ସମ୍ବଲପୁର : ସମ୍ବଲପୁରରେ ବଡ ବଡିଆଙ୍କୁ ସାତ ଖୁନ ମାଫ ବୋଲି ଥିବା କଥା ସାର୍ଥକ ହେଉଥିବା ଭଳି ପ୍ରତୀତ ହେଉଛି। ସମ୍ବଲପୁରର ଜିଏମ କଲେଜ ଛକ ନିକଟରେ ଥିବା ଚର୍ଚ୍ଚ ସମ୍ମୁଖରେ ସନ୍ଧ୍ୟା ପ୍ରାୟ ସାଢ଼େ ୭ଟା ରୁ ୮ଟା ସମୟ ମଧ୍ୟରେ ଏକ ଲାଲ ରଙ୍ଗର ମହିନ୍ଦ୍ରା ଥର ଜିପ ଅତ୍ୟନ୍ତ ଦ୍ରୁତଗତିରେ ବେପାରୁଆ ଭାବରେ ୫ରୁ ଅଧିକ ଗାଡିକୁ ଭାଙ୍ଗି ଚୁରମାର କରି ଦେଇଥିବା ବେଳେ ୨ ଜଣ ଯୁବକ ଗୁରୁତର ଆହତ ହୋଇଛନ୍ତି । ପ୍ରତ୍ୟକ୍ଷଦର୍ଶୀଙ୍କ ସୂଚନାନୁଯାୟୀ, ରାତି ପ୍ରାୟ ସାଢ଼େ ୭ଟା ସମୟରେ ଚର୍ଚ୍ଚ ସମ୍ମୁଖରେ ଥିବା ବ୍ୟାଙ୍କ ଅଫ ବରୋଦା ସମ୍ମୁଖ ରାସ୍ତା ଦେଇ ଏହି ମହିନ୍ଦ୍ରା ଜିପଟି ଅଚାନକ ଆସିଥିଲା। ଚାଳକ ଜଣକ ଅତି ଦ୍ରୁତଗତିରେ ଥିବା ଗାଡିକୁ ସମ୍ଭାଳି ନ ପାରି ପ୍ରଥମେ ଜିଏମ କଲେଜ ପଟ ରାସ୍ତାକୁ ମୋଡି ଥିବା ବେଳେ ଅଳ୍ପକେ ଯାଉଥିବା ବେଳେ ସେଠାରେ ଥିବା ଏକ ପାଚେରୀରେ ଧକ୍କା ହେବାରୁ ବର୍ତ୍ତି ଯାଇଥିଲା। ଏହା ପରେ ଚାଳକ ଜଣକ ଅଚାନକ ଗାଡିକୁ ପଛକୁ ଆଣି ଜଣେ ବାଇକ ଆରୋହୀଙ୍କୁ ଧକ୍କା ଦେଇ ବୁଲାଇ ଆଣି ମୁଦିପଡା ଛକ ପଟକୁ ଅତ୍ୟନ୍ତ ଦ୍ରୁତଗତିରେ ଆସିଥିଲେ। ତେବେ ମୋଡାଣିରେ ପୁର୍ନବାର ଭାରସାମ୍ୟ ହରାଇ ମୋଡାଣିରେ ଥିବା ମିଠା ଦୋକାନ ସମ୍ମୁଖରେ ପାର୍କିଂ କରାଯାଇଥିବା ଦୁଇ ଚକିଆ ଗାଡି ଗୁଡିକୁ ଧକ୍କା ଦେଇଥିଲେ। ଏହା ଦେଖି ଜଣେ ଯୁବକ ଉକ୍ତ ଗାଡିକୁ ଅଟକାଇବାକୁ ଚେଷ୍ଟା କରିଥିବା ବେଳେ ଉକ୍ତ ଯୁବକଙ୍କ ଉପରେ ଗାଡି ଚଢ଼ାଇବାକୁ ଚାଳକ ଉଦ୍ୟମ କରିଥିଲେ। ତେବେ କୌଣସି ମତେ ଉକ୍ତ ଯୁବକ ବର୍ତ୍ତି ଯାଇଥିବା ବେଳେ ପୁର୍ନବାର ଗାଡିକୁ ବୁଲାଇ ମୁଦିପଡା ଛକ ପଟକୁ ଦ୍ରୁତଗତିରେ ଯାଉଥିବା ବେଳେ ଆଉ ଜଣେ ବାଇକ ଆରୋହୀଙ୍କୁ ଧକ୍କା ମାରିଥିଲେ। ସ୍ଥାନୀୟ ଲୋକେ ଉକ୍ତ ଗାଡିକୁ ଅଟକାଇବାକୁ ଚେଷ୍ଟା କରିବା ଏବଂ ଗୋଡାଇବା ସମୟରେ ଉକ୍ତ ଗାଡିଟି ମୁଦିପଡା ଛକ ନିକଟରେ ଅନ୍ୟ ଜଣେ ବ୍ୟକ୍ତିଙ୍କୁ ଧକ୍କା ଦେଇ ଫେରାର ହୋଇଯାଇଥିଲା। ଏହି ଦ୍ରୁତଗାମୀ ଜିପର ଧକ୍କାରେ ମୁଦିପଡା ନିବାସୀ ସୁମିତ ତ୍ରିପାଠୀ ଓ ଜିଲା ମୁଖ୍ୟ ଚିକତ୍ସାଳୟରେ କାର୍ଯ୍ୟରତ ଫାର୍ମାଶିଷ୍ଟ ବାଦଲ ସିଂହ ଗୁରୁତର ଆହତ ହୋଇଛନ୍ତି। ଏଥି ସହ ଜଣେ ଟ୍ରାଫିକ ପୁଲିସ ଉପରକୁ ମଧ୍ୟ ଗାଡି ଚଢ଼ାଇବାର ଉଦ୍ୟମ ହୋଇଥିବାର ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି।
ଅପରପକ୍ଷରେ ଏହି ଦୁର୍ଘଟଣା ସର୍ମ୍ପକରେ ଟାଉନ ଥାନାଧିକାରୀଙ୍କୁ ପଚରାଯିବାରୁ ସେ ଘଟଣାକୁ ସ୍ୱିକାର କରିଥିବା ବେଳେ ଖବର ଲେଖାଯିବା ପର୍ଯ୍ୟନ୍ତ କୌଣସି ଅଭିଯୋଗ ହୋଇ ନ ଥିବା ପ୍ରକାଶ କରିଛନ୍ତି। ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁଯାୟୀ, ଉକ୍ତ ଗାଡିଟି ଅଞ୍ଚଳର ଜଣେ ପ୍ରଭାବଶାଳୀ ନେତାଙ୍କ ହୋଇଥିବା ବେଳେ ଚାଳକ ଧଳା ରଙ୍ଗର ସାର୍ଟ ପିନ୍ଧିଥିବାର ଜଣାପଡିଛି। ଏହି ଘଟଣା ସମୟର ଏକ ସିସିଟିଭି ଫୁଟେଜ ଏବେ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାରେ ଲାଗିଛି। ଉକ୍ତ ସିସିଟିଭିରୁ ଗାଡି ଚାଳକ ଅତ୍ୟନ୍ତ ବେପାରୁଆ ଭାବରେ ଗାଡି ଚଳାଇ ସମ୍ମୁଖରେ ଆସୁଥିବା ସମସ୍ତ ବ୍ୟକ୍ତି ଓ ଗାଡି ଗୁଡିକ ଉପରେ ଗାଡି ଚଢ଼ାଇ ଦେଉଥିବାର ସ୍ପଷ୍ଟ ଜଣାପଡୁଛି। ଏହି ଘଟଣାରେ ଗୁରୁତର ଆହତ ହୋଇଥିବା ଜଣେ ଯୁବକଙ୍କ ଗୋଡ ମଝିରୁ ଫାଳ ହୋଇ ଯାଇଥିବା ବେଳେ ଅତ୍ୟନ୍ତ ସଙ୍ଗୀନ ଏହି ମାମଲାରେ ପୁଲିସ ଅଭିଯୋଗକୁ ଅପେକ୍ଷା କରି ଘଟଣାକୁ ଶୀତଳ ବାକ୍ସ ମଧ୍ୟରେ ରଖିବାକୁ ଉଦ୍ୟମ କରୁଥିବା ପ୍ରକାଶ। ଏହି ଘଟଣାରେ ପ୍ରଭାବଶାଳୀ ନେତାଙ୍କ ଗାଡି ସଂପୃକ୍ତି ଥିବାର ସନ୍ଦେହ ଥିବାରୁ ପୁଲିସ ଜାଣିଶୁଣି ଚୁପ ପଡି ରହିଛି ବୋଲି ସହରରେ ଚର୍ଚ୍ଚା ଜୋର ଧରିଛି।



