www.samajalive.in
Monday, December 8, 2025
27.1 C
Bhubaneswar

ଦୁର୍ବଳ ମଧ୍ୟକ୍ରମ ଭାରତୀୟ ବିଫଳତାର କାରଣ

ମାଞ୍ଚେଷ୍ଟର : ଚଳିତ ବିଶ୍ବକପ୍‌ରେ ଭାରତ ଲିଗ୍ ପର୍ଯ୍ୟାୟରେ ମାତ୍ର ଗୋଟିଏ ମ୍ୟାଚ୍‌ରେ ପରାସ୍ତ ହୋଇଥିଲା। ଇଂଲଣ୍ଡ ବିପକ୍ଷରେ ଭାରତ ପରାସ୍ତ ହୋଇଥିଲେ ହେଁ ଏହି ମ୍ୟାଚ୍‌ରେ ୩ ଶହରୁ ଅଧିକ ରନ୍ କରି ପାରିଥିଲା। ଲିଗ୍ ପର୍ଯ୍ୟାୟରେ ଭାରତୀୟ ବ୍ୟାଟ୍‌ସମ୍ୟାନ୍ ୭ଟି ଶତକ ମାରିଥିଲେ ହେଁ ସବୁତକ ମାରିଥିଲେ ଓପ୍‌ନର। ରୋହିତ ଶର୍ମା ୫ଟି ଶତକ ମାରିଥିବା ବେଳେ ଶିଖର ଧାୱନ୍ ଓ କେ.ଏଲ୍‌. ରାହୁଲ ଗୋଟିଏ ଲେଖାଏଁ ଶତକ ମାରିଥିଲେ। ୩ନଂ ବ୍ୟାଟ୍‌ସମ୍ୟାନ୍ ବିରାଟ କୋହଲି ୫ଟି ଅର୍ଦ୍ଧଶତକ ମାରିଥିଲେ। ଉପରୋକ୍ତ ୪ ବ୍ୟାଟ୍‌ସମ୍ୟାନଙ୍କୁ ଛାଡ଼ି ବାକି ସମସ୍ତ ବ୍ୟାଟ୍‌ସମ୍ୟାନ ମିଳିତ ଭାବେ ମାତ୍ର ୪ଟି ଅର୍ଦ୍ଧଶତକ ମାରିଥିଲେ। ଏହିଥିରୁ ସ୍ପଷ୍ଟ ଯେ ଉପର ଅର୍ଡର ବ୍ୟାଟ୍‌ସମ୍ୟାନଙ୍କ ଉପରେ ଭାରତ ଚଳିତ ବିଶ୍ବକପ୍‌ରେ କେତେ ନିର୍ଭରଶୀଳ ଥିଲା। କ୍ରିକେଟ ପଣ୍ଡିତମାନେ ବାରମ୍ବାର ପ୍ରଶ୍ନ କରୁଥିଲେ- ଯଦି କୌଣସି ଏକ ମ୍ୟାଚ୍‌ରେ ପ୍ରଥମ ୩ ବ୍ୟାଟ୍‌ସମ୍ୟାନ୍ ଏକାଠି ବିଫଳ ହେଲେ ମଧ୍ୟକ୍ରମ କ’ଣ ଇନିଂସ ସମ୍ଭାଳିପାରିବେ? କୌଣସି ଲିଗ୍ ମ୍ୟାଚ୍‌ରେ ପ୍ରଥମ ୩ ବ୍ୟାଟ୍‌ସମ୍ୟାନ୍ ଏକାଠି ବିଫଳ ହୋଇନଥିଲେ। ତେବେ ନ୍ୟୁଜିଲାଣ୍ଡ ବିପକ୍ଷ ସେମିଫାଇନାଲରେ ଭାରତକୁ ଏହାର ଜବାବ ମିଳିଯାଇଛି। ରୋହିତ ଶର୍ମା, କେ.ଏଲ୍‌. ରାହୁଲ ଓ ବିରାଟ କୋହଲି ୧ ରନ୍‌ ଲେଖାଏଁ କରି ଆଉଟ ହେବା ପରେ ଭାରତ ୨୪୦ ରନ୍‌ର ପିଛା କରିନପାରି ବିଶ୍ବକପ୍‌ ସେମିଫାଇନାଲରୁ ବିଦାୟ ନେଇଛି।
ଭାରତୀୟ ବ୍ୟାଟିଂର ଏହି ଦିଗଟି ନିଶ୍ଚୟ ଦଳ ପାଇଁ ଚିନ୍ତାଜନକ। ନ୍ୟୁଜିଲାଣ୍ଡଠାରୁ ଭାରତ ସେମିଫାଇନାଲରେ ପରାସ୍ତହେବା ପରେ ସ୍ପଷ୍ଟ ହୋଇଯାଇଛି ଯେ ଭାରତୀୟ ମଧ୍ୟକ୍ରମ ବ୍ୟାଟିଂ ଅତ୍ୟନ୍ତ ଦୁର୍ବଳ। ଏହାସତ ଯେ ମହେନ୍ଦ୍ର ସିଂହ ଧୋନି ଓ ରବୀନ୍ଦ୍ର ଜାଡ଼େଜା ଲଢ଼ୁଆ ବ୍ୟାଟିଂକରି ଦଳକୁ ବିଜୟଲକ୍ଷ୍ୟର ନିକଟବର୍ତ୍ତୀ କରାଇ ପାରିଥିଲେ। ତେବେ ଏହା ମଧ୍ୟକ୍ରମର ବିଫଳତାକୁ ଲୁଚାଇ ପାରିନାହିଁ। ଏହାକୁ ନେଇ ଭାରତୀୟ ମନୋନୟନକାରୀଙ୍କୁ କିଛି କଠୋର ନିଷ୍ପତ୍ତି ନେବାକୁ ପଡ଼ିବ। ଚଳିତ ବିଶ୍ବକପ୍‌ରେ ରୋହିତ ଶର୍ମାଙ୍କ ୬୪୮ ରନ୍ ପରେ ବିରାଟ କୋହଲି ୪୪୩ ଓ କେ.ଏଲ୍‌. ରାହୁଲ ୩୬୧ ରନ୍ କରିଛନ୍ତି। ଏମାନଙ୍କୁ ଛାଡ଼ି ଧୋନି ୨୭୩ ଓ ହାର୍ଦିକ ପାଣ୍ଡ୍ୟା ୨୨୬ ରନ୍ କରିଛନ୍ତି। ଋଷଭ ପନ୍ତ୍ ୧୧୬, କେଦାର ଯାଦବ ୮୦ ଓ ବିଜୟ ଶଙ୍କର ୫୮ ରନ୍ କରିଛନ୍ତି। ତେଣୁ ଏଥିରୁ ସ୍ପଷ୍ଟ ଯେ ଭାରତ ମ୍ୟାଚ ଜିତିବା ପାଇଁ ବ୍ୟାଟିଂ ଲାଇନ୍‌ର ପ୍ରଥମ ୩ ଜଣଙ୍କ ଉପରେ ଅଧିକ ନିର୍ଭରଶୀଳ ଥିଲା। ଭାରତ ୨୪୦ ରନ୍‌ର ପିଛା ଆରମ୍ଭ କରିବା ବେଳକୁ ଭାରତର ବିଜୟ ସମ୍ଭାବନା ୭୦ ପ୍ରତିଶତ ଥିବା ବେଳେ ରୋହିତ, କୋହଲି ଓ ରାହୁଲ ଆଉଟ ହୋଇଯିବା ପରେ ଏହା ୨୭ ପ୍ରତିଶତକୁ ଖସି ଆସିଥିଲା। ପରେ ଭାରତୀୟ ମଧ୍ୟକ୍ରମ ବ୍ୟାଟ୍‌ସମ୍ୟାନ୍ ନା ସ୍କୋର୍‌ବୋର୍ଡକୁ ଆଗେଇ ନେଇଥିଲେ ନା ବେଶି ସମୟ ୱିକେଟରେ ରହି ପାରିଥିଲେ। କେବଳ ବ୍ୟାଟିଂ ପାଇଁ ଦଳରେ ଥିବା ପନ୍ତ୍ ଓ ଦିନେଶ କାର୍ତ୍ତିକ ଜଲ୍‌ଦି ଆଉଟ ହୋଇଯିବା ଭାରତୀୟ ଦଳକୁ ଚାପରେ ପକାଇଥିଲା।

Hot this week

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

କଲେଜ ଭିତରେ ଛାତ୍ରଙ୍କୁ ଛୁରାମାଡ

ବାରିପଦା : ବାରିପଦାରେ ଅଭାବନୀୟ ଘଟଣା ଘଟିଛି। ବାଇଗଡବାହିଆ ସ୍ଥିତ ବିବି...

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

Related Articles

Popular Categories