ନିସ୍ବାର୍ଥ ଦାନ ପ୍ରକୃତ ଦାନ
ଦାନ ଦେବା ଦ୍ୱାରା ପୁଣ୍ୟ ମିଳିଥାଏ। ବହୁ ଶୁଭଫଳ ପ୍ରାପ୍ତି ହୋଇଥାଏ। ଏହି କାରଣରୁ ସଭିଏଁ ଦାନ କରିଥାଆନ୍ତି। ମାତ୍ର କିଭଳି ଦାନ କଲେ ଏହାର ଫଳ ମିଳେ, ତାହା କେହି ଚିନ୍ତା କରିନଥାଆନ୍ତି। ଏକ ପ୍ରଚଳିତ ପୁରୁଣା ଲୋକକଥା ମାଧ୍ୟମରେ ଜାଣନ୍ତୁ ଦାନର ପ୍ରକୃତ ଅର୍ଥ….
ଏକ ଜଙ୍ଗଲରେ ଠେକୁଆ, ମାଙ୍କଡ଼, ଶିଆଳ, ଓଧ ଚାରି ସାଙ୍ଗ ଥିଲେ। ଏକଦା ଚାରି ଜଣ ଚିନ୍ତା କଲେ ଯେ, ମନୁଷ୍ୟଜାତି ଆତ୍ମକଲ୍ୟାଣ ଅର୍ଥାତ ନିଜ ପାଇଁ ଦାନ କରିଥାଏ। ଏଭଳି ଚିନ୍ତା କରି ସେମାନେ ମଧ୍ୟ ନିଜର କଲ୍ୟାଣ ପାଇଁ ଦାନ କରିବାକୁ ପାଇଁ ସ୍ଥିର କଲେ।
ପରଦିନ ମାଙ୍କଡ଼ ଜଙ୍ଗଲରେ ଥିବା ଗଛରୁ କିଛି ଫଳ ଆଣିଲା। ଶିଆଳ ଗାଁ ଭିତରୁ ଏକ ଦହି ହାଣ୍ଡି ଚୋରି କରି ଆଣିଲା। ଓଧ ନଦୀରୁ କିଛି ମାଛ ଧରି ଆଣିଲା। ଠେକୁଆ ଚିନ୍ତା କଲା ସେ ଯଦି କାହାକୁ ଘାସପତ୍ର ଦାନ ଦେବ ତେବେ ଏହାର କିଛି ଶୁଭଫଳ ମିଳିବ ନାହିଁ। ତେଣୁ ସେ ନିଜକୁ ଦାନ ଦେବ।
ଏସବୁ ଘଟଣା ଇନ୍ଦ୍ରଦେବ ଦେଖୁଥିଲେ। ଠେକୁଆର ଏଭଳି ଚିନ୍ତାଧାରା ଯେତେବେଳେ ଦେଖିଲେ, ସେ ଠେକୁଆର ପରୀକ୍ଷା ନେବାକୁ ଚାହିଁଲେ। ତେଣୁ ସେ ଏକ ଋଷିଙ୍କ ରୂପ ଧାରଣ କରି ଜଙ୍ଗଲ ଭିତରକୁ ପ୍ରବେଶ କଲେ। ଚାରି ସାଙ୍ଗ ଯେତେବେଳେ ଜାଣିଲେ ଯେ, ଜଙ୍ଗଲ ମଧ୍ୟକୁ ଜଣେ ଋଷି ଆସିଛନ୍ତି, ସଭିଏଁ ନିଜ ନିଜର ଦ୍ରବ୍ୟ ନେଇ ତାଙ୍କ ନିକଟରେ ପହଞ୍ଚିଲେ। ମାଙ୍କଡ଼ ନିଜର ଫଳ, ଶିଆଳ ଦହି ଏବଂ ଓଧ ମାଛ ଦାନ ଦେଇ ଗର୍ବ ଅନୁଭବ କରି ଭାବିଲେ ଯେ, ଠେକୁଆ ନିକଟରେ କିଛି ନାହିଁ। ତେଣୁ ତା’କୁ ଋଷିଙ୍କ କ୍ରୋଧର ସାମ୍ନା କରିବାକୁ ପଡ଼ିବ। ଯେଉଁ ସମୟରେ ଠେକୁଆର ପାଳି ଆସିଲା ସେ ଋଷିଙ୍କୁ କହିଲା ମୁଁ ନିଜକୁ ଦାନ କରୁଛି। ମୋ ମାଂସ ସ୍ୱୀକାର କରନ୍ତୁ। ଠେକୁଆ ସେଠାରେ ନିଆଁ ଲଗାଇ ନିଆଁକୁ ଡ଼େଇଁ ପଡ଼ିଲା। ଋଷିଙ୍କ ରୂପରେ ଥିବା ଇନ୍ଦ୍ରଦେବ ଠେକୁଆର ଦାନର ବିରତ୍ୱ ଦେଖି ଖୁବ ପ୍ରସନ୍ନ ହୋଇଗଲେ। ଠେକୁଆ ନିଆଁରେ ଡ଼େଇଁଥିଲା, ମାତ୍ରେ ସେ ସମ୍ପୂର୍ଣ୍ଣ ସୁରକ୍ଷିତ ଥିଲା। କାରଣ ସେ ନିଆଁ ଇନ୍ଦ୍ରଙ୍କ ମାୟାର ନିଆଁ ଥିଲା।
ଇନ୍ଦ୍ରଦେବ ନିଜର ପ୍ରକୃତ ରୂପରେ ଆସି ଠେକୁଆକୁ କହିଲେ ଯେ, ତୁମେ ନିସ୍ବାର୍ଥ ଭାବରେ ଦାନ କଲ, ତୁମର ତ୍ୟାଗର ଭାବନା ସର୍ବଶ୍ରେଷ୍ଠ। ତୁମେ ହିଁ ମହାଦାନୀ। ତୁମର କଲ୍ୟାଣ ହେବ।
ଶିକ୍ଷା; ଦେଇଥିବା ଦାନ ଉପରେ ଗର୍ବ କରନ୍ତୁ ନାହିଁ। ନଚେତ ଏହାର କୌଣସି ଫଳ ମିଳିନଥାଏ। ସେହି ଦାନ ଶ୍ରେଷ୍ଠ ଅଟେ, ଯାହା କୌଣସି ସ୍ୱାର୍ଥକୁ ଦୃଷ୍ଟି ରଖି କରାଯାଏ ନାହିଁ।
Comments are closed.