ଭାରତୀୟ ଅନ୍ତରୀକ୍ଷ ଅନୁସନ୍ଧାନ ସଙ୍ଗଠନ(ଇସ୍ରୋ) ଦ୍ବାରା ଚନ୍ଦ୍ରଯାନ-୨ ଉତକ୍ଷପଣ ହେବା ପରେ କିଛି ଫଟୋଚିତ୍ର ସୋସିଆଲ୍ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଫଟୋଚିତ୍ର ଗୁଡିକ ଚନ୍ଦ୍ରଯାନ-୨ ଦ୍ବାରା ଉତ୍ତୋଳନ କରାଯାଇଛି ବୋଲି ଦାବି କରାଯାଉଛି । ଏହି ଫଟୋର ସତ୍ୟତା ରହିଛି କି ନାହିଁ ତାହାକୁ ନେଇ ଯାଞ୍ଚ ଆରମ୍ଭ ହୋଇଥିଲା । ଯାଞ୍ଚ ପରେ ଏହି ଫଟୋ ସହ ଜଡିତ କିଛି ତଥ୍ୟ ଲୋକଲୋଚନକୁ ଆସିଛି ।
ଇସ୍ରୋ ପକ୍ଷରୁ ଏହି ଫଟୋ ସେୟାର କରାଯାଇନାହିଁ ବୋଲି ସ୍ପଷ୍ଟ ହୋଇଛି । ଇସ୍ରୋ ବୈଜ୍ଞାନିକଙ୍କ ସୂଚନା ଅନୁଯାୟୀ ଚନ୍ଦ୍ରଯାନ-୨ ଉତକ୍ଷପଣ ହେବାର ୫୩ରୁ ୫୪ ଦିନ ପରେ ଚନ୍ଦ୍ରର ଦକ୍ଷିଣ ମେରୁ ପହଞ୍ଚିବ । ଚନ୍ଦ୍ରଯାନ-୨ ସମ୍ପର୍କିତ ପ୍ରତିଟି ସୂଚନା ଇସ୍ରୋ ପକ୍ଷରୁ ସୋସିଆଲ ମିଡିଆରେ ସେୟାର କରାଯାଉଛି । ତେଣୁ ଏସବୁ ଫଟୋଚିତ୍ର ଚନ୍ଦ୍ରଯାନ-୨ ଦ୍ବାରା ଉତ୍ତୋଳନ କରାଯାଇନାହିଁ ବୋଲି ଇସ୍ରୋ କହିଛି ।
ଫଟୋର ସତ୍ୟତା

ଏହି ଫଟୋକୁ ନେଇ ଗୁଗଲରେ ସର୍ଚ୍ଚ କରିବା ପରେ ଜଣାପଡିଛି ଯେ, ୨୦୧୭ ଫେବୃଆରୀ ୨୬ରେ ଟେଲିଗ୍ରାଫରେ ଏକ ରିପୋର୍ଟରେ ଏହି ଫଟୋ ପ୍ରକାଶ ପାଇଥିଲା। ଆନ୍ତର୍ଜାତିକ ମହାକାଶ ଯାତ୍ରୀଙ୍କ ଦ୍ବାରା ଏହି ଫଟୋକୁ ଉତ୍ତୋଳନ କରାଯାଇଥିଲା ।

ଏହି ଫଟୋଟି ଆନିମେଟେଡ ଭିଡିଓରୁ ନିଆଯାଇଛି । ଯାହାର ଶିରୋନାମା ‘ଲାଇଟ୍ ଓଭର ଦ ମର୍ନିଙ୍ଗ ଆର୍ଥ’ ରହିଛି ।



