ଭୁବନେଶ୍ୱର : ପୂର୍ବରୁ ଅନେକ ମାମଲାରେ ଫଶିଥିବା ଓଡ଼ିଆ ହାସ୍ୟ ଅଭିନେତା ତତ୍ତ୍ବ ପ୍ରକାଶ ଶତପଥୀ ଓରଫ୍ ପପୁ ପମ୍ ପମ୍ ଏବେ ନିଜର ଆଗାମୀ ଚଳଚ୍ଚିତ୍ରର ପୋଷ୍ଟରକୁ ନେଇ ପୁଣି ଥରେ ବିବାଦ ଘେରକୁ ଚାଲି ଆସିଛନ୍ତି। ଆସନ୍ତା ମାସ ଗଣେଶ ପୂଜା ଅବସରରେ ମୁକ୍ତିଲାଭ ହେବାକୁ ଥିବା ତାଙ୍କ ଅଭିନୀତ ଚଳଚ୍ଚିତ୍ର ‘ମିଷ୍ଟର କହ୍ନେୟା’ର ପୋଷ୍ଟରକୁ ନେଇ ସାମାଜିକ ଗଣମାଧ୍ୟମରେ ଏବେ ଝଡ଼ ସୃଷ୍ଟି ହୋଇଛି। ଏପରିକି ମାମଲା ଯାଇ ଥାନାରେ ପହଞ୍ଚିଲାଣି। ଏହି ପୋଷ୍ଟର ମାଧ୍ୟମରେ ମହିଳାମାନଙ୍କୁ ଅସମ୍ମାନ କରାଯାଇଥିବା ଦର୍ଶାଇ ଜଣେ ସାମାଜିକ କର୍ମୀ ଥାନାରେ ଲିଖିତ ଅଭିଯୋଗ କରିଥିବା ଜଣାପଡ଼ିଛି।
ଏହି ପୋଷ୍ଟରରେ ୭ ଜଣ ଝିଅ ବସିଥିବା ବେଳେ ସେମାନଙ୍କ ବେକରେ ଦଉଡ଼ି ଲଗାଇ ସବୁ ଦଉଡ଼ିକୁ ପପୁ ନିଜେ ଧରି ଠିଆ ହୋଇଛନ୍ତି। ସାମାଜିକ ଗଣମାଧ୍ୟମରେ ଏହି ପୋଷ୍ଟର ଶେୟାର ହେବା ପରେ ଏହାକୁ ନେଇ ଅନେକ ଆଲୋଚନା ପର୍ୟ୍ୟାଲୋଚନା ହେବା ସହ ପପୁ ଓ ପ୍ରଯୋଜନା ସଂସ୍ଥାର ଦୃଢ଼ ନିନ୍ଦା ମଧ୍ୟ କରାଯାଇଛି। ଏଥିରେ ନାରୀମାନଙ୍କୁ ଅସମ୍ମାନିତ କରାଯାଇଥିବା କୁହାଯାଇଛି। ଏଥିସହିତ ଏହା ସମାଜକୁ ଖରାପ ବାର୍ତ୍ତା ଦେଉଛି ବୋଲି ସାମାଜିକ ଗଣମାଧ୍ୟମରେ ଅନେକ ବ୍ୟକ୍ତି ପ୍ରତିକ୍ରିୟା ଦେଇଛନ୍ତି। ତେବେ ଏନେଇ ପପୁ କିମ୍ବା ପ୍ରଯୋଜନା ସଂସ୍ଥା ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।
ସୂଚନାଯୋଗ୍ୟ, ‘ମିଷ୍ଟର କହ୍ନେୟା’ ସିଦ୍ଧାର୍ଥ ମ୍ୟୁଜିକ୍ ବ୍ୟାନରରେ ନିର୍ମିତ ହୋଇଛି। ରମେଶ ରାଉତ ଏହାର ନିର୍ଦ୍ଦେଶନା ଦେଇଥିବା ବେଳେ ମୁଖ୍ୟ ଭୂମିକାରେ ପପୁଙ୍କ ସହ ଝିଲିକ୍ ଅଭିନୟ କରିଛନ୍ତି।



