ନୂଆଦିଲ୍ଲୀ: ଭାରତୀୟ ବାୟୁସେନା ପାଇଲଟ ଅଭିନନ୍ଦନ ବର୍ଦ୍ଧମାନଙ୍କୁ ଭାରତକୁ ଫେରାଇ ନିଜର ଆତ୍ମପ୍ରଚାର କରୁଥିବା ପାକିସ୍ତାନର କଳା କାରନାମା ଗୋଟିଏ ପରେ ଗୋଟିଏ ପଦାକୁ ଆସିବାରେ ଲାଗିଛି। ପାକିସ୍ତାନ ହେପାଜତରେ ଅଭିନନ୍ଦନ ଥିବାବେଳେ ଆଇଏସଆଇ ତାଙ୍କଠାରୁ ଭାରତର ଗୁଇନ୍ଦା ତଥ୍ୟ ହାସଲ କରିବାକୁ ଅନେକ ଉଦ୍ୟମ କରିଛି। କେବଳ ମାନସିକ ନିର୍ଯାତନା ନୁହେଁ, ଶାରୀରିକ ନିର୍ଯାତନା ମଧ୍ୟ ଦେଇଛି।
ଏକ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ଯେଉଁ ୬୦ ଘଣ୍ଟା ଅଭିନନ୍ଦନ ପାକିସ୍ତାନରେ ରହିଥିଲେ ସେ ସମୟରେ ତାଙ୍କୁ ଆଦୌ ଶୋଇବାକୁ ଦିଆଯାଇ ନ ଥିଲା। ଏହି ସମୟରେ ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ଆଇଏସଆଇର ଅଧିକାରୀମାନେ ତାଙ୍କଠାରୁ ଭାରତର ଗୁଇନ୍ଦା ତଥ୍ୟ ହାତେଇବା ପାଇଁ ଜୋରସୋରରେ ଲାଗି ପଡ଼ିଥିଲେ। ପ୍ରଥମ ୨୪ ଘଣ୍ଟା ଧରି ଅଧିକାରୀମାନେ ଅଭିନନ୍ଦନଙ୍କୁ ପଚରାଉଚରା କରିଥିଲେ। କେଉଁ କେଉଁ ସ୍ଥାନରେ ଭାରତୀୟ ବାୟୁସେନା ମୁତୟନ ହୋଇଛି, ସେନାର ହାଇ ସିକ୍ୟୁରିଟି ରେଡିଓ ଫ୍ରିକ୍ୟୁଏନ୍ସି ଏବଂ ଅନ୍ୟାନ୍ୟ ସମ୍ବେଦନଶୀଳ ତଥ୍ୟ ହାସଲ ପାଇଁ ଚେଷ୍ଟା କରିଥିଲେ। କିନ୍ତୁ ଅଭିନନ୍ଦନ ମୁହଁ ଖୋଲି ନ ଥିଲେ। ତେଣୁ ଅଭିନନ୍ଦନ ଶୋଇବାକୁ ଚାହିଁଥିଲେ ମଧ୍ୟ ତାଙ୍କୁ ଶୋଇବାକୁ ଦିଆଯାଇ ନ ଥିଲା। ଘଣ୍ଟା ଘଣ୍ଟା ଧରି ଛିଡ଼ା ହୋଇ ରହିବାକୁ ବାଧ୍ୟ କରାଯାଇଥିଲା। ଏପରି କି ତାଙ୍କ ତଣ୍ଟି ଚିପାଯିବା ସହ ମାରପିଟ୍ ମଧ୍ୟ କରାଯାଇଥିଲା। ଏହା ସହ ତାଙ୍କୁ ବିରକ୍ତ କରିବା ଲାଗି ଉଚ୍ଚ ଶବ୍ଦରେ ମ୍ୟୁଜିକ ବଜାଯାଇଥିଲା। ଏହା ସତ୍ବେ ଆଇଏସଆଇ ସଫଳ ହୋଇପାରି ନ ଥିଲା।
ବାୟୁସେନା ପକ୍ଷରୁ ପାଇଲଟମାନଙ୍କୁ ଅତିକମରେ ପ୍ରଥମ ୨୪ଘଣ୍ଟା ପର୍ଯ୍ୟନ୍ତ ଶତ୍ରୁ ସାମ୍ନାରେ ଟ୍ରାନ୍ସମିଟିଂ ଫ୍ରିକୁଏନ୍ସି ଏବଂ ଠିକଣା ସମ୍ପର୍କରେ ସୂଚନା ନ ଦେବାକୁ ପ୍ରଶିକ୍ଷଣ ଦିଆଯାଇଥାଏ, ଯେଉଁଥିପାଇଁ ଏହି ସମୟରେ ବାୟୁସେନା ପକ୍ଷରୁ ଏସବୁକୁ ପରିବର୍ତ୍ତନ କରାଯାଇ ପାରିବ।
ଅଭିନନ୍ଦନଙ୍କୁ ପାକିସ୍ତାନ ଭାରତକୁ ହସ୍ତାନ୍ତର କରିବା ପୂର୍ବରୁ ନିଜ ଦେଶର ଗଣମାଧ୍ୟମରେ ଏକ ଭିଡିଓ ପ୍ରସାରଣ କରାଯାଇଥିଲା, ଯେଉଁଥିରେ ଅଭିନନ୍ଦନ ଭାରତୀୟ ଗଣମାଧ୍ୟମକୁ ନିନ୍ଦା କରୁଥିବାବେଳେ ପାକିସ୍ତାନୀ ସେନାର ପ୍ରଶଂସା କରୁଥିବା ଦେଖାଯାଇଥିଲା। କିନ୍ତୁ ଚାପ ପକାଇ ଅଭିନନ୍ଦନଙ୍କ ବୟାନ ରେକର୍ଡ କରାଯାଇ ଭିଡିଓ ପ୍ରସ୍ତୁତ କରାଯାଇଥିବା ସେହି ଭିଡିଓରୁ ସ୍ପଷ୍ଟ ଜଣାପଡ଼ିଥଲା।



