ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜୀବନୀ ଉପରେ ଆଧାରିତ ଚଳଚ୍ଚିତ୍ର ‘ପିଏମ୍ ନରେନ୍ଦ୍ର ମୋଦୀ’ର ନିର୍ମାତାଙ୍କୁ ନିର୍ବାଚନ ଆୟୋଗ ପକ୍ଷରୁ ସୋମବାର ନୋଟିସ୍ ଜାରି କରାଯାଇଛି। ଚଳଚ୍ଚିତ୍ର ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ କରୁଛି ବୋଲି ଅଭିଯୋଗ ହୋଇଛି। ତେଣୁ ଏନେଇ ଚଳଚ୍ଚିତ୍ରର ନିର୍ମାତା ଏବଂ ନିର୍ଦ୍ଦେଶକଙ୍କୁ ନୋଟିସ୍ ଜାରି କରିଥିବା କହିଛନ୍ତି ଦିଲ୍ଲୀ ମୁଖ୍ୟ ନିର୍ବାଚନ ଅଧିକାରୀ ରଣବୀର ସିଂହ।
ସୂଚନା ଅନୁସାରେ, ରାଜନୈତିକ ଲାଭ ଉଦ୍ଦେଶ୍ୟରେ ନିର୍ବାଚନର ଠିକ୍ ପୂର୍ବରୁ ଏହି ଚଳଚ୍ଚିତ୍ରକୁ ମୁକ୍ତିଲାଭ କରାଯାଉଛି, ତେଣୁ ଏହା ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ କରୁଛି ବୋଲି କଂଗ୍ରେସ ଅଭିଯୋଗ କରିଥିଲା। ଏନେଇ କଂଗ୍ରେସର ୩ସଦସ୍ୟ ଦଳ ନିର୍ବାଚନ ଅୟୋଗକୁ ଭେଟିଥିଲେ। ୩ ସଦସ୍ୟ ଦଳରେ କଂଗ୍ରେସ ପ୍ରବକ୍ତା ରଣଦୀପ୍ ସିଂହ ସୁରଜେଓ୍ଵାଲା, କପିଲ ସିବଲ୍ ଏବଂ ଅଭିଷେକ ମନ୍ନୁ ସିଂଘବୀ ସାମିଲ ଥିଲେ।
ଚଳଚ୍ଚିତ୍ରର ନିର୍ମାତାଙ୍କୁ ଜବାବ ଦେବା ପାଇଁ ୩୦ ମାର୍ଚ୍ଚ ପର୍ଯ୍ୟନ୍ତ ସମୟ ଦିଆଯାଇଛି ବୋଲି ରଣବୀର କହିଛନ୍ତି।
ଉଲ୍ଲେଖଯୋଗ୍ୟ, ଓମଙ୍ଗ କୁମାରଙ୍କ ନିର୍ଦ୍ଦେଶନାରେ ନିର୍ମିତ ‘ପିଏମ୍ ନରେନ୍ଦ୍ର ମୋଦୀ’ ଏପ୍ରିଲ ୫ ତାରିଖରେ ପରଦାକୁ ଆସିବ।



