www.samajalive.in
Friday, December 5, 2025
27.1 C
Bhubaneswar

ବିଦ୍ରୋହୀଙ୍କ ମୁଣ୍ଡ ଉପରେ ଖଣ୍ଡା ଝୁଲୁଛି, ବାଚସ୍ପତିଙ୍କୁ ହଟାଇବା ପାଇଁ ପ୍ରସ୍ତାବ ଆଣିପାରେ ବିଜେପି

ବେଙ୍ଗାଲୁରୁ: କର୍ଣ୍ଣାଟକର ବିଜେପି ରାଜ୍ୟ ସଭାପତି ବି.ଏସ. ୟେଦୁରପ୍ପା ୪ର୍ଥ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। କିନ୍ତୁ କଂଗ୍ରେସ-ଜେଡିଏସ ମେଣ୍ଟ ସରକାର ଭାଙ୍ଗି ବିଜେପିକୁ ସୁଯୋଗ ଦେଇଥିବା ବିଦ୍ରୋହୀ ବିଧାୟକଙ୍କ ମୁଣ୍ଡ ଉପରେ ଖଣ୍ଡା ଝୁଲୁଛି। କାରଣ ବାଚସ୍ପତି କେ.ଆର. ରମେଶ କୁମାର ୩ ଜଣ ବିଦ୍ରୋହୀ ବିଧାୟକଙ୍କୁ ଅଯୋଗ୍ୟ ଘୋଷିତ କରିଥିବାବେଳେ ଆଉ ୧୪ ବିଧାୟକଙ୍କ ଇସ୍ତଫାପତ୍ର ଏବଂ ଅଯୋଗ୍ୟ ଘୋଷଣା ପାଇଁ ହୋଇଥିବା ଆବେଦନ ବିଚାରାଧୀନ ରହିଛି। ତେଣୁ ବିଦ୍ରୋହୀ ବିଧାୟକଙ୍କୁ କାର୍ଯ୍ୟାନୁଷ୍ଠାନରୁ ବଞ୍ଚାଇବା ଲାଗି ବିଜେପି ବାଚସ୍ପତିଙ୍କୁ ହଟାଇବା ପାଇଁ ଗୃହରେ ପ୍ରସ୍ତାବ ଆଣିପାରେ। ସେହିପରି ସ୍ଥିର ସରକାର ଗଢ଼ିବାକୁ ହେଲେ ବିଜେପିକୁ ବିଦ୍ରୋହୀ ବିଧାୟକଙ୍କ ସମର୍ଥନର ମଧ୍ୟ ଆବଶ୍ୟକତା ରହିଛି।

ଜଣେ ବିଦ୍ରୋହୀ ବିଧାୟକଙ୍କ କହିବା ଅନୁସାରେ, ବିଜେପି ସରକାର ଗଠନ କରିବାରେ ବିଳମ୍ବ କରିବାରୁ ସେମାନେ ଆଶଙ୍କିତ ଥିଲେ। ଗୁରୁବାର ୩ ଜଣ ବିଦ୍ରୋହୀଙ୍କୁ ବାଚସ୍ପତି ଅଯୋଗ୍ୟ ଘୋଷଣା କରିବା ପରେ ଅନ୍ୟ ବିଦ୍ରୋହୀ ବିଧାୟକମାନେ ଭୟଭୀତ ହୋଇପଡ଼ିଥିଲେ। ଅନ୍ୟ ୧୪ ବିଦ୍ରୋହୀଙ୍କ ଉପରେ ସେ ନିଷ୍ପତ୍ତି ନେବେ​‌ ବୋଲି ବାଚସ୍ପତି ଗୁରୁବାର କହିଥିଲେ।

- Advertisement -

ଅନ୍ୟପଟେ ବାଚସ୍ପତିଙ୍କୁ ହଟାଇବା ଲାଗି ଯଥାଶୀଘ୍ର ପ୍ରସ୍ତାବ ଆଣିବା ପାଇଁ ନିଷ୍ପତ୍ତି ନିଆଯିବ ବୋଲି ବିଜେପିର ଜଣେ ବରିଷ୍ଠ ନେତା କହିଛନ୍ତି। ସମ୍ବିଧାନର ଅନୁଚ୍ଛେଦ ୧୭୯(ସି) ଅନୁସାରେ, ବହୁମତ ସହିତ ଗୃହରେ ପ୍ରସ୍ତାବ ପାରିତ କରାଯାଇ ଜଣେ ବାଚସ୍ପତିଙ୍କୁ ତାଙ୍କ ପଦରୁ ହଟାଯାଇ ପାରିବ। ତେବେ ଏଥିପାଇଁ ବାଚସ୍ପତିଙ୍କୁ ୧୪ ଦିନର ନୋଟିସ ଅବଧି ଦିଆଯିବା ଆବଶ୍ୟକ। କିନ୍ତୁ ଏପରି ପ୍ରସ୍ତାବ ବାଚସ୍ପତିଙ୍କ କ୍ଷମତାକୁ ସଙ୍କୀର୍ଣ୍ଣ କରିଦିଏ। ଥରେ ଗୃହରେ ଏପରି ପ୍ରସ୍ତାବ ଆଗତ ହେଲେ, ଜଣେ ବାଚସ୍ପତି କୌଣସି ସଦସ୍ୟଙ୍କୁ ଅଯୋଗ୍ୟ ଘୋଷଣା କରିପାରିବେ ନାହିଁ।

ଅନୁଚ୍ଛେଦ ୧୮୧ ଅନୁଯାୟୀ, ବାଚସ୍ପତିଙ୍କୁ ବହିଷ୍କାର କରିବା ଲାଗି ଆଗତ ପ୍ରସ୍ତାବ ବିଚାରାଧୀନ ଥିବା ସମୟରେ ବାଚସ୍ପତି ଗୃହରେ ଅଧ୍ୟକ୍ଷତା କରିପାରିବେ ନାହିଁ। ତାଙ୍କ ଅନୁପସ୍ଥିତିରେ ଉପବାଚସ୍ପତି ଦାୟିତ୍ଵ ଗ୍ରହଣ କରିବେ। ତେବେ ବାଚସ୍ପତି ରମେଶ କୁମାର କଂଗ୍ରେସର ହୋଇଥିବାବେଳେ ଜେଡିଏସର ବିଧାୟକ ଏମ. କ୍ରିଷ୍ଣା ରେଡ୍ଡୀ ଉପବାଚସ୍ପତି ରହିଛନ୍ତି।

Hot this week

ଡ଼ଲାର ତୁଳନାରେ ଟଙ୍କାକୁ ମିଳିଲା ସାମାନ୍ୟ ଆଶ୍ଵସ୍ତି

ସମାଜ ଲାଇଭ ଡ଼େସ୍କ : ଡ଼ଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ...

ଜବତ ଗଞ୍ଜେଇ ହେରଫେର: ଥାନା ଅଧିକାରୀ ନିଲମ୍ବିତ

ସମାଜ ଡିଜିଟାଲ ଡେସ୍କ: ଜବତ ଗଞ୍ଜେଇ ହେରଫେର କରିଥିବା ଅଭିଯୋଗରେ କାର୍ଯ୍ୟରୁ...

ବିଶ୍ୱବିଦ୍ୟାଳୟରେ ଖାଲି ପଡିଛି ଏତିକି ପଦବୀ

ଭୁବନେଶ୍ୱର: ରାଜ୍ୟରେ ବିଶ୍ୱବିଦ୍ୟାଳୟ ଗୁଡିକରେ ଖାଲି ପଡିଛି ପ୍ରଧ୍ୟାପକ ପଦବୀ ।...

ମୋଦୀ କହିଲେ ଭାରତ ନିରପେକ୍ଷ ନୁହେଁ, ବିଶ୍ୱ ଶାନ୍ତି ସପକ୍ଷରେ; ପୁଟିନ କଣ କହିଲେ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା...

କମିଲା ରେପୋ ହାର

ସମାଜ ଲାଇଭ ଡ଼େସ୍କ : ଭାରତୀୟ ରିଜର୍ଭ ବ୍ୟାଙ୍କର ତିନି ଦିନିଆ...

Related Articles

Popular Categories