ନୂଆଦିଲ୍ଲୀ: କେନ୍ଦ୍ର ଗୃହ ମନ୍ତ୍ରାଳୟ ପ୍ରଥମ ଥର ଲାଗି ସରକାରୀ କର୍ମଚାରୀଙ୍କ ପାଇଁ ଅଫିସରେ ସାମାଜିକ ଗଣମାଧ୍ୟମ ଓ ଇଣ୍ଟରନେଟ ବ୍ୟବହାର ନେଇ ନିର୍ଦ୍ଦେଶାବଳୀ ପ୍ରସ୍ତୁତ କରିଛନ୍ତି। ମନ୍ତ୍ରାଳୟର ଅନୁମତି ବିନା କୌଣସି କର୍ମଚାରୀ ସେମାନଙ୍କ ମୋବାଇଲ ଓ ବ୍ୟକ୍ତିଗତ କମ୍ପ୍ୟୁଟର ସହିତ ଅଫିସରେ ବ୍ୟବହାର ହେଉଥିବା ଇଲେକ୍ଟ୍ରୋନିକ ଉପକରଣ ବ୍ୟବହାର କରିବେ ନାହିଁ। ଇଣ୍ଟରନେଟ ସହ ସଂଯୋଗ ହୋଇଥିବା କମ୍ପ୍ୟୁଟରରେ କୌଣସି ପ୍ରକାର ଗୋପନୀୟ କାମ ନ କରିବାକୁ ମଧ୍ୟ ଗୃହ ମନ୍ତ୍ରାଳୟ କର୍ମଚାରୀମାନଙ୍କୁ ନିର୍ଦ୍ଦେଶ ଦେଇଛି।
ମନ୍ତ୍ରାଳୟ ଦ୍ୱାରା ଜାରି ସୂଚନା ଅନୁଯାୟୀ, ସ୍ଥାୟୀ ଓ ଅସ୍ଥାୟୀ ତଥା ଚୁକ୍ତିଭିତ୍ତିକ କର୍ମଚାରୀ, ଉପଦେଶକର୍ତ୍ତା ଏବଂ ଭାଗିଦାରୀ କର୍ମଚାରୀ ଯେଉଁମାନେ ସୂଚନା ପ୍ରଣାଳୀ ସହ ଜଡିତ ଥିବେ, ସେମାନେ କୌଣସି ସୂଚନା ସାମାଜିକ ଗଣମାଧ୍ୟମରେ ସାର୍ବଜନୀନ କରିପାରିବେ ନାହିଁ।
କେତେକ ବିଦେଶୀ ସଂଗଠନଗୁଡିକ ଆମ ଦେଶର ସରକାରୀ ୱେବସାଇଟଗୁଡିକୁ ପ୍ରତି ୨୪ ଘଣ୍ଟାରେ ୩୦ଥର ହ୍ୟାକ୍ କରୁଥିବାରୁ ଗୋପନୀୟ ସୂଚନା ସାର୍ବଜନୀନ କିମ୍ବା ଚୋରି ହେବା ଭଳି ଭୟ ଥିବାରୁ ଏଭଳି ପଦକ୍ଷେପ ନିଆଯାଇଥିବା ଜଣାପଡିଛି। ସତର୍କତା ପଦକ୍ଷେପ ସ୍ୱରୂପ କୌଣସି ଗୋପନୀୟ ସୂଚନା ଗୁଗୁଲ ଡ୍ରାଇଭ, ଡ୍ରପ ବକ୍ସ, ଆଇ-କ୍ଲାଉଡ଼ ପ୍ରଭୃତିରେ ଅପଲୋଡ଼ ନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।



