ। ତେବେ ଜେଟଲୀ କହିଛନ୍ତି ଯେ ରାଫେଲ ବୁଝାମଣା ଉପରେ ସିଏଜିଙ୍କ ଅଟିଡ୍ ଶେଷ ହୋଇ ନାହିଁ। ସିଏଜିଙ୍କ ଅଡିଟ୍ ଶେଷ ହେବା ପରେ ଏହାକୁ ପିଏସି ନିକଟକୁ ପଠାଯିବ।
Popular Categories



