www.samajalive.in
Tuesday, December 9, 2025
17.1 C
Bhubaneswar

ଅନ୍ତର୍ଜାତୀୟ ସ୍ତରରେ କୃତିତ୍ୱ ହାସଲ କରିଥିବା ଟିଟିଲାଗଡ଼ର ପୁଅ ଜିତେନ୍ଦ୍ର ମିଶ୍ର

ଟିଟିଲାଗଡ଼ : ଜାତୀୟ, ଆନ୍ତର୍ଜାତୀୟ ସ୍ତରରେ ୧୧୦ଟି ଚଳଚ୍ଚିତ୍ରର ପ୍ରଯୋଜନା ସହ ଜଡ଼ିତ ତଥା ଜଣେ ସମ୍ମାନାସ୍ପଦ ଜୁରି ମେମ୍ବର ଭାବରେ ବିଭିନ୍ନ ଆନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବରେ ଟିଟିଲାଗଡ ମାଟିର ଜିତେନ୍ଦ୍ର ମିଶ୍ର ଅବତ୍ତୀର୍ଣ୍ଣ ହେବା ସହ ଏକ ମାଇଲଖୁଣ୍ଟ ଅତିକ୍ରମ କରିଛନ୍ତି। ବିଶ୍ୱର ସର୍ବବୃହତ ଶିଶୁ ଏବଂ ଯୁବ ମିଡିଆ ନେଟୱାର୍କ ସିଆଇଏଫଇଜେର ସେ ନିର୍ଦ୍ଦେଶକ ଦାୟିତ୍ୱ ତୁଲାଇ ଆସିଛନ୍ତି। ଏହି ପ୍ରତିଭାବାନ ବ୍ୟକ୍ତିତ୍ୱଙ୍କ ଟିଟିଲାଗଡ ଗସ୍ତ ସମୟରେ ତାଙ୍କର ଏହି ଦୀର୍ଘ ଚଳାପଥ ତଥା ଅନୂଭୁତି ସମ୍ପର୍କରେ ଏକ ସାକ୍ଷାତକାରରେ ଆମ ଟିଟିଲାଗଡ଼ ପ୍ରତିନିଧି ଦିଲୀପ କୁମାର ପୁରୋହିତଙ୍କୁ ସଂଘର୍ଷମୟ ଜୀବନର ଅନେକ କଥା ବଖାଣିଥିଲେ।

ପ୍ରଶ୍ନ- ଆନ୍ତର୍ଜାତୀୟ ସ୍ତରରେ ଜଣେ ସଫଳ ଚଳଚ୍ଚିତ୍ର ପ୍ରଯୋଜକ ଭାବରେ ଆପଣଙ୍କର ଖ୍ୟାତି ରହିଛି। କ୍ୟାରିୟର ନେଇ ଆପଣ ୩୦ଟି ଦେଶ ବୁଲିଛନ୍ତି। ଏହି ଯୁବ ବୟସରେ ଆପଣଙ୍କ ସଫଳତା ପ୍ରଶଂସନୀୟ।
ଉ- ପ୍ରଥମେ ଶତବାର୍ଷିକ ପାଳନ କରିବାକୁ ଯାଇଥିବା ଉତ୍କଳମଣୀ ପଣ୍ଡିତ ଗୋପବନ୍ଧୁ ଦାସଙ୍କ ସୃଜନ ଓଡିଶାର ଶ୍ରେଷ୍ଠ ଖବର କାଗଜ ‘ସମାଜ’ ଅନୁଷ୍ଠାନର ସମସ୍ତ ସଦସ୍ୟଙ୍କୁ ମୁଁ ଶୁଭେଚ୍ଛା ଦେଉଛି। ‘ସମାଜ’ ସମ୍ପାଦକ ସମ୍ମାନନୀୟ ବାମାପଦ ତ୍ରିପାଠୀ ସାର ମୋତେ ପ୍ରେରଣା ଦେଇଆସିଛନ୍ତି। ମୁଁ ସଫଳତା ଅର୍ଜନ କରିବା ସଂଜ୍ଞାକୁ ବିଶ୍ୱାସ କରେ ନାହିଁ। ଏହା ମନର ଏକ ଭାବନା। ଯାହା କଳ୍ପନା କରିଥିଲେ ତାହାକୁ ମୋ କାର୍ଯ୍ୟରେ ପରିପ୍ରକାଶ କରିବାରେ ସକ୍ଷମ ହୋଇଥିବାରୁ ସେଥିରେ ମୁଁ ସନ୍ତୁଷ୍ଟ। ମୋ ପରିବାର ଏନେଇ ଆନନ୍ଦିତ ଏବଂ ଗର୍ବିତ। ମୋ ଦେଶ, ମୋ ରାଜ୍ୟ, ମୋ ଜନ୍ମ ମାଟି ଟିଟିଲାଗଡ ଅଞ୍ଚଳର ଲୋକେ ମୋ କାର୍ଯ୍ୟକୁ ନେଇ ମୋତେ ଭଲ ପାଆନ୍ତି। ଏହାହିଁ ମୋ ସଫଳତା।

- Advertisement -

ପ୍ରଶ୍ନ- ଏକ ସାଧାରଣ ପରିବାରରେ ଆପଣଙ୍କ ଜନ୍ମ ସେଠାରୁ ସିନେମା ଜଗତରେ ପ୍ରବେଶ। ଏନେଇ କିଛି ଆପଣଙ୍କ ଅଭୁଲା ସ୍ମୃତି ଯାହା ପର୍ଦ୍ଦା ପଛରେ ରହିଛି। ସେନେଇ କିଛି କହିବେ କି?
ଉ-ମୋତେ ୧୪ ବର୍ଷ ହେବା ପର୍ଯ୍ୟନ୍ତ ଆମ ଘରେ ଟିଭିଟିଏ ନଥିଲା। ଯଦିଓ ମୋର ଟିଭିରେ ସିରିଏଲ, ଚଳଚ୍ଚିତ୍ର ଦେଖିବାର ପ୍ରବଳ ଆଗ୍ରହ ରହିଥିଲା, ସେହି ସୁଯୋଗ ମୁଁ ପାଉନଥିଲି। ଏହା ପ୍ରାକୃତିକ ଯେ ଯାହା ପାଖରେ ନଥାଏ ତାହା ହାସଲ କରିବାକୁ ବ୍ୟାକୁଲତା ରହିଥାଏ। ମୋ ମନର ବ୍ୟାକୁଲତା ପ୍ରତ୍ୟେକ ରବିବାର ସକାଲ ୯ଟାରେ ପଡୋଶୀ ଘରକୁ ଯିବା ପାଇଁ ବାଧ୍ୟ କରୁଥିଲା। ଯଦିଓ ପଡୋଶୀ ମୋତେ ତାଙ୍କ ଘରେ ଟିଭି ଦେଖିବା ପାଇଁ ମନ ଉଣା କରୁଥିଲେ। ଅନେକ ଥର ଘନ୍ଟା ଘନ୍ଟା ଧରି ପଡୋଶୀ ଘର କବାଟ ଠକଠକ କରି କବାଟ ଖୋଲିବା ପର୍ଯ୍ୟନ୍ତ ଜଗି ରହୁଥିଲି। କେବେ କେବେ ନିରାଶ ହୋଇ ଫେରୁଥିଲି। ଥରେ ସେମାନେ ସିଧାସଲଖ ଆସିବାକୁ ମନା କରିଦେଲେ। ଏନେଇ ମୁଁ ସେଦିନ ଖୁବ କାନ୍ଦିଥିଲି। ଶିଶୁ ସୁଲଭ ମନରେ ପଡୋଶୀଙ୍କ ମୋ ପ୍ରତି ବିତସ୍ପୃହତା ବୁଝିପାରୁନଥିଲି। ଏହି ଘଟଣା ପରବର୍ତି କାଳରେ ମୋତେ ସଂକଲ୍ପବଦ୍ଧ ତଥା ଦୃଢତାର ସହ କାର୍ଯ୍ୟ କରିବାକୁ ପ୍ରେରଣା ଯୋଗ।।ଇଥିଲା। ଏବେ ଭାବୁଛି ଯଦି ସେଦିନ ମୋତେ ତାଙ୍କ ଘରୁ ତଡିନଥାନ୍ତେ ତେବେ ମୁଁ ଆଜି ବିଶ୍ୱର କୋଟିକୋଟି ଲୋକଙ୍କୁ ମୋର ଚଳଚିତ୍ର ତିଆରି କରି ପ୍ରଦର୍ଶନ କରିବାର ସୁଯୋଗ ପାଇପାରିନଥାନ୍ତି।

ପ୍ରଶ୍ନ- କେବେ ଏବଂ କିପରି ଭାବରେ ଆପଣ ଫିଲ୍ମ ଜଗତକୁ ପ୍ରବେଶ କଲେ?
ଉ- କଲେଜ ପଢିବା ସମୟରୁ ମୁଁ ଓକିଲ କିମ୍ବା ଇଞ୍ଜିନିୟରଟିଏ ହୁଏଁ କିମ୍ବା କୌଣସି ସରକାରୀ ଚାକିରି କରିବି ବୋଲି ବାପା ଚାହୁଁଥିଲେ। ବାପାଙ୍କୁ ଫିଲ୍ମ କ୍ୟାରିୟର ସମ୍ବନ୍ଧରେ କହିପାରୁନଥିଲି। ପରିବାରର ନିଷ୍ପତି ବିରୁଦ୍ଧରେ ଯିବା ସେମାନଙ୍କ ପ୍ରତି ଅସମ୍ମାନ ହେବ ବୋଲି ଭାବୁଥିଲି। ଦିନେ ମା କହିଲେ ତୋ ଭବିଷ୍ୟତ ତୁ ବାଛ ବୋଲି। ସେ ସମୟରେ ଫିଲ୍ମ ସମ୍ବନ୍ଧରେ ମୋର କୌଣସି ଅଭିଜ୍ଞତା ନଥିଲା ବା କେହି ଗଡଫାଦର ନଥିଲେ। ତେବେ ମନରେ ଦୃଢତା ରଖି ଦିଲ୍ଲୀ ଗଲି। ଇଂରାଜୀରେ ପଟୁତା ନଥିବା ତଥା ଅସ୍ପଷ୍ଟ ହିନ୍ଦି ଜ୍ଞାନ ଯୋଗୁଁ ସେସମୟରେ ବହୁ ସ୍ଥାନରେ ମୋତେ ନିରାଶ ହେବାକୁ ପଡିଲା। ସେଠାରେ ଏକ ସ୍ପଟ ବୟ ଭାବରେ କାର୍ଯ୍ୟ ଆରମ୍ଭ କଲି। ସେସମୟରେ ସେଠାରୁ ବମ୍ବେ ଯିବାକୁ ମୋ ପାଖରେ ସମ୍ବଲ ମଧ୍ୟ ନଥିଲା।

ପ୍ରଶ୍ନ-ଆପଣ କେବେ ଅଭିନେତା ହେବାକୁ ମନ ବଳାଇଲେ ନାହିଁ, କାହିଁକି ଆପଣ ପ୍ରଯୋଜନା ଦିଗକୁ ଅଗ୍ରସର ହେଲେ ?
ଉ-ମୁଁ କେବେ ଅଭିନେତା ହେବାକୁ ଇଚ୍ଛା କରିନଥିଲି। ମୋ ଖର୍ଚ୍ଚ ତୁଲାଇବାକୁ କିଛି ମୋଡେଲିଙ୍ଗ କରିଛି। ପରେ ସହାୟକ ପ୍ରଯୋଜକ ଭାବରେ କାର୍ଯ୍ୟ ଆରମ୍ଭ କଲି। ଏହା ମୋ କ୍ୟାରିୟର କାଳକ୍ରମେ ପରିପୃଷ୍ଟ କଲା। ମୁଁ କେବଲ ଭଲ କାହାଣିକୁ ଗୁରୁତ୍ୱ ଦେଉଥିଲି। ଲୋ ବଜେଟ ଫିଲ୍ମ ପର୍ଦ୍ଦାକୁ ଆସିବାକୁ ବଂଚିତ ନହେଉ। କାରଣ ମୁଁ ସେଭଳି ସାଧାରଣ ପରିବେଶରୁ ଆସିଛି, ସେଥିପାଇଁ କାହାରି କାହାଣି ଲୋକଲୋଚନକୁ ଆସିବାରୁ ବଂଚିତ ନହେଉ ସେଥିପାଇଁ ସେଭଳି ଫିଲ୍ମକୁ ପ୍ରୋତ୍ସାହିତ କରିବାକୁ ଅଗ୍ରାଧିକାର ଦେଇଥିଲି।

ପ୍ରଶ୍ନ- ଓଡିଶା ପାଇଁ ଆପଣଙ୍କର କିଛି ଯୋଜନା ଅଛି କି?
ଉ-ଭଲ ସ୍କ୍ରିପ୍ଟ ଏବଂ ସମଚିନ୍ତାଧାରା ବନ୍ଧୁ ମିଳିଲେ ମୁଁ ଏଦିଗରେ ନିଶ୍ଚୟ ଅଗ୍ରସର ହେବି। ଏନେଇ ମୋର ପ୍ରବଳ ଇଚ୍ଛା ରହିଛି।

ପ୍ରଶ୍ନ- ସମ୍ପ୍ରତି ଆର୍ନ୍ତଜାତୀୟ କ୍ୟାନ ଫିଲ୍ମ ଫେଷ୍ଟିଭାଲରେ ସମ୍ବଲପୁରୀ ପରିଧାନରେ ଆପଣ ରେଡ କାର୍ପେଟକୁ ଓହ୍ଲାଇଥିଲେ।
ଉ-ଆମ ସଂସ୍କୃତି, ଆମ ପରମ୍ପରା, ଆମ ପରିଧାନର ସ୍ୱତନ୍ତ୍ରତା ରହିଛି। ମୁଁ ଏନେଇ ଗର୍ବ ମନେ କରେ। ମୋ ମା ସର୍ବଦା ସମ୍ବଲପୁରି ଶାଢୀ ପରିଧାନ କରନ୍ତି। କ୍ୟାନ ରେଡ କାର୍ପେଟରେ ମୋର ସ୍ୱତନ୍ତ୍ର ସମ୍ବଲପୁରୀ ପରିଧାନକୁ ବିଶ୍ୱର ସେଲେବ୍ରେଟିଙ୍କ ମଧ୍ୟରେ ଚର୍ଚ୍ଚାର ବିଷୟ ହୋଇଥିଲା।

ପ୍ରଶ୍ନ- ଆପଣଙ୍କ ସଫଳତା ପଛରେ କାହାକୁ ଶ୍ରେୟ ଦେବେ।
ଉ- ବାପା ସ୍ୱର୍ଗତ ରାଧାମାଧବ ମିଶ୍ର, ମା ସୌଦାମିନୀ ମିଶ୍ର, ଭାଇ ଉମାକାନ୍ତ, ଭଉଣୀ ସୁଜାତା, ଅନିତା, ସୁଲତା, ସୁକାନ୍ତି, ସ୍ତ୍ରୀ ଡୋନା, ସ୍ମାଇଲ ଫାଉଣ୍ଡେସନ, ମୋ ଜନ୍ମମାଟି ଟିଟିଲାଗଡ ସମେତ ମୋର ପ୍ରଶଂସକ ସମସ୍ତେ ମୋର ସଫଲତା କାମନା କରିଛନ୍ତି।

ପ୍ରଶ୍ନ- ବର୍ତ୍ତମାନ ଆପଣ କୋଉ ପ୍ରୋଜେକ୍ଟ ପାଇଁ କାର୍ଯ୍ୟ କରୁଛନ୍ତି?
ଉ- ସମ୍ପ୍ରତି ମୋ ପ୍ରଯୋଜନା ତଥା ବିକାଶ ଖାନ୍ନାଙ୍କ ନିର୍ଦ୍ଦେଶନାରେ “ଦି ଲାଷ୍ଟ କଲର” ଆର୍ନ୍ତଜାତୀୟ ସ୍ତରରେ ଆଗଧାଡିର ଚଳଚ୍ଚିତ୍ର ମହୋତ୍ସବରେ ସ୍ୱତନ୍ତ୍ର ସ୍କ୍ରିନିଂ ହୋଇଛି। ଆନ୍ତର୍ଜାତୀୟ ସ୍ତରରେ ଏକ ନୂତନ ପ୍ରୋଜେକ୍ଟ ପାଇଁ ଧ୍ୟାନ ଦେଇଛି। ଏନେଇ ଖୁବ ଶୀଘ୍ର ଘୋଷଣା ହେବ।

ପ୍ରଶ୍ନ-ଆପଣଙ୍କ ଜନ୍ମ ମାଟି ଟିଟଲାଗଡ ସମ୍ବନ୍ଧରେ କିଛି ମତ?
ଉ- ଏହା ଏକ ଐତିହ୍ୟ ତଥା ଐଶ୍ୱରୀକ ଶକ୍ତି ସମ୍ପନ୍ନ ସହର। ଏଠାରୁ ଶାମ ପିଟ୍ରୋଡା ଭଳି ପ୍ରତିଭା ସୃଷ୍ଟି ହୋଇଛନ୍ତି। ଜଣେ ଗୃହିଣୀରୁ ରାଜ୍ୟରେ କ୍ୟାବିନେଟ ମନ୍ତ୍ରୀ ଭାବରେ ଟୁକୁନୀ ସାହୁ ମହିଳା ସଶକ୍ତିକରଣ ଦିଗରେ କାର୍ଯ୍ୟଧାରା ଜାରି ରଖି ଅନ୍ୟ ଏକ ଉଦାହରଣ ସୃଷ୍ଟି ହୋଇଛି। ସହରରେ ଅନେକ ଅନୁଷ୍ଠାନ ତଥା ବିରଳ ବ୍ୟକ୍ତି ବିଶେଷ ନିଜ କାର୍ଯ୍ୟ ନେଇ ଖ୍ୟାତି ଅର୍ଜନ କରିଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories