ନୂଆଦିଲ୍ଲୀ : ବଡ ବ୍ରାଣ୍ଡେଡ (ନାମୀଦାମୀ) ଔଷଧ କମ୍ପାନୀଙ୍କ ମନମୁଖି ଗତିବିଧି ଉପରେ ଅଙ୍କୁଶ ଲଗାଇବାକୁ ସରକାର ପ୍ରୟାସ ଆରମ୍ଭ କରିଛନ୍ତି। ଏହି କ୍ରମରେ ୧୦୦ରୁ ଊର୍ଦ୍ଧ୍ବ ନାମୀଦାମୀ ବା ବ୍ରାଣ୍ଡେଡ ଔଷଧ ଉପରେ ପ୍ରତିବନ୍ଧକ ଲଗାଯିବ ବୋଲି ଶୁଣିବାକୁ ମିଳୁଛି। ୨ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ଡ୍ରଗ୍ସ ଟେକ୍ନିକାଲ ଆଡଭାଇଜର ବୋର୍ଡ (ଡିଟିଏବି) ବୈଠକରେ ଉପରୋକ୍ତ ନିଷ୍ପତ୍ତି ନିଆଯାଇପାରେ ବୋଲି ଜଣେ ବିଭାଗୀୟ ବରିଷ୍ଠ ଅଧିକାରୀ ପ୍ରକାଶ କରିଛନ୍ତି।
ପ୍ରକାଶଯୋଗ୍ୟ ଯେ ଭାରତରେ ବହୁ ବଡ଼ ବ୍ରାଣ୍ଡେଡ଼ କମ୍ପାନୀ ଆବଶ୍ୟକ ସ୍ୱୀକୃତି ବିନା ଫିକ୍ସ ଡୋଜ କମ୍ବିନେଶନ (ଏଫଡିସି) ଔଷଧ ପ୍ରସ୍ତୁତ ଓ ବିକ୍ରି କରୁଛନ୍ତି। ଏହାର ସିଧା ସଳଖ ପ୍ରଭାବ ରୋଗୀଙ୍କ ଉପରେ ପଡୁଛି। ଏଫଡିସି ଯୋଗୁଁ ରୋଗୀଙ୍କୁ ଅନାବଶ୍ୟକ ଔଷଧ ବି ଖାଇବାକୁ ପଡୁଛି।
କେତେକ ଔଷଧର ଗୁଣାବତ୍ତା ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟକୁ ଅଭିଯୋଗ ଆସିଛି। ଅଭିଯୋଗ ଆଧାରରେ ସରକାର ଔଷଧ କମ୍ପାନୀଗୁଡ଼ିକର କାର୍ଯ୍ୟଶୈଳୀରେ ସୁଧାର ଆଣିବା ପାଇଁ କେତେକ କାର୍ଯ୍ୟାନୁଷ୍ଠାନ ନେବାକୁ ଯୋଜନା କରିଛନ୍ତି। ଏହି ଅନୁସାରେ ୧୦୦ଟି ନାମୀଦାମୀ ଔଷଧ ପାଇଁ ଔଷଧ କମ୍ପାନୀଗୁଡ଼ିକୁ ଅଧିକ ଗବେଷଣା କରିବାକୁ କୁହାଯାଇପାରେ। ଏହାଦ୍ୱାରା ଔଷଧର ଗୁଣାବତ୍ତା ସୁନିଶ୍ଚିତ କରିହେବ ଓ ସରକାର ଏନେଇ ଆବଶ୍ୟକ ନିଷ୍ପତ୍ତି ଗ୍ରହଣ କରିପାରିବେ ବୋଲି କୁହାଯାଇଛି।
ଏହାବ୍ୟତୀତ ଚୀନ ଓ ଅନ୍ୟ କେତେକ ଦେଶରୁ ଔଷଧ ତିଆରି ପାଇଁ ଆମଦାନୀ ହେଉଥିବା କଞ୍ଚାମାଲରେ ଗୋଳମାଳ ଓ ନିମ୍ନଗୁଣବତ୍ତା ନେଇ ଅଭିଯୋଗ ଆସିଛି। ତେଣୁ ଭାରତ ସରକାର କଞ୍ଜାମାଲ ପଠାଉଥିବା କମ୍ପାନୀଗୁଡ଼ିକୁ ଏବେ ଗୁଣାବତ୍ତା ମାପକ କାର୍ଡ (କ୍ୟୁଆର) ଦେବାକୁ ଯୋଜନା କରିଥିବା ସୂଚନା ମିଳିଛି।
୧୦୦ରୁ ଊର୍ଦ୍ଧ୍ବ ବ୍ରାଣ୍ଡେଡ ଔଷଧ ଉପରେ ଲାଗିବ ପ୍ରତିବନ୍ଧକ!
Popular Categories



