ନୀଳଗିରି: ଫୁଲ ତୋଳିବାକୁ ଯାଇଥିଲେ ଯୁବକ, ଜଗି ବସିଥିଲା ଯମ । ଏଭଳି ଅଭାବନୀୟ ଘଟଣା ଘଟିଛି ବାଲେଶ୍ୱର ଜିଲା ନୀଳଗିରି ସହରର ସାନଅତା ଅଞ୍ଚଳରେ । ଜମି ମାଲିକଙ୍କ ଦ୍ୱାରା ବାଡିରେ ଲାଗିଥିବା ଲୁହା ତାରରେ ବିଦ୍ୟୁତ ସଂଯୋଗ କରାଯିବାରୁ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତକ ଉକ୍ତ ଅଞ୍ଚଳର ପୁରୁଷୋତ୍ତମ ଦାସଙ୍କ ଏକମାତ୍ର ପୁଅ ୩୪ବର୍ଷୀୟ ଚିମ୍ପୁ ଓରଫ ତାପସ ସକାଳ ୬ଟାରେ ଦିଲୀପ ରାଉତଙ୍କ ବାଡିକୁ ଫୁଲ ତୋଳିବାକୁ ଯାଇଥିଲେ, ହେଲେ ବାଡିରେ ବିଦ୍ୟୁତ ସଂଯୋଗ ହୋଇଥିବାରୁ ଗେଣ୍ଡୁ ଫୁଲ ତୋଳିବା ସମୟରେ କରେଣ୍ଟ ଖାଇ ଘଟଣା ସ୍ଥଳରେ ମୃତ୍ୟୁ ଘଟିଛି ।
ଏହାକୁ ନେଇ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିବା ବେଳେ ସମସ୍ତେ ଦୁଃଖରେ ଭାଙ୍ଗି ପଡିଛନ୍ତି । ସେପଟେ ଯୁବକଙ୍କ ବାପାଙ୍କ ବହୁ ପୂର୍ବରୁ ଦେହାନ୍ତ ହୋଇଥିବା ବେଳେ ତାଙ୍କର ମାଙ୍କ ସହ ସେ ରହୁଥିଲେ । ସେପଟେ କୁନା ରାଉତ କହିଛନ୍ତି ବାଡିରେ ବିଦ୍ୟୁତ ସଂଯୋଗ କରିନାହାଁନ୍ତି, ଯୁବକଙ୍କ ମୃତ୍ୟୁ କୌଣସି ଅନ୍ୟ କାରଣ ପାଇଁ ହୋଇଛି ବୋଲି ସେ କହିଛନ୍ତି । ଘଟଣା ସ୍ଥଳରେ ନୀଳଗିରି ପୁଲିସ ପହଞ୍ଚି ତଦନ୍ତ କରି ଯୁବକଙ୍କ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଛି ।



