ଆଠଗଡ଼: ଆଠଗଡ ହାଉସିଂବୋର୍ଡ କଲୋନୀକୁ ସଂଯୋଗ କରୁଥିବା ରାସ୍ତାର ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇପଡ଼ିଛି। ଉକ୍ତ ରାସ୍ତାଟି ପିଚୁ କି ମାଟିକାଦୁଅ ରାସ୍ତା ତାହା ଜାଣିବା କଷ୍ଟକର ହେଇପଡୁଛି।
ପ୍ରତିଦିନ ଏହି ରାସ୍ତା ଦେଇ ଶହ ଶହ ପଥଚାରୀ ଏବଂ ୨-୪ ଚକିଆ ଯାନବାହାନ ନିୟମିତ ଯାତାୟତ କରିଥାଆନ୍ତି। ହାଉସିଂ ବୋର୍ଡ କଲୋନୀ ସମେତ ରାଧାଗୋବିନ୍ଦପୁର, ଧାଇପୁର, ବଉଦା, ଗୋବିନ୍ଦପୁର, କନ୍ଦରପୁର, ନଣ୍ଡାଇଲୋ, ରାଉତରାପୁର ଓ ବାଙ୍କି ବ୍ଲକର ଫୁଲବାଡି ତଥା ଅନ୍ୟାନ୍ୟ ଅଞ୍ଚଳର ଶହ ଶହ ଲୋକ ଏହି ରାସ୍ତା ଦେଇ ସ୍କୁଲ, କଲେଜ, ମେଡିକାଲ ତଥା ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ କ୍ରୟ ବିକ୍ରୟ ପାଇଁ ବଜାରକୁ ଯାତାୟତ କରିଥାନ୍ତି। ବିଜୁ ପଟ୍ଟନାୟକ ଖେଳ ଭବନ(ଇନଡୋର ଷ୍ଟାଡିୟମ) ପ୍ରତିଷ୍ଠା ସମୟରେ ମେଡିକାଲ ଛକ ଓ ବିଦ୍ୟୁତ ବିଭାଗ କାର୍ଯ୍ୟାଳୟଠାରୁ ଖେଳ ଭଜନ ପର୍ଯ୍ୟନ୍ତ ବଢିଆ ରାସ୍ତା ନିର୍ମାଣ ହୋଇଛି। ଖେଳ ଭବନଠାରୁ ହାଉସିଂ ବୋର୍ଡକୁ ସଂଯୋଗ କରୁଥିବା ୪୦୦ ମିଟର ରାସ୍ତା ଦୀର୍ଘ ବର୍ଷ ହେଲା ନବୀକରଣ ବା ମରାମତି ହୋଇନଥିବାରୁ ରାସ୍ତା ଅବସ୍ଥା ବିପର୍ଯ୍ୟସ୍ତ ହୋଇପଡିଛି । ରାସ୍ତା ନିର୍ମାଣ କିମ୍ବା ମରାମତି ନିମନ୍ତେ ବାରମ୍ଵାର ଦୃଷ୍ଟି ଆକର୍ଷଣ କରାଯାଇଥିଲେ ହେଁ ବ୍ଲକ ଅବା ଏନଏସି କିମ୍ବା ପୂର୍ତ୍ତ ବିଭାଗର ଅଧିକାରୀ କୌଣସି ପଦକ୍ଷେପ ଗ୍ରହଣ କରୁନଥିବା ଅଭିଯୋଗ ହୋଇଛିି। ହାଉସିଂ ବୋର୍ଡକୁ ସଂଯୋଗ କରୁଥିବା ରାସ୍ତା ଏନଏସି ଅଞ୍ଚଳ ହେଉ ବା ରାଧାଗୋବିନ୍ଦପୁର ପଞ୍ଚାୟତ ଅଧିନ ହେଉ ସେ ରାସ୍ତାରେ ପାଣି ଜମିବା, ଖାଲଖମା ଓ ମାଟିକାଦୁଅ ପରିପୂର୍ଣ୍ଣ ହୋଇ ଯାତାୟତରେ ଘୋର ସମସ୍ୟା ସୃଷ୍ଟି ହେଉଛି। ଏପରିକି ଅନେକ ସମୟରେ ବାଇକ ଆରୋହୀ ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି। ଅଧିବାସୀଙ୍କ ମଧ୍ୟରୁ କେତେକ ପ୍ରଶାସନର ଦୃଷ୍ଟି ଆଢ଼ୁଆଳରେ ରାସ୍ତା ଓ ଖାଲିଥିବା ସ୍ଥାନକୁ ଜବରଦଖଲ କରିଥିବା ଅଭିଯୋଗ ହେଉଛି । ଜବରଦଖଲ ହେତୁ ରାସ୍ତାକଡରେ ଡ୍ରେନ ନିର୍ମାଣ ହୋଇ ପାରୁ ନାହିଁ ଏବଂ ଘରର ମଇଳା ପାଣି ସାରାବର୍ଷ ରାସ୍ତାରେ ବୋହି ଗନ୍ଧମୟ ପରିବେଶ ସୃଷ୍ଟି ହୋଇଛି । ନିକଟରେ ବିଜେଡି କାର୍ଯ୍ୟାଳୟ ଅଛି ଏବଂ ଏହି ରାସ୍ତାର ଶୋଚନୀୟ ଅବସ୍ଥା ବିଷୟରେ ଆଠଗଡ ବିଧାୟକଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ ସିଏ ଉକ୍ତ ସମସ୍ୟା ପ୍ରତି ଅଣଦେଖା କରିଆସୁଛନ୍ତି ବୋଲି ହାଉସିଂ ବୋର୍ଡ ଅଧିବାସୀ କ୍ଷୋଭ ପ୍ରକାଶ କରିଛନ୍ତି ।
ବୁଧବାର ହାଉସିଂ ବୋର୍ଡ କଲୋନୀର ବହୁ ଅଧିବାସୀ ଆଠଗଡ଼ ଉପଜିଲ୍ଲାପାଳ ପ୍ରହଲ୍ଲାଦ ନାରାୟଣ ଶର୍ମାଙ୍କୁ ଭେଟି ଦଶହରା ପର୍ବକୁ ଦୃଷ୍ଟିରେ ରଖି ରାସ୍ତାର ମରାମତି କାର୍ଯ୍ୟ କରିବା ପାଇଁ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ। ଉପଜିଲ୍ଲାପାଳ ଶ୍ରୀ ଶର୍ମା ପୂର୍ତ୍ତ ବିଭାଗ ନିର୍ବାହୀ ଯନ୍ତ୍ରୀଙ୍କୁ ଉକ୍ତ ରାସ୍ତା ନିର୍ମାଣ ପାଇଁ ନିର୍ଦ୍ଦେଶ ଦେଇଥିଲେ । ପୂର୍ତ୍ତ ବିଭାଗ ନିର୍ବାହୀ ଯନ୍ତ୍ରୀ ରାସ୍ତା ମରାମତି ପାଇଁ ଯଥାଶୀଘ୍ର ପଦକ୍ଷେପ ନେବେ ପ୍ରତିଶୃତି ଦେଇଥିବା ଜଣାପଡିଛି । ତୁରନ୍ତ ଏହି ରାସ୍ତା ନିର୍ମାଣ ସହ ଜବରଦଖଲ ଉଚ୍ଛେଦ ପାଇଁ ହାଉସିଂ ବୋର୍ଡ କଲୋନୀବାସୀ ଦାବି କରିଛନ୍ତି ।
ହାଉସିଂବୋର୍ଡ କଲୋନୀକୁ ସଂଯୋଗ କରୁଥିବା ରାସ୍ତା ଅବସ୍ଥା ବିପର୍ଯ୍ୟସ୍ତ
Popular Categories



