ନୀଳଗିରି: ବିଦ୍ୟୁତ କରେଣ୍ଟ ଖାଇ ବାଲେଶ୍ୱର ଜିଲା ନୀଳଗିରି ସହରର ଜଣେ ଯୁବକଙ୍କ ଅକାଳ ମୃତ୍ୟୁ ଘଟଣାରେ ନୀଳଗିରି ପୁଲିସ ଫେରାର ଥିବା ସମ୍ପୃକ୍ତ ଜମି ମାଲିକାଣୀଙ୍କୁ ରେମୁଣା ଅଞ୍ଚଳରୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗତ ୨୧ତାରିଖ ସକାଳେ ନୀଳଗିରି ସାନଅତା ଅଞ୍ଚଳର ପୁରୁଷୋତ୍ତମ ଦାସଙ୍କ ଏକମାତ୍ର ପୁଅ ଚିମ୍ପୁ ଓରଫ ତାପସ ଫୁଲ ତୋଳିବାକୁ ଯାଇଥିଲେ । ସେ ଉକ୍ତ ବାଡ଼ିରୁ କିଛି ଗେଣ୍ଡୁଫୁଲ ତୋଳି ପଲିଥିନରେ ସଂଗ୍ରହ କରିଥିବା ବେଳେ କନିଅର ଫୁଲ ତୋଳିବାକୁ ଯାଇ ବିଦ୍ୟୁତ ଆଘାତରେ ତାଙ୍କର ପ୍ରାଣହାନୀ ଘଟିଥିଲା । ଉକ୍ତ ଘଟଣାରେ ନୀଳଗିରି ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା ।
ମୃତକ ପରିବାର ପକ୍ଷରୁ ଏତଲା ପାଇ ନୀଳଗିରି ପୁଲିସ ଏହି ଘଟଣାରେ ଏକ ମାମଲା ରୁଜୁ କରିଥିଲା । ପୁଲିସ ଭୟରେ ୨ଦିନ ହେବ ଫେରାର ଥିବା ଜମି ମାଲିକାଣୀ କୁନା ରାଉତଙ୍କୁ ରବିବାର ନୀଳଗିରି ପୁଲିସ ରେମୁଣା ସୂତେଇ ବଡ଼ଗାଁ ନିକଟରୁ ଜଣେ ସମ୍ପର୍କୀୟଙ୍କ ଘରୁ ଗିରଫ କରିଥିଲା । ଡାକ୍ତରୀମାଇନା କରାଯିବା ପରେ ତାଙ୍କୁ କୋର୍ଟଚାଲାଣ କରାଯାଇଛି ।



