କେସିଙ୍ଗା : ଯାତ୍ରୀବାହୀ ବସ ଓଲଟି ୨ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩୬ ଜଣ ଯାତ୍ରୀ ଆହତ ହୋଇଛନ୍ତି। ଏପରି ମର୍ମନ୍ତୁଦ ସଡକ ଦୁର୍ଘଟଣା କଳାହାଣ୍ଡି ଜିଲା କେସିଙ୍ଗା ଜୋଲକୋ ନିକଟରେ ଘଟିଛି। ବସଟି ଏକ ଗଛରେ ପିଟିହେବା ଯୋଗୁଁ ସୋମବାର ଭୋରରୁ ଏପରି ଦୁର୍ଘଟଣା ଘଟିଛି। ଆହତଙ୍କୁ ଉଦ୍ଧାର କରାଯାଇ ଭବାନୀପାଟଣା ଓ କେସିଙ୍ଗା ଡାକ୍ତରଖାନାରେ ଭତ୍ତି କରାଯାଇଛି। ଗୁରୁତର ହୋଇଥିବା ବ୍ୟକ୍ତିଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି। ମୃତକଙ୍କ ମଧ୍ୟରେ ଜଣେ ମହିଳା ଥିବାର ଜଣାପଡିଛି। ମୃତକଙ୍କ ପରିଚୟ ମିଳିନାହିଁ।
ସୂଚନାଯୋଗ୍ୟ ଯେ, ବସଟି ଭୁବନେଶ୍ବରରୁ କୋରାପୁଟ ଜିଲା ଜୟପୁରକୁ ଯାଉଥିଲା। ଭୋର ସମୟରେ ଭାରସାମ୍ୟ ହରାଇ ବସଟି ଗଛରେ ପିଟି ହୋଇଯାଇଥିଲା। ବସରେ ପ୍ରାୟ ୫୦ରୁ ଉର୍ଦ୍ଧ୍ବ ଯାତ୍ରୀ ଥିଲେ। ପୁଲିସ ଓ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ସମସ୍ତ ଯାତ୍ରୀଙ୍କୁ ଉଦ୍ଧାର କରିଥିଲେ।



